ଝାରସୁଗୁଡ଼ା ଉପନିର୍ବାଚନ ପୂର୍ବରୁ ବିଜେପିକୁ ଝଟ୍‌କା; ବିଜେଡିରେ ମିଶିଲେ ଜିଲ୍ଲା ସଭାପତି ମଙ୍ଗଳ ସାହୁ

ଭୁବନେଶ୍ୱର,୩/୫(ସତ୍ୟପାଠ ବ୍ୟୁରୋ): ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଭୋଟ୍ ପଡ଼ିବାକୁ ହାତରେ ଆଉ ଅଳ୍ପ ସମୟ ବାକି ଥିବା ବେଳେ ଏହାପୂର୍ବରୁ ଝାରସୁଗୁଡା ବିଜେପି ସଭାପତି ମଙ୍ଗଳ ସାହୁ ଆଜି ବିଜେଡିରେ ସାମିଲ ହୋଇଛନ୍ତି। ନବୀନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ସାମିଲ ହୋଇଛନ୍ତି ବୋଲି କହିଛନ୍ତି। ଦଳର ସାଂସଦ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ମଙ୍ଗଳ ସାହୁ ବିଜେଡିରେ ସାମିଲ ହୋଇଛନ୍ତି।

ମଙ୍ଗଳ ସାହୁ କହିଛନ୍ତି, ବିଜେପିରେ ସେ ଦୀର୍ଘ ଦିନ ଧରି କାର୍ଯ୍ୟ କରିବା ସହ ସଙ୍ଗଠନକୁ ମଜବୁତ କରାଇଥିଲେ। ହେଲେ ବିଜେପିର ନୀତି ଆଦର୍ଶ ଏବେ ବଦଳି ଯାଇଛି। ତେଣୁ ଦଳ ଛାଡିବାକୁ ସେ ନିଷ୍ପତ୍ତି ନେଇଛନ୍ତି ବୋଲି କହିଛନ୍ତି। କେବଳ ସେ ନୁହଁନ୍ତି ଅନେକ ନେତା ଦଳରେ ଅସନ୍ତୁଷ୍ଟ ଥିବା କଥା ସେ କହିଛନ୍ତି। ନବ ଦାସ ପ୍ରସଙ୍ଗକୁ ବିଜେପି ଯେଉଁ ଭଳି ପ୍ରସଙ୍ଗ କରିଛି ତାକୁ ସେ ନାପସନ୍ଦ କରିଛନ୍ତି ବୋଲି ମଧ୍ୟ କହିଛନ୍ତି।

ତେବେ ବିଜେପି ବିଧାୟକ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ପ୍ରଚାର ପାଇଁ ବିଜେପି ଯେଉଁ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଥିଲା ସେଥିମଧ୍ୟରେ ମଙ୍ଗଳ ସାହୁ ଥିଲେ। ଏବେ ସେ ଆସି ବିଜେଡିରେ ସାମିଲ ହେବା ଜିଲ୍ଲା ବିଜେପିକୁ ବଡ ଝଟକା ବୋଲି କୁହାଯାଉଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଜିଲ୍ଲାରେ ଏବେ ରାଜ୍ୟ ବିଜେପିର ହେବିଓ୍ୱେଟ୍ ନେତା ମଧ୍ୟ ଉପସ୍ଥିତ ରହିଛନ୍ତି। ଏହି ସମୟରେ ଖୋଦ୍ ଜିଲ୍ଲା ସଭାପତି ଦଳ ଛାଡ଼ିବା ବିଜେପିକୁ ମହଙ୍ଗା ସାବ୍ୟସ୍ତ ହେବ ବୋଲି କୁହାଯାଉଛି।

ତେବେ ଉପ ନିର୍ବାଚନ ପାଇଁ ଟଙ୍କଧର ତ୍ରିପାଠୀ ବିଜେପିର ପ୍ରାର୍ଥୀ ହେବା ପୂର୍ବରୁ ଜିଲ୍ଲାରେ ଅସନ୍ତୋଷ ଥିଲା ବୋଲି କୁହାଯାଉଥିଲା। ଟଙ୍କଧର ସୁନ୍ଦରଗଡର ବାସିନ୍ଦା ହେଲେ ମଧ୍ୟ ସେ ଆସି ଝାରସୁଗୁଡାରେ ନିର୍ବାଚନ ଲଢିବାକୁ ନେଇ ଦଳ ଭିତରେ ଅସନ୍ତୋଷ ଥିଲା। ପରବର୍ତ୍ତୀ ସମୟରେ କିନ୍ତୁ ଏହା କୈଣସି ପ୍ରକାର ପ୍ରଶମିତ ହୋଇଥିଲା।

ତେବେ ବିଜେପିର କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ରାଜ୍ୟ ବିଜେପି ସଭାପତି ମନମୋନ ସାମଲ, ବିଜେପିର ଜାତୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ସାଂସଦ ସୁରେଶ ପୂଜାରୀ ଭଳି ପ୍ରମୁଖ ନେତା ଝାରୁସଗୁଡାରେ ପ୍ରଚାର କରୁଛନ୍ତି। ଏହି ସମୟରେ ମଙ୍ଗଳ ସାହୁ ଆସି ବିଜେଡିରେ ସାମିଲ ହୋଇଛନ୍ତି। ଯିଏକି ନିଜେ ବିଧାୟକ ପ୍ରାର୍ଥୀ ହେବାକୁ ଲକ୍ଷ୍ୟ ରଖିଥିଲେ ବୋଲି ସୂଚନା ରହିଛି। ତେବେ ଏହା ପ୍ରଥମ ଥର ନୁହେଁ ଗତବର୍ଷ ବ୍ରଜରାଜନଗର ଉପନିର୍ବାଚନ ସମୟରେ ମଧ୍ୟ ମଙ୍ଗଳ ସାହୁ ଦଳରୁ ଇସ୍ତଫା ଦେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସେ ଇସ୍ତଫା ପତ୍ର ପ୍ରତ୍ୟାହାର କରିନେଇଥିଲେ।

Related Posts