ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା; କେଜ୍ରିୱାଲଙ୍କୁ ୯ ଘଣ୍ଟା ଜେରା କଲା ସିବିଆଇ

ଭୁବନେଶ୍ୱର,୧୭/୪(ସତ୍ୟପାଠ ବ୍ୟୁରୋ): ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରବିବାର ଦିନ ସିବିଆଇ ଜେରାର ସମ୍ମୁଖୀନ ହୋଇଛନ୍ତି। କେଜ୍ରିୱାଲଙ୍କୁ ସିବିଆଇ ଦପ୍ତରରେ ୯ ଘଣ୍ଟା ଧରି ଦିଲ୍ଲୀ ଅବକାରୀ ନୀତି ସମ୍ପର୍କରେ ବିଭିନ୍ନ ପ୍ରଶ୍ନ ପଚାରିଛନ୍ତି । ସିବିଆଇ କାର୍ଯ୍ୟାଳୟରୁ ବାହାରିବା ପରେ କେଜ୍ରିୱାଲ ଗଣମାଧ୍ୟମକୁ କହିଛନ୍ତି, ତାଙ୍କୁ ସିବିଆଇ ମୋଟ ୫୬ଟି ପ୍ରଶ୍ନ କରିଥିଲା ଏବଂ ସମଗ୍ର ମାମଲା ମିଥ୍ୟା ଉପରେ ପର୍ଯ୍ୟବସିତ ଥିଲା। ଏହି ମାମଲାରେ ସିବିଆଇ ତାଙ୍କୁ ପୁଣି ଜେରା କରିବ ନେଇ କୌଣସି ସଙ୍କେତ ଦେଇନାହିଁ ବୋଲି କେଜ୍ରିୱାଲ କହିଛନ୍ତି।

ରବିବାର ସକାଳେ ସିବିଆଇ ମୁଖ୍ୟାଳୟକୁ ଯିବା ପୂର୍ବରୁ କେଜ୍ରିୱାଲ ତାଙ୍କ ବାସଭବନରୁ ବାହାରି ରାଜଘାଟରେ ପହଞ୍ଚିଥିଲେ ଏବଂ ସେଠାରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ତାଙ୍କ ସହିତ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଏବଂ ଦିଲ୍ଲୀର ସମସ୍ତ ମନ୍ତ୍ରୀ ଉପସ୍ଥିତ ଥିଲେ। ଜେରାର ସମ୍ମୁଖୀନ ହେବାପାଇଁ ଯିବା ପୂର୍ବରୁ କେଜ୍ରିୱାଲ ଗଣମାଧ୍ୟମକୁ କହିଥିଲେ ଯେ ସିବିଆଇର ପ୍ରତ୍ୟେକ ପ୍ରଶ୍ନର ଉତ୍ତର ମୁଁ ସଚ୍ଚୋଟତାର ସହ ଦେବି। ମତେ ଗିରଫ କରାଯିବ ବୋଲି ବିଜେପି ନେତାମାନେ ଚିତ୍କାର କରୁଛନ୍ତି। ଯଦି ବିଜେପି ମୋର ଗିରଫଦାରୀ ଆଦେଶ ଦେଇଛି ତା’ହେଲେ ମତେ ଗିରଫ କରିବାକୁ ସିବିଆଇ କିଏ ବୋଲି କେଜ୍ରିୱାଲ ପ୍ରଶ୍ନ କରିଥିଲେ। ଏହାପରେ ଦିନ ପ୍ରାୟ ୧୧ଟା ସମୟରେ କେଜ୍ରିୱାଲ ସିବିଆଇ କାର୍ଯ୍ୟାଳୟକୁ ଯାଇଥିଲେ ଓ ରାତି ପ୍ରାୟ ୮.୩୦ରେ ତାଙ୍କୁ ସିବିଆଇ ଛାଡିଥିଲା।

ଅନ୍ୟପକ୍ଷରେ କେଜ୍ରିୱାଲଙ୍କୁ ଜେରା ପାଇଁ ସିବିଆଇ ତଲବ ବିରୋଧରେ ଆମ୍‌ ଆଦ୍‌ମୀ ପାର୍ଟି ଦିଲ୍ଲୀରେ ଜୋର୍‌ଦାର ବିରୋଧ ପ୍ରଦର୍ଶନ କରିଥିଲା। ଦିନ ତମାମ ଆପ୍‌ କାର୍ଯ୍ୟକର୍ତ୍ତାମାନେ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ବସିଥିଲେ। ଏନ୍‌ଏଚ୍‌-୪୪, ଜିଟି କର୍ନାଲ ରୋଡରେ ଆପ୍‌ର ବିରୋଧ ପ୍ରଦର୍ଶନ ପାଇଁ ଟ୍ରାଫିକ୍‌ ସମସ୍ୟା ମଧ୍ୟ ଦେଖା ଦେଇଥିଲା। ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି ଯେ ପୁଲିସ ଆପ୍‌ ବିଧାୟକ ଏବଂ କାଉନ୍‌ସିଲରମାନଙ୍କୁ ଅଟକ ରଖିଛି। ପ୍ରାୟ ୩୨ ଜଣ ବିଧାୟକ ଏବଂ ୭୦ କାଉନ୍‌ସିଲରଙ୍କୁ ଅଟକ ରଖାଯାଇଥିବା ଦାବି କରାଯାଇଛି। ଦିଲ୍ଲୀର ୧୫ଟି ସ୍ଥାନରେ ବିରୋଧ ପ୍ରଦର୍ଶନ ହୋଇଥିବା ବେଳେ ୧୫୦୦ରୁ ଅଧିକ ଲୋକଙ୍କୁ ପୁଲିସ ବିଭିନ୍ନ ଥାନାରେ ଅଟକ ରଖିଥିବା ଦଳ ପକ୍ଷରୁ କୁହାଯାଇଛି। ଦିଲ୍ଲୀ ସିଂଘୁ ସୀମାରେ ପଂଜାବର ୨୦ ଆପ୍‌ ବିଧାୟକଙ୍କୁ ମଧ୍ୟ ପୁଲିସ ଅଟକ ରଖିଥିବା ବେଳେ ତେବେ ପରବର୍ତ୍ତୀ ସମୟରେ ସେମାନଙ୍କୁ ଛାଡି ଦିଆଯାଇଥିବା ଜଣାପଡିଛି।

Related Posts