ଭୁବନେଶ୍ଵର,୭/୩(ସତ୍ୟପାଠ ବ୍ୟୁରୋ): ଗତକାଲି ମିଳିଥିଲା ପଦୋନ୍ନତି। ହେଲେ ପଦୋନ୍ନତି ମିଳିବାର କିଛି ଘଣ୍ଟାପରେ ଭିଜିଲାନ୍ସ ସେହି ଅଧିକାରୀଙ୍କୁ ମାଡ଼ିବସିଥିଲା। ଏଭଳି ଘଟଣା ଘଟିଛି କୋରାପୁଟରେ। ମିଳିଥିବା ସୂଚନା ଅନୁସାରେ, ଗତକାଲି ଲମତାପୁଟ ବନାଞ୍ଚଳ ଅଧିକାରୀରୁ ଏସିଏଫ ଭାବେ ପଦୋନ୍ନତି ପାଇଥିଲେ ସୁରଜିତ କୁମାର ସାହୁ। ସେ ବିପୁଳ ପରିମାଣର ନଗଦ ଟଙ୍କା ନେଇ ଭୁବନେଶ୍ବର ଯାଉଥିବା ସମୟରେ ତାଙ୍କୁ ବାଟରେ ଭିଜିଲାନ୍ସ ଟିମ୍ ମାଡ଼ିବସିଥିଲା। ଏହାପରେ ଭିଜିଲାନ୍ସ ଟିମ୍ ସୁରଜିତଙ୍କୁ ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ଅଟକ ରଖି ପଚରାଉଚରା କରୁଥିବା ଜଣାଯାଇଛି। ତାଙ୍କଠାରୁ ୧ଲକ୍ଷ ୫ ହଜାର ଟଙ୍କା ଜବତ କରାଯାଇଛି।
ସୁରଜିତ କୁମାର ସାହୁ ନିଜର ଅଫିସ ବୋଲେରୋ (ଓଡି-୦୫-ଏମ-୧୯୨୮)ରେ ଭୁବନେଶ୍ବର ଯାଉଥିବା ସମୟରେ କୋରାପୁଟରେ ଧରିଥିଲା ଭିଜିଲାନ୍ସ। ସେହି ଟଙ୍କା ସୁରଜିତ ଅନୈତିକ ଉପାୟରେ ଅର୍ଜନ କରିଥିବା ସନ୍ଦେହ କରାଯାଉଛି। ଏନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ସୁରଜିତ କୁମାର ସାହୁ ନିଜର ସହକର୍ମୀଙ୍କୁ ଭୁବନେଶ୍ବର ଯାଉଥିବା କହିଥିଲେ। ଏହି ଘଟଣାରେ ଅଧିକ ବିବରଣୀକୁ ଅପେକ୍ଷା କରାଯାଇଛି।





