ମାନବିକତା ଦେଖାଇଲେ ପୁଲିସ ଏସଆଇ, ମାଓ ନେତାଙ୍କ ମା’ଙ୍କୁ ଦେଲେ ମୁଖାଗ୍ନି

ଭୁବନେଶ୍ୱର,୧୧/୩ (ସତ୍ୟପାଠ ବ୍ୟୁରୋ): ନିଜ ମା’ଙ୍କ ଶେଷଯାତ୍ରାରେ ସାମିଲ ହୋଇ ପାରିଲେନି ମାଓ ନେତା। ମାଆକୁ ଦେଇପାରିଲେନି କାନ୍ଧ। ଭୟରେ ଗ୍ରାମବାସୀ ବି ମୃତଦେହଠୁ ଦୂରେଇ ରହିଲେ। ଘଣ୍ଟା ଘଣ୍ଟା ଧରି ମୃତଦେହ ଘରେ ପଡ଼ିରହିବା ପରେ ସୂଚନା ପାଇଥିଲା ପୁଲିସ୍। ମାନବିକତା ଦେଖାଇ ଗ୍ରାମବାସୀଙ୍କ ସହଯୋଗରେ ଶବ ସତ୍କାର କରିଥିଲା। ପୁଲିସ୍ ଏସ୍‌ଆଇ ରାମକ୍ରିଷ୍ଣା ମୃତଦେହକୁ ଶ୍ମଶାନକୁ ନେଇ ନିଜେ ମୁଖାଗ୍ନି ଦେଇଥିଲେ।ଯାହା ଗ୍ରାମବାସୀଙ୍କୁ ବେଶ୍ ପ୍ରଭାବିତ କରିଥିବା ବେଳେ ପୁଲିସ୍ ଅଧିକାରୀଙ୍କ ଏପରି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

ଓଡ଼ିଶା ସୀମାନ୍ତ ଆନ୍ଧ୍ରପ୍ରଦେଶ ସିଲେରୁ ଥାନାର କୁମୁଲୁୱାଡା ଗ୍ରାମରେ ଗୁରୁବାର ମାଓ ସଂଗଠନର କେନ୍ଦ୍ରୀୟ କମିଟି ସଦସ୍ୟ କାଜୁରି ପାଣ୍ଡାନା ଓରଫ୍ ଜଗନଙ୍କ ମାଆ ସୀତା ଆମ୍ମାଙ୍କ ମୃତ୍ୟୁ ହୋଇଥିଲା। ମାଆଙ୍କ ମୃତ୍ୟୁ ସଂପର୍କରେ ସୂଚନା ପାଇଥିଲେ ଜଗନ୍। ହେଲେ, ଓଡ଼ିଶା, ଆନ୍ଧ୍ର, ଛତିଶଗଡ, ତେଲେଙ୍ଗାନା ପୁଲିସର ମୋଷ୍ଟ୍‌ୱା‌ଣ୍ଟେଡ୍ ତାଲିକାରେ ଥିବାରୁ ଭୟରେ ସେ ଗାଁକୁ ଆସିନଥିଲେ। ଜଗନ୍ ମାଓ ସଙ୍ଗଠନରେ ସାମିଲ୍‌ ଥିବାରୁ ପୁଲିସ ଭୟରେ ସୀତାମାଙ୍କ ମୃତଦେହକୁ ସଂସ୍କାର କରିବା ପାଇଁ ଇଚ୍ଛା ପ୍ରକାଶ କରିନଥିଲେ ଗ୍ରାମବାସୀ। ଏ ଖବର ପାଇ ସିଲେରୁ ଥାନା ଏସ୍‌ଆଇ ରାମକ୍ରିଷ୍ଣା କୁମୁଲୱାଡା ପହଞ୍ଚିବା ପରେ ସତ୍କାର ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା। ନିଜ ସହକର୍ମୀଙ୍କ ସହ ରାମକ୍ରିଷ୍ଣା ସୀତାମାଙ୍କ ମୃତଦେହକୁ କାନ୍ଧରେ ବୋହି ମଶାଣିକୁ ନେଇଥିଲେ। ସେଠାରେ ରୀତିନୀତି ଅନୁଯାୟୀ ସମସ୍ତ କାର୍ଯ୍ୟ ସମ୍ପନ୍ନ ହେବାପରେ ଶବ ସତ୍କାର ହୋଇଥିଲା।

ଗ୍ରାମବାସୀଙ୍କ ଉପସ୍ଥିତିରେ ଶବ ସତ୍କାର କାର୍ଯ୍ୟ ଶେଷ ହେବାପରେ ଜଗନଙ୍କ ପରିବାରର ଅନ୍ୟ ସଦସ୍ୟଙ୍କୁ ପୁଲିସ୍ ପକ୍ଷରୁ ୧୦ ହଜାର ଟଙ୍କା ସହାୟତା ରାଶି ମଧ୍ୟ ପ୍ରଦାନ କରାଯାଇଥିଲା।

Related Posts