ଭୁବନେଶ୍ୱର,୩/୫(ସତ୍ୟପାଠ ବ୍ୟୁରୋ): ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ବିରୋଧରେ ଏକଜୁଟ ହେଉଛନ୍ତି ବିରୋଧି । ବିରୋଧିଙ୍କୁ ଏକାଠି କରିବାକୁ ଉଦ୍ୟମ ଚଳାଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ।ଏଥିପାଇଁ ନୀତିଶ ଜଣେ ପରେ ଜଣେ ବିରୋଧୀ ନେତାଙ୍କୁ ଭେଟୁଥିବା ବେଳେ ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଭେଟିବେ ବୋଲି ସୂଚନା ମିଳିଛି। ନବୀନଙ୍କୁ ଭେଟିବାକୁ ଜେଡିୟୁ ସୁପ୍ରିମୋ ଖୁବଶୀଘ୍ର ଓଡି଼ଶା ଆସିବେ । ମାତ୍ର ଏନେଇ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ କିମ୍ବା ଦଳ ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇନାହିଁ ।
ତେବେ ନିକଟରେ ନୀତିଶ କୁମାର କୋଲକାତା ଗସ୍ତ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସାକ୍ଷାତ କରିଥିଲେ । ଏହାପରେ ଲକ୍ଷ୍ନୌ ଯାଇ ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବଙ୍କ ସହ ଆଲୋଚନା କରିଥିଲେ । ଏବେ ବିହାର ମୁଖ୍ୟମନ୍ତ୍ରୀ ଓଡ଼ିଶା ଆସିବେ ବୋଲି ଚର୍ଚ୍ଚା ହେଉଛି । କିଛି ଦିନ ପୂର୍ବରୁ ନୀତିଶ କଂଗ୍ରେସ ନେତା ରାହୁଲ ଗାନ୍ଧୀ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ, ଏନସିପି ମୁଖ୍ୟ ଶରଦ ପାୱାର, ସିପିଏମ୍ ନେତା ସୀତାରାମ ୟେଚୁରୀଙ୍କୁ ମଧ୍ୟ ଭେଟିଥିଲେ । ସେପଟେ ନୀତିଶ କୁମାରଙ୍କ ଅତ୍ୟନ୍ତ ଘନିଷ୍ଠ ତଥା ବିହାର ଜେଡିୟୁ ମୁଖ୍ୟ ଲଲନ ସିଂହ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଙ୍କୁ ମଧ୍ୟ ଭେଟିଛନ୍ତି। ତେବେ ବିଜେପିକୁ କେନ୍ଦ୍ରରୁ ହଟାଇବା ପାଇଁ ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧିମାନଙ୍କୁ କିପରି ଏକଜୁଟ କରାଯିବ ସେନେଇ ଆଲୋଚନା ଚାଲିଛି ।
ସାଧାରଣ ନିର୍ବାଚନରେ ବିଜେପିକୁ କ୍ଷମତାଚ୍ୟୁତ କରିବା ପାଇଁ ନୀତିଶ ଯଥାସମ୍ଭବ ପ୍ରଚେଷ୍ଟା କରୁଛନ୍ତି । ଏହି ପରିପ୍ରେକ୍ଷୀରେ କର୍ଣ୍ଣାଟକ ନିର୍ବାଚନର ତୁରନ୍ତ ବାଦ୍ ବିହାରରେ ବିରୋଧି ଦଳଗୁଡିକର ଏକ ବଡ ବୈଠକ ବସିବାକୁ ଯାଉଛି । ଏଥିରେ ନୀତିଶ କୁମାର କଂଗ୍ରେସ ନେତୃତ୍ବରେ ବିଜେପି ବିରୋଧି ମିଳିତ ମଞ୍ଚ ଗଠନ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏଥିପାଇଁ ସେ ବିଭିନ୍ନ ରାଜ୍ୟ ବୁଲି ବିରୋଧି ଦଳଗୁଡିକୁ ମନାଇବାକୁ ଉଦ୍ୟମ ଜାରି କରିଛନ୍ତି । ରାହୁଲ ଗାନ୍ଧୀଙ୍କ ଠାରୁ ଆରମ୍ଭ କରି ଅଖିଳେଶ ଯାଦବ ପରେ ଏହି କ୍ରମରେ ସେ ଜଲଦି ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ଯାଉଛନ୍ତି ।
ତେବେ ସୂଚନା ମୁତବାକ, ନୀତିଶ କୁମାର ଫୋନରେ ନବୀନଙ୍କ ସହ କଥାବାର୍ତ୍ତା ମଧ୍ୟ କରିସାରିଛନ୍ତି । ବର୍ତ୍ତମାନ ତାଙ୍କୁ ସାକ୍ଷାତ କରି ବିରୋଧି ଦଳ ବୈଠକ ସମ୍ପର୍କରେ ରଣନୀତି ପ୍ରସ୍ତୁତ କରିବାକୁ ଚାହୁଁଛନ୍ତି । ତେବେ ସବୁବେଳେ କଂଗ୍ରେସ ଓ ବିଜେପି ଠାରୁ ସମ ଦୂରତା କଥା କହୁଥିବା ନବୀନ ଏବେ ବିରୋଧୀ ଏକତା ନେଇ କଣ ଆଭିମୁଖ୍ୟ ଗ୍ରହଣ କରୁଛନ୍ତି ତାହାରି ଉପରେ କେବଳ ରାଜ୍ୟ ନୁହେଁ ସମଗ୍ର ଦେଶର ନଜର ରହିଛି।





