ଭୁବନେଶ୍ଵର,୧୦/୩(ସତ୍ୟପାଠ ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ରାଉରକେଲା ଗସ୍ତରେ ଯାଇ ନବନିର୍ମିତ ବିର୍ସା ମୁଣ୍ଡା ଆଥଲେଟିକ ଷ୍ଟାଡିୟମ ଉଦ୍ଘାଟନ କରିଛନ୍ତି। ସନ୍ଧ୍ୟା ପ୍ରାୟ ୫.୩୦ରେ ବିର୍ସା ମୁଣ୍ଡା ଆଥଲେଟିକ ଷ୍ଟାଡିୟମରେ ପହଂଚିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଷ୍ଟାଡିୟମ ଉଦଘାଟନ କରିବା ସହ ୯୬୪ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଉଦଘାଟନ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏଥିସହ ଜିଲ୍ଲା ହକି ପ୍ରଶିକ୍ଷଣ କେନ୍ଦ୍ରକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଶୁଭ ଉଦଘାଟନ କରିଛନ୍ତି।
ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଅପରାହ୍ନରେ ଭୁବନେଶ୍ବରରୁ ସ୍ବତନ୍ତ୍ର ବିମାନରେ ବାହାରି ରାଉରକେଲାରେ ଅପରାହ୍ନ ୪ଟା ୫୦ ମିନିଟରେ ରାଉରକେଲା ବିମାନ ବନ୍ଦରରେ ପହଞ୍ଚିଥିଲେ। ବିମାନବନ୍ଦରରୁ ସିଧାସଳଖ ବିର୍ସା ଛକରେ ପ୍ରାୟ ୧୪୨ କୋଟିରେ ନିର୍ମିତ ଅତ୍ୟାଧୁନିକ ଆଥ୍ଲେଟିକ୍ ଷ୍ଟାଡିୟମକୁ ଲୋକାର୍ପଣ କରିଛନ୍ତି। ଷ୍ଟାଡିୟମରେ ପ୍ରାୟ ୧୦ ହଜାର ଦର୍ଶକ ବସିବାର କ୍ଷମତା ରହିଛି। ପରେ ସନ୍ଧ୍ୟା ୬ଟାରେ ବିର୍ସା ମୁଣ୍ଡା ଷ୍ଟାଡିୟମ ନିକଟରେ ନିର୍ମିତ ବିଶ୍ବକପ୍ ଗ୍ରାମକୁ ଫେରିଆସି ସେଠାରେ କିଛି ସମୟ ବିତାଇଥିଲେ। ଏହାପରେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ପହଞ୍ଚି ଏଫ୍ଆଇଏଚ୍ ହକି ପ୍ରୋ-ଲିଗ୍ର ଭାରତ-ଜର୍ମାନି ଉଦ୍ଘାଟନୀ ମୁକାବିଲାର ଶୁଭାରମ୍ଭ କରିଛନ୍ତି।
ନିକଟ ଅତୀତରେ ଏହି ଷ୍ଟାଡିୟମ ବିଶ୍ବର ସର୍ବବୃହତ୍ ସିଟ୍ ବିଶିଷ୍ଟ ହକି ଷ୍ଟାଡିୟମ ଭାବେ ‘ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ’ରେ ସ୍ଥାନିତ ହୋଇଥିଲା। ଏହାର ପ୍ରମାଣପତ୍ରକୁ ହକି ଇଣ୍ଡିଆ କର୍ତ୍ତୃପକ୍ଷଙ୍କୁ ମୁଖ୍ୟମନ୍ତ୍ରୀ ହସ୍ତାନ୍ତର କରିବେ। ଏହାପରେ ମୁଖ୍ୟମନ୍ତ୍ରୀ ବିଶ୍ବକପ୍ ଗ୍ରାମରେ ରାତ୍ରିଯାପନ କରିବେ। ଶନିବାର ସକାଳେ ମୁଖ୍ୟମନ୍ତ୍ରୀ ଭୁବନେଶ୍ବର ଅଭିମୁଖେ ବାହାରିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ୫ଟି ସଚିବ ଭି.କେ. ପାଣ୍ଡିଆନ ମଧ୍ୟ ଉପସ୍ଥିତ ରହିବେ। ମୁଖ୍ୟମନ୍ତ୍ରୀ ଗସ୍ତ ସମୟରେ ରାଜ୍ୟ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ, ସାଧାରଣସମ୍ପାଦକ ଭୋଳାନାଥ ସିଂହ, କ୍ରୀଡ଼ା ସଚିବ ପ୍ରମୁଖ ଉପସ୍ଥିତ ଥିଲେ।





