ଭୁବନେଶ୍ୱର,୯/୪(ସତ୍ୟପାଠ ବ୍ୟୁରୋ): ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଏବେ ରାଜନୈତିକ ମହୋଲ ସରଗରମ ରହିଛି। ତିନି ଦଳ ଲଢେଇ ପାଇଁ ପ୍ରସ୍ତୁତ ହେଉଥିବା ବେଳେ। ଆଗୁଆ ପ୍ରାର୍ଥୀ ଘୋଷଣା କରି ପାଦେ ଆଗୁଆ ରହିଥିବା ଶାସକ ଦଳକୁ ଏବେ ଘେରିଛନ୍ତି ବିରୋଧୀ। ବିଜେଡି ଝାରସୁଗୁଡ଼ା ଉପ ନିର୍ବାଚନ ପାଇଁ ତାର ଯେଉଁ ପର୍ଯ୍ୟବେକ୍ଷକ ତାଲିକାରେ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ନାଆଁ ନାହିଁ। ସୁଶାନ୍ତ ପଶ୍ଚିମ ଓଡ଼ିଶାର ଜଣେ ଟାଣୁଆ ନେତା। ପୂର୍ବରୁ ହୋଇଥିବା ଉପ ନିର୍ବାଚନ ଗୁଡିକରେ ଦଳ ପାଇଁ ପ୍ରମୁଖ ଭୂମିକା ତୁଲାଇଥିବା ସୁଶାନ୍ତ ଙ୍କୁ ଦଳ ପର୍ଯ୍ୟବେକ୍ଷକ ତାଲିକାରୁ ବାଦ୍ ଦେବାକୁ ବିରୋଧୀ ନବ ଦାସଙ୍କ ହତ୍ୟାକାଣ୍ଡ ସହ ଯୋଡ଼ିଛନ୍ତି।
ଏହି ପ୍ରସଙ୍ଗରେ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, ନବ ଦାସ ହତ୍ୟାକାଣ୍ଡରେ ସୁଶାନ୍ତଙ୍କ ସମ୍ପୃକ୍ତି ରହିଛି, ଲୋକଙ୍କ ଆକ୍ରୋଶରୁ ବର୍ତ୍ତିବାକୁ ତାଙ୍କୁ ପର୍ଯ୍ୟବେକ୍ଷକ ତାଲିକାରୁ ବାଦ୍ ଦିଆଗଲା। ନବୀନ ପଟ୍ଟନାୟକ କାହାର ନୁହେଁ। ଆଗରୁ ଦିଲୀପ ରାୟ, ବିଜୟ ମହାପାତ୍ର ଓ ନଳିନୀ ମହାନ୍ତିଙ୍କ ପରି ଲୋକଙ୍କୁ ଛାଡ଼ି ନାହାନ୍ତି। ସୁଶାନ୍ତ ସିଂଙ୍କୁ କେମିତି ଛାଡ଼ିବେ।
ସେପଟେ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ପୂର୍ବରୁ ବିରୋଧୀ ଦଳ ନେତା ମଧ୍ୟ କହିଥିଲେ, ବିଜେଡ଼ି ସେହି କଥାକୁ ଅଫିସିଆଲି ସ୍ୱୀକାର କରିଛି । ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପଛରେ ବିଜେଡ଼ି ନେତାଙ୍କ ହାତ ଅଛି । ଯେଉଁଥିପାଇଁ ଝାରସୁଗୁଡାରେ ନବଙ୍କ ସମର୍ଥକ ତଥା ବିଜେଡ଼ି ଲୋକଙ୍କର କ୍ରୋଧ ଅଛି । କେମିତି ସେଥିରୁ ମୁକୁଳିବେ ସେ ଚେଷ୍ଟା ବିଜେଡ଼ି କରୁଛି । ତେଣୁ ଜାଣିଶୁଣି ପର୍ଯ୍ୟବେକ୍ଷକ ତାଲିକାରୁ ସେହି ନେତାମାନଙ୍କୁ ବାଦ ଦିଆଯାଇଛି । ଦଶାହ କାର୍ଯ୍ୟରୁ ମଧ୍ୟ କିଛି ଲୋକଙ୍କୁ ଦୂରେଇ ରଖାଯାଇଥିଲା । ଏକଥା ସୂଚାଉଛି କି ହତ୍ୟାକାଣ୍ଡ ସହ ବିଜେଡି ନେତାଙ୍କର ସମ୍ପୃକ୍ତି ଅଛି ବୋଲି ରାଜ୍ୟ ସରକାର ବିଶ୍ୱାସ କରୁଛନ୍ତି ।
ତେଣେ ବିରୋଧୀଙ୍କ ଏଭଳି ଅଭିଯୋଗକୁ ନେଇ ବିଜେଡି ସାଂସଦ ମହେଶ ସାହୁ କହିଛନ୍ତି, ଦଳ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେଉଁ ଦୃଷ୍ଟିରୁ ଏବଂ କେଉଁ କାରଣ ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ସେ ହିଁ କହିପାରିବେ। କିଏ କଣ କହୁଛି ତାକୁ ନେଇ କିଛି କହି ହେବ ନାହିଁ। ନବ ଦାସ ହତ୍ୟାକୁ ନେଇ ତଦନ୍ତ ଚାଲିଛି। ବିରୋଧୀ ଦଳ ବହୁତ କଥା କହୁଛନ୍ତି। ପର୍ଯ୍ୟବେକ୍ଷକ ତାଲିକାରୁ ବାଦ୍ ପଡ଼ିବାକୁ ନେଇ ସୁଶାନ୍ତ ସିଂଙ୍କର ତ ପ୍ରତିକ୍ରିୟା ନାହିଁ। ବିରୋଧୀ ଦଳ କଣ ଯାହା ପ୍ରତିକ୍ରିୟା ଦେବେ, ତାଙ୍କ କଥାରେ କଣ ନାଚିବୁ ? ବିରୋଧୀ ଦଳ କଣ ଜଜ୍, ସେ ଯାହା କହିବେ ତାଙ୍କ କଥାରେ ସବୁ ଚାଲିବ ? ବୋଲି ସେ ପ୍ରଶ୍ନ କରିଛନ୍ତି।





