ଜନ୍ମମାଟିକୁ ଆସୁଛନ୍ତି ରାଷ୍ଟ୍ରପତି; ୩ ଦିନିଆ ଗସ୍ତ ପାଇଁ ମୟୂରଭଞ୍ଜରେ ସ୍ବତନ୍ତ୍ର ପ୍ରସ୍ତୁତି

ଭୁବନେଶ୍ୱର,୪/୫(ସତ୍ୟପାଠ ବ୍ୟୁରୋ): ଭାରତର ପ୍ରଥମ ନାଗରିକ ମୟୂରଭଞ୍ଜ ମାଟିର ଝିଅ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠୁ ୩ ଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସୁଛନ୍ତି । ସେ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଆଜି ଦିନ ୧୦ଟା ୧୫ ମିନିଟ୍ ସମୟରେ ରାଇରଙ୍ଗପୁରରେ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରିବେ । ରାଷ୍ଟ୍ରପତି ହେବା ପରଠୁ ଏହା ତାଙ୍କର ତୃତୀୟ ଓଡ଼ିଶା ଗସ୍ତ ହୋଇଥିଲେ ମଧ୍ୟ ମାତ୍ର ପ୍ରଥମ ଥର ସେ ନିଜ ଜନ୍ମମାଟିକୁ ଆସୁଛନ୍ତି । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ତାଙ୍କର ଜନ୍ମମାଟି ରାଇରଙ୍ଗପୁରରେ ସ୍ବତନ୍ତ୍ର ପ୍ରସ୍ତୁତି ସହ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ସୂଚୀ:

ଆଜିଠୁ ୬ ତାରିଖ ପର୍ଯ୍ୟନ୍ତ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର, ପାହାଡପୁର, ଶିମିଳିପାଳ ଓ ବାରିପଦାର ବିଭିନ୍ନ ସ୍ଥାନରେ ହେବାକୁ ଥିବା କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ମୁର୍ମୁ ଯୋଗ ଦେବେ । ରାଇରଙ୍ଗପୁର ବାସଭବନ, ଶାଶୁଘର ଗ୍ରାମ ପାହାଡପୁର, ଶିମିଳିପାଳ ଅଭୟାରଣ୍ୟ ଓ ବାରିପଦା ଶ୍ରୀରାମଚନ୍ଦ୍ର ବିଶ୍ବ ବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ବାଦାମପାହାଡ, ଦାଣ୍ଡବୋଷ, ଯଶିପୁର ଓ ବାରିପଦାରେ ୪ଟି ହେଲିପ୍ୟାଡ ପ୍ରସ୍ତୁତ ହୋଇଛି ।

ଆଜି ସକାଳ ୭ଟାରେ ରାଷ୍ଟ୍ରପତି ଭବନରୁ ବାହାରି ପାଲାମ ବିମାନ ବନ୍ଦରରୁ ଏକ ସ୍ବତନ୍ତ୍ର ବିମାନ ଯୋଗେ ପଶ୍ଚିମବଙ୍ଗ ଅବତରଣ କରିବେ । ସେଠାରୁ ଏମଆଇ-୧୭ ହେଲିକପ୍ଟରରେ ୧୦ଟା ୧୫ରେ ବାଦାମପାହାଡ ହେଲିପ୍ୟାଡରେ ଅବତରଣ କରିବେ । ସେଠାରୁ ସ୍ବତନ୍ତ୍ର କାରରେ ଶାଶୁଘର ପାହାଡପୁରକୁ ଯାଇ ସ୍ବାମୀ ସ୍ବର୍ଗତ ଶ୍ୟାମ ଚରଣ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଗୋଶାଣି ଯିବେ ।

ଏହାପରେ ନାବାର୍ଡ ଦ୍ବାରା ନିର୍ମାଣ କରାଯିବାକୁ ଥିବା ଏକ କମ୍ୟୁନିଟି କେନ୍ଦ୍ର ଓ କୌଶଳ ଦକ୍ଷତା କେନ୍ଦ୍ରର ଶିଳାନ୍ୟାସ କରିବେ । ରାଷ୍ଟ୍ରପତି ଅପରାହ୍ନ ସାଢେ ୧୨ଟାରେ ହାଟବାଦଡା ସାତପଉଟିଆ ସ୍ଥିତ ବ୍ରହ୍ମକୁମାରୀ କେନ୍ଦ୍ରକୁ ଯାଇ ନିଶାମୁକ୍ତ ଓଡ଼ିଶା ପ୍ରଚାର କାର୍ଯ୍ୟକ୍ରମ ଉଦଘାଟନ କରିବେ । ଅପରାହ୍ନ ୧ଟାରେ ରାଇରଙ୍ଗପୁର ବଙ୍ଗଳାରେ ମଧ୍ୟାହ୍ନ ଭୋଜନ ଓ ବିଶ୍ରାମ ନେବାପରେ ଅପରାହ୍ନ ୪ଟାରେ ବାହାରି ଭଞ୍ଜବୀର ସୁନାରାମ ସୋରେନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ୪ଟା ୨୫ରେ ବଡବନ୍ଧରେ ୧୦୦ ଫୁଟର ଏକ ଜାତୀୟ ପତାକାକୁ ଉଡାଇବା ପରେ ୪ଟା ୩୫ରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ଏହାପରେ ରାଇରଙ୍ଗପୁର ମ୍ୟୁନିସିପାଲିଟି ପକ୍ଷରୁ ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେ । ପରେ ମହୁଲଡିହା ବଙ୍ଗଳାରେ ପହଞ୍ଚି ସନ୍ଧ୍ୟାରେ ଅଞ୍ଚଳବାସୀଙ୍କ ସହ ଆଲୋଚନା କରିବେ ।

ସେହିପରି ୫ ତାରିଖ ସକାଳ ୭ଟା ୫୫ ମିନିଟରେ ରାଇରଙ୍ଗପୁର ବାସଭବନ ଓ ୮ଟା ୪୦ରେ ଦାଣ୍ଡବୋଷରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମମାଟିରେ ଜନ୍ମବାର୍ଷିକୀ ଉପଲକ୍ଷେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ସେଠାରୁ ୯ଟା ୧୫ରେ ହେଲିକପ୍ଟରରେ ଯଶିପୁରରେ ପହଞ୍ଚିବେ । ସ୍ବତନ୍ତ୍ର ଗାଡିରେ ସଡକ ପଥରେ ଶିମିଳିପାଳ ଭିତରକୁ ବୁଲିବାକୁ ଯିବେ । ଅପରାହ୍ନ ୪ଟା ୩୦ରେ ଯଶିପୁର ହେଲିପ୍ୟାଡରୁ ବାରିପଦା ଅଭିମୁଖେ ଯାତ୍ରା କରିବେ । ବାରିପଦାରେ ସନ୍ଧ୍ୟା ୬ରୁ ୭ ପର୍ଯ୍ୟନ୍ତ ଅଞ୍ଚଳବାସୀଙ୍କ ସହ ଆଲୋଚନା କରିବେ ।

୬ ତାରିଖ ସକାଳ ୯ଟା ୪୦ରେ ବାରିପଦା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟରେ ପହଞ୍ଚି ମହାରାଜାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ପରେ ପିଜିଟିଜିଏସଙ୍କ ସହିତ ଆଲୋଚନା କରି ୧୧ଟା ୧୫ରୁ ୧୨ଟା ୧୫ ପର୍ଯ୍ୟନ୍ତ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଯୋଗ ଦେବେ । ସମସ୍ତ କାର୍ଯ୍ୟକ୍ରମ ସାରି ମହାମହିମ ବାରିପଦା ହେଲିପ୍ୟାଡରୁ କୋଲେଇକୁଣ୍ଡା ଯିବେ ଓ ସେଠାରୁ ଦିଲ୍ଲୀ ଫେରିଯିବେ ।

ରାଷ୍ଟ୍ରପତିଙ୍କ ଗସ୍ତକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଭାରତୀୟ ବାୟୁସେନା ବିମାନରେ ବରିଷ୍ଠ ଅଧିକାରୀମାନେ ବିଭିନ୍ନ କ୍ଷେତ୍ର ପରିଦର୍ଶନ କରି ସମୀକ୍ଷା କରିଛନ୍ତି । ପୂର୍ବାଞ୍ଚଳ ଆଇଜି ରାଇରଙ୍ଗପୁରରକୁ ଯାଇ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି । ସୁରକ୍ଷା ଦୃଷ୍ଟିରୁ ୫୦ ପ୍ଲାଟୁନ ଫୋର୍ସ, ୪୦୦ରୁ ଅଧିକ ପୋଲିସ ଅଧିକାରୀ ସୁରକ୍ଷା ଦାୟିତ୍ବରେ ନିୟୋଜିତ ହେବେ । ବ୍ଲୁ ବୁକ ଅନୁସାରେ ସମସ୍ତ ସୁରକ୍ଷା ନିୟମ ପାଳନ କରାଯାଉଛି । ରାଷ୍ଟ୍ରପତି ଶିମିଳିପାଳ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ଥିବାରୁ ଦୁଇଦିନ ପର୍ଯ୍ୟନ୍ତ ଅଭୟାରଣ୍ୟକୁ ବନ୍ଦ କରିଦିଆଯାଇଛି ।

Related Posts