ଏଣିକି ସୁବିଧା ହେବ ଆପାର୍ଟମେଣ୍ଟ କିଣାବିକା; ଆସୁଛି ନୂଆ ଆପାର୍ଟମେଣ୍ଟ ମାଲିକାନା ଅଧିନିୟମ

ଭୁବନେଶ୍ୱର,୧୧/୩ (ସତ୍ୟପାଠ ବ୍ୟୁରୋ): ଏଣିକି ସୁବିଧା ହେବ ରାଜ୍ୟରେ ଆପାର୍ଟମେଣ୍ଟ କିଣାବିକା। ଆପାର୍ଟମେଣ୍ଟ କିଣିବା ବେଳେ ଯେଉଁ ସମସ୍ୟା ସୃଷ୍ଟି ହେଉଥିଲା ତାହା ହେବ ନାହିଁ। ସମସ୍ୟାର ସମାଧାନ କରିବାକୁ ରାଜ୍ୟ ସରକାର ଓଡ଼ିଶା ଆପାର୍ଟମେଂଟ ମାଲିକାନା ଅଧିନିୟମ-୨୦୨୩କୁ କ୍ୟାବିନେଟ୍ ମଂଜୁରୀ ଦେଇଛନ୍ତି । ଏହି ବିଲ୍ ବିଧାନସଭାରେ ଆଗତ ହୋଇ ପାରିତ ହେବା ପରେ ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ଯିବ। ଆଉ ରାଜ୍ୟପାଳଙ୍କ ଅନୁମୋଦନ ପାଇବାପରେ ଆଇନରେ ପରିଣତ ହେବ ।

ଚଳିତ ବଜେଟ ଅଧିବେଶନରେ ଏହି ବିଲ୍ ବିଧାନସଭାରେ ଆଗତ ହେବା ନେଇ ଅଧିକ ସମ୍ଭାବନା ରହିଛି । ଚଳିତ ଅଧିବେଶନରେ ରେରା-କମ୍ପ୍ଲିଆଂଟ ଆପାର୍ଟମେଣ୍ଟ ବିଲ୍ ଆଣିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ କହିଛନ୍ତି। ତେବେ ନୂଆ ନିୟମ ଆସିବା ପୂର୍ବରୁ ଏହା ସ୍ପଷ୍ଟ ହୋଇଛି ଯେ ବହୁ ଦିନ ଧରି ପଡ଼ି ରହିଥିବା ଆପାର୍ଟମେଣ୍ଟର ରେଜିଷ୍ଟ୍ରେସନ ପାଇଁ ବାଟ ଫିଟିବାକୁ ଯାଉଛି ।

ଆପାର୍ଟମେଣ୍ଟରେ ଶହ ଶହ ଲୋକ ଘର କିଣିଥାନ୍ତି । କିନ୍ତୁ ଆପାର୍ଟମେଣ୍ଟ ଭିତରେ ଥିବା କମନ୍ ଏରିଆ ଯଥା ସୁଇମିଂ ପୁଲ୍‌, ସଭା ଗୃହ, ଖେଳ ପଡିଆ ଆଦିକୁ ନେଇ ବିବାଦ ଦେଖାଦେଉଥିଲା । କାରଣ ଏହାର ନିୟନ୍ତ୍ରଣ ବିଲଡର ମାଲିକାନାରେ ରହୁଥିଲ।। ଏବେ କିନ୍ତୁ ଏହି ସବୁ କମନ ଏରିଆ ଘର କିଣିଥିବା ବ୍ୟକ୍ତିଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ସଂଘ ନାଁରେ ରହିବ । ଯାହାକି ବିବାଦର ସମାଧାନ କରିପାରିବ ବୋଲି ସରକାର ଆଶାବାଦୀ ଅଛନ୍ତି । ନୂଆ ବିଲ୍ ଅନୁସାରେ ପ୍ରଥମ ସେଲ୍ ଡିଡ୍ ପୂର୍ବରୁ ଆଲଟିଜ୍ ଆସୋସିଏସନ୍ ବା ଆପାର୍ଟମେଂଟ ଆବଂଟନଗ୍ରାହୀଙ୍କ ସଂଘ ଗଠନ କରାଯିବ ।

ଉଲ୍ଲେଖଯୋଗ୍ୟ ଯେ, ୨୦୨୧ ଓଡ଼ିଶା ଆପାର୍ଟମେଣ୍ଟ ଓନରସିପ୍ ଆମେଣ୍ଡମେଂଟ ରୁଲ୍‌ସ କୁ ଚ୍ୟାଲେଂଜ କରିିଥିଲେ ବିମଳେନ୍ଦୁ ପ୍ରଧାନ ନାମକ ଭୁବନେଶ୍ୱରର ଜଣେ ଆପାର୍ଟମେଂଟ ମାଲିକ। ଏହି ନିୟମ ରିଅଲ୍ ଇଷ୍ଟେଟ୍ ରେଗୁଲେସନ୍ ଓ ଡେଭେଲୋପ୍‌ମେଂଟ ଆକ୍ଟ-୨୦୧୬ ବା ରେରାର ବିରୋଧାଚରଣ କରୁଥିବା ଅଭିଯୋଗ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହି ଆବେଦନର ବିଚାର କରି ଗତ ବର୍ଷ ମେ’ ମାସରେ ସାଧାରଣ ସ୍ଥାନଗୁଡ଼ିକୁ ଆପାର୍ଟମେଂଟ ମାଲିକ ସଂଘକୁ ହସ୍ତାନ୍ତର କରା ନଗଲେ ସେଲ୍ ଡିଡ୍ ପଂଜିକରଣକୁ ସ୍ଥଗିତ ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

Related Posts