ହେଟ୍ ସ୍ପିଚ୍ ମାମଲାରେ ରାଜ୍ୟମାନଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ: କେହି ଅଭିଯୋଗ ନହେଲେ ମଧ୍ୟ ନିଜଆଡ଼ୁ ମାମଲା ରୁଜୁ କର

ଭୁବନେଶ୍ୱର,୨୯/୪(ସତ୍ୟପାଠ ବ୍ୟୁରୋ): ଦେଶର ବଢିଚାଲିଛି ହେଟ ସ୍ପିଚ ମାମଲା। ଯାହାକୁ ନେଇ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ହେଟ୍ ସ୍ପିଚ ମାମଲାରେ ସୁପ୍ରିମକୋର୍ଟ ଶୁକ୍ରବାର ଦିନ ଶୁଣାଣି କରି କଠୋର ଆଭିମୁଖ୍ୟ ଗ୍ରହଣ କରିବା ସହ ରାଜ୍ୟ ମାନଙ୍କୁ କଡା ନିର୍ଦେଶ ଦେଇଛନ୍ତି। ହେଟ୍ ସ୍ପିଚ୍ ବିରୋଧରେ କେହି ଅଭିଯୋଗ ନକଲେ ମଧ୍ୟ ନିଜଆଡୁ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ମାମଲା ରୁଜୁ କରିବାକୁ ସୁପ୍ରିମକୋର୍ଟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛନ୍ତି।

କୋର୍ଟ ତାଙ୍କ ୨୦୨୨ ଆଦେଶକୁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ଲାଗୁ କରିଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ଭାରତର ଧର୍ମନିରପେକ୍ଷ ଛବିକୁ ବଜାୟ ରଖିବା ପାଇଁ, ଧର୍ମ ନ ଦେଖି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଏହା ପୂର୍ବରୁ ସୁପ୍ରିମକୋର୍ଟ କେବଳ ଉତ୍ତର ପ୍ରଦେଶ, ଦିଲ୍ଲୀ ଏବଂ ଉତ୍ତରାଖଣ୍ଡ ସରକାରଙ୍କୁ ଏପରି ନିର୍ଦ୍ଦେଶ ଦେଇଥିଲେ । ବର୍ତ୍ତମାନ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ଲାଗୁ ହେବ। ଶୁଣାଣି ସମୟରେ ଜଷ୍ଟିସ କେ.ଏମ ଜୋସେଫ କହିଛନ୍ତି ଯେ ହେଟ୍ ସ୍ପିଚ୍ ଏକ ଗୁରୁତର ଅପରାଧ ଯାହା ଦେଶ ଉପରେ ବିପଜ୍ଜନକ ପ୍ରଭାବ ପକାଇଥାଏ । ଏହା ଆମ ଗଣତନ୍ତ୍ରର ଓ ଲୋକଙ୍କ ସମ୍ମାନ ଉପରେ ପ୍ରଭାବ ପକାଇଥାଏ ।

ଘୃଣା ସୃଷ୍ଟିକାରୀ ବୟାନ ଉପରେ କାର୍ଯ୍ୟାନୁଷ୍ଠାନ ଓ ଏହାକୁ ରୋକିବା ପାଇଁ ସୁପ୍ରିମକୋର୍ଟ ପଦକ୍ଷେପ ନିଅନ୍ତୁ ବୋଲି ଦାବି କରି ଏକାଧିକ ଆବେଦନ କରାଯାଇଥିଲା। ଏହାର ଶୁଣାଣି କରି ସର୍ବୋଚ୍ଚ ଅଦାଲତ ମହାରାଷ୍ଟ୍ର ସରକାରଙ୍କୁ ନୋଟିସ କରିଥିଲେ। ହେଟସ୍ପିଚ୍‌ ବିରୋଧରେ ମହାରାଷ୍ଟ୍ରର ସରକାର ଉପଯୁକ୍ତ ପଦକ୍ଷେପ ନେଇ ନଥିବାରୁ ଅଦଲାତ ଅବମାନନା ମାମଲା ଚଳାଇବାକୁ ଆବେଦନର ଦାବି କରାଯାଇଥିଲା। ଏହାପରେ କୋର୍ଟ ରାଜ୍ୟ ସରକାରଙ୍କୁ ନୋଟିସ କରିଥିଲେ।

ହେଟ୍ ସ୍ପିଚର ମାମଲାର ଏହା ପୂର୍ବ ଶୁଣାଣିରେ ସୁପ୍ରିମକୋର୍ଟ କହିଥିଲେ – ହେଟ୍ ସ୍ପିଚ୍ ବିରୋଧରେ ଏକ ସହମତି ସୃଷ୍ଟି ହୋଇଛି ଏବଂ ଭାରତ ଭଳି ଧର୍ମନିରପେକ୍ଷ ଦେଶରେ ଧର୍ମ ଆଧାରରେ ହେଟ୍ କ୍ରାଇମର କୌଣସି ସ୍ଥାନ ନାହିଁ। ହେଟ୍ ସ୍ପିଚ୍ ମାମଲାରେ କୌଣସି ସାଲିସ୍ କରାଯାଇ ପାରିବ ନାହିଁ । ନାଗରିକମାନଙ୍କୁ ଏପରି ହେଟ୍ କ୍ରାଇମରୁ ରକ୍ଷା କରିବା ରାଜ୍ୟର ପ୍ରାଥମିକ କର୍ତ୍ତବ୍ୟ ବୋଲି ସୁପ୍ରିମକୋର୍ଟ କହିଥିଲେ।

Related Posts