ଗୋପ ବ୍ଲକ୍‌ ୧୧ ନମ୍ବର ଜୋନ୍‌ ଜିଲ୍ଲାପରିଷଦ ଉପନିର୍ବାଚନ; ବିଜେଡି ଗଡରେ ବାଜି ମାରିନେଲା ବିଜେପି

ଭୁବନେଶ୍ୱର,୫/୫(ସତ୍ୟପାଠ ବ୍ୟୁରୋ): ବିଜେଡି ଗଡରେ ଶାସକ ଦଳକୁ ଜୋରଦାର ଝଟକା । ପୁରୀ ଜିଲ୍ଲା ୧୧ ନମ୍ବର ଜୋନ ଜିଲା ପରିଷଦ ଉପନିର୍ବାଚନରେ ବାଜି ମାରିନେଲା ବିଜେପି । ମନ୍ତ୍ରୀ ସମୀର ଦାଶଙ୍କ ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀଙ୍କ ବିଜୟ ମନ୍ତ୍ରୀ ସମୀର ଦାଶଙ୍କ ପାଇଁ ଏକ ବଡ ଝଟକା ସଦୃଶ ହୋଇଛି । ଅନୁଷ୍ଠିତ ହୋଇଥିବା ଉପନିର୍ବାଚନରେ ବିଜେଡ଼ି ପ୍ରାର୍ଥୀ ଭାଗୀରଥି ସେନାପତିଙ୍କୁ ବିଜେପି ପ୍ରାର୍ଥୀ ପ୍ରମୋଦ ରାୟ ୧୭୬ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି । ବିଜେପି ପ୍ରାର୍ଥୀ ପ୍ରମୋଦ ରାୟ ୧୧ ହଜାର ୨୪୦ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜେଡିର ଭାଗୀରଥି ସେନାପତି ୧୧ ହଜାର ୬୪ଟି ଭୋଟ ପାଇଛନ୍ତି ।

ତେବେ ଝାରସୁଗୁଡ଼ା ଉପ ନିର୍ବାଚନ ପୂର୍ବରୁ ବିଜେଡ଼ିଗଡରେ ବିଜେପି ପ୍ରାର୍ଥୀଙ୍କ ବିଜୟ ବିରୋଧୀ ବିଜେପିକୁ ଉତ୍ସାହିତ କରିଛି । ଶାସକ ଦଳର ଅନ୍ୟାୟ, ଅନୀତି, ଗୁଣ୍ଡାରାଜ ବିରୋଧରେ ଲୋକ ଅତିଷ୍ଠ ହୋଇ ଏହି ଜବାବ ଦେଇ ଥିବା ପୁରୀର ବରିଷ୍ଠ ବିଜେପି ନେତା କହିଛନ୍ତି । ସୂଚନା ଥାଉକି, ପୂର୍ବତନ ଜିଲ୍ଲା ପରିଷଦ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ବିଜେପି ଆନ୍ଦୋଳନ କରିଥିଲା । ଘଟଣାରେ ମନ୍ତ୍ରୀ ସମୀର ଦାଶଙ୍କ ସଂପୃକ୍ତି ଥିବା ଅଭିଯୋଗ ନେଇ ବିଜେପି ଆନ୍ଦୋଳନକୁ ଓହ୍ଲାଇଥିଲା । ମନ୍ତ୍ରୀ ସମୀର ଦାଶଙ୍କ ଇସ୍ତଫା ଦାବି କରିଥିଲା ବିଜେପି । ଏପରିକି ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁରେ ମନ୍ତ୍ରୀ ସମୀର ଦାସଙ୍କୁ ଦାୟୀ କରି ସମଗ୍ର ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା । ଏବେ ଉପନିର୍ବାଚନରେ ବିଜେଡିକୁ ଭୋଟରମାନେ ଉପଯୁକ୍ତ ଜବାବ ଦେଇଥିବା କହିଛି ବିଜେପି ।

ସୂଚନାଯୋଗ୍ୟ ଯେ, ପୁରୀ ଜିଲ୍ଲ ନିମାପଡ଼ା ନିର୍ବାଚନମଣ୍ଡଳୀର ଗୋପ ବ୍ଲକ ଅନ୍ତର୍ଗତ ୧୧ ନମ୍ବର ଜୋନର ଜିଲ୍ଲା ପରିଷଦ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ଘଟଣା ପରେ ଉପନିର୍ବାଚନ ହୋଇଥିଲା । ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ପୂର୍ବରୁ ଏକ ଅଡିଓ ରେକର୍ଡରେ ମନ୍ତ୍ରୀ ସମୀର ଦାଶଙ୍କୁ ତାଙ୍କ ମୃତ୍ୟୁ ପାଇଁ ଦାୟୀ କରିବା ସହ ତାଙ୍କ ପତ୍ନୀଙ୍କୁ ବ୍ଲାକମେଲ କରାଯାଉଥିବା ଅଭିଯୋଗ କରିଥିଲେ । ଘଟଣାକୁ ନେଇ ସେତେବେଳେ ତୁମ୍ବିତୋଫାନ ହୋଇଥିଲା । ବିଜେପି ଜୋରଦାର ଆନ୍ଦୋଳନ କରିଥିଲା । କମିଶନରେଟ ପୋଲିସରେ ଏନେଇ ମାମଲା ରୁଜୁ ହୋଇଥିଲେ ମଧ୍ୟ ପୋଲିସର ତଦନ୍ତକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା । ଫଳରେ ଏହି ଆତ୍ମହତ୍ୟା ଜନିତ ମୃତ୍ୟୁ ଘଟଣା ଏବେବି ରହସ୍ୟ ହୋଇରହିଛି । ସେପଟେ ବିଜେଡି ଗଡରେ ପଦ୍ମ ଫୁଟିବାକୁ ନେଇ କର୍ମୀ ଉତ୍ସାହିତ ହୋଇଛନ୍ତି।

Related Posts