ଝାରସୁଗୁଡ଼ାରେ ହାଇଭୋଲ୍ଟେଜ୍ ପ୍ରଚାର; ୭ରେ ମଇଦାନକୁ ଓହ୍ଲାଇବେ ନବୀନ ଓ ଧର୍ମେନ୍ଦ୍ର

ଭୁବନେଶ୍ୱର,୪/୫(ସତ୍ୟପାଠ ବ୍ୟୁରୋ): ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଦିନ ଯେତିକି ପାଖେଇ ଆସୁଛି। ସେତିକି ସେତିକି ସରଗରମ ହେବାରେ ଲାଗିଛି ନିର୍ବାଚନୀ ମଇଦାନ। ଆସନ୍ତା ୧୦ ତାରିଖରେ ଏଠାରେ ଭୋଟ ପଡ଼ିବାକୁ ଯାଉଥିବାବେଳେ ପ୍ରଚାରର ଶେଷ ଭାଗକୁ ଦେଖିବାକୁ ମିଳିପାରେ ହାଇଭୋଲ୍ଟେଜ୍ ଲଢେଇ। ଆସନ୍ତା ୭ ତାରିଖରେ ପ୍ରଚାର ମଇଦାନକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ପାଇଁ ପ୍ରଚାର କରିବେ ଧର୍ମେନ୍ଦ୍ର । ବିଜେପି ନିଜର ଷ୍ଟାର ପ୍ରଚାରକ ତାଲିକାରେ ଧର୍ମେନ୍ଦ୍ରଙ୍କୁ ସାମିଲ କରିଥିଲା । ତେଣୁ ଭୋଟଗ୍ରହଣର ୨ ଦିନ ପୂର୍ବରୁ ପ୍ରଚାର ମୈଦାନକୁ ଓହ୍ଲାଇବେ ଧର୍ମେନ୍ଦ୍ର । ଝାରସୁଗୁଡା ଉପ-ନିର୍ବାଚନ ପାଇଁ ବିଜେପି ଷ୍ଟାର ପ୍ରଚାରକ ତାଲିକାରେ ୩ ଜଣ କେନ୍ଦ୍ରମନ୍ତ୍ରୀଙ୍କ ନାଁ ସାମିଲ କରିଥିଲା । ତେବେ ଧର୍ମେନ୍ଦ୍ର ୭ ତାରିଖରେ ପ୍ରଚାର କରିବାକୁ ଥିବା ବେଳେ ଅନ୍ୟ ୨ କେନ୍ଦ୍ରମନ୍ତ୍ରୀ କେବେ ଟଙ୍କଧରଙ୍କ ପାଇଁ ପ୍ରଚାର କରିବେ ସେନେଇ ସୂଚନା ମିଳିନାହିଁ ।

ଗୋଟିଏ ପଟେ ଟଙ୍କଧରଙ୍କ ପାଇଁ ଧର୍ମେନ୍ଦ୍ର ୭ ତାରିଖରେ ପ୍ରଚାର କରିବାକୁ ଯାଉଥିବା ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ପାଇଁ ସେହି ସମାନ ଦିନ ପ୍ରଚାର ମୈଦାନକୁ ଓହ୍ଲାଇପାରନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ଦୀପାଳିଙ୍କ ପାଇଁ ନିର୍ବାଚନୀ ସଭା କରିବା ସହ ଭୋଟ ପାଇଁ ଅପିଲ କରିପାରନ୍ତି। ତେବେ ଏନେଇ ଦଳ ପକ୍ଷରୁ ବିଧିବଦ୍ଧ ସୂଚନା ମିଳିନାହିଁ।

ବର୍ତ୍ତମାନ ବିଭିନ୍ନ ଦଳର ପ୍ରଚାରରେ ଝାରସୁଗୁଡ଼ା କମ୍ପୁଥିଲା ବେଳେ ଆସନ୍ତା ୭ ତାରିଖରେ ଏହି ଦୁଇ ନେତାଙ୍କ ପ୍ରଚାର ଖବର ଏବେ ରାଜନୈତିକ ମାହୋଲକୁ ଆହୁରି ସରଗରମ କରିଛି ।

Related Posts