ଶିମିଳିପାଳ ଅଭୟାରଣ୍ୟ ପରିଦର୍ଶନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ପର୍ଯ୍ୟଟକଙ୍କ ପାଇଁ ୪ ଓ ୫ ତାରିଖ ବନ୍ଦ ରହିବ ଶିମିଳିପାଳ

ଭୁବନେଶ୍ୱର,୨/୫(ସତ୍ୟପାଠ ବ୍ୟୁରୋ): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୩ ଦିନିଆ ମୟୂରଭଞ୍ଜ ଜିଲା ଗସ୍ତରେ ଆସିବେ। ଆସନ୍ତା ମେ’ ୪ରୁ ୬ତାରିଖ ପର୍ଯ୍ୟନ୍ତ ଜିଲାର ରାଇରଙ୍ଗପୁର, ପାହାଡ଼ପୁର ଓ ବାରିପଦାର ବିଭିନ୍ନ ସ୍ଥାନରେ ହେବାକୁ ଥିବା କାର୍ଯ୍ୟକ୍ରମରେ ସେ ଯୋଗଦେବେ। ତେବେ ରାଷ୍ଟ୍ରପତିଙ୍କ ଶିମିଳିପାଳ ଅଭୟାରଣ୍ୟ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି। ଏହାକୁ ଆଖି ଆଗରେ ରଖି ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟକୁ ଆସନ୍ତା ୪ ଓ ୫ ତାରିଖ ଦୁଇ ଦିନ ବନ୍ଦ କରିଦିଆଯାଇଛି।

ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ପ୍ରକାଶ ଚାନ୍ଦ ଗୋଗିନାନୀ ଏନେଇ ସୂଚନା ଦେଇଛନ୍ତି। ଶିମିଳିପାଳ ଅଭୟାରଣ୍ୟକୁ ରାଷ୍ଟ୍ରପତି ପ୍ରଥମ ଥର ପାଇଁ ଆସୁଛନ୍ତି, ଯାହାକି ବିଶେଷ କରି ଶିମିଳିପାଳ ପାଇଁ ଗର୍ବ ଓ ଗୌରବର ବିଷୟ। ଏହାକୁ ଦୃଷ୍ଟିରେ ରଖି ଶିମିଳିପାଳ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସମସ୍ତ ପ୍ରକାର ସୁରକ୍ଷା, ଆତିଥ୍ୟସେବା ଓ ପରିଦର୍ଶନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି ବୋଲି ଶ୍ରୀ ଗୋଗିନେନୀ କହିଛନ୍ତି। ରାଷ୍ଟ୍ରପତି ୪ତାରିଖ ପୂର୍ବାହ୍ନରେ ଯଶୀପୁର ହେଲିପ୍ୟାଡରୁ ଓହ୍ଲାଇ ସଡ଼କ ପଥରେ ସ୍ବତନ୍ତ୍ର ଗାଡିରେ ଶିମିଳିପାଳ ଗସ୍ତ କରି ଅପରାହ୍ନରେ ପୁନର୍ବାର ଯଶୀପୁର ହେଲିପ୍ୟାଡକୁ ଫେରିଯିବେ ବୋଲି ସୂଚନା ମିଳିଛି।

Related Posts