ଭୁବନେଶ୍ୱର,୫/୫(ସତ୍ୟପାଠ ବ୍ୟୁରୋ): କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଏବେ ଚାଲିଛି ଜୋରଦାର ପ୍ରଚାର । ପ୍ରଚାରରେ ପରସ୍ପରକୁ ଆରୋପ ପ୍ରତ୍ୟାରୋପ ଜାରି ରହିଥିବାବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସକୁ ଜୋରଦାର ଟାର୍ଗେଟ କରିଛନ୍ତି। କଂଗ୍ରେସ ଭୋଟ ବ୍ୟାଙ୍କ ପାଇଁ ଆତଙ୍କବାଦ ଆଗରେ ମୁଣ୍ଡ ନୁଆଁଇ ଦେଇଛି ବୋଲି ସେ ଅଭିଯୋଗ କରିଛନ୍ତି। ଏଥିସହ କର୍ଣ୍ଣାଟକାର ବେଲ୍ଲାରିରେ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ମୋଦି ବିବାଦୀୟ ଫିଲ୍ମ ‘ଦି କେରଳ ଷ୍ଟୋରୀ’ କଥା କହିଛନ୍ତି।
ବିବାଦୀୟ ଫିଲ୍ମ ‘ଦି କେରଳ ଷ୍ଟୋରୀ’ ଆତଙ୍କୀ ଷ୍ଟଡ଼ଯନ୍ତ୍ର ଉପରେ ପର୍ଯ୍ୟବେସିତ ହୋଇଥିବା ବେଳେ କଂଗ୍ରେସ ଏହାକୁ ବିରୋଧ କରୁଥିବା ମୋଦି କହିଛନ୍ତି। ଆତଙ୍କବାଦକୁ ସମର୍ଥନ କରୁଥିବା ଉପାଦନକୁ ଯର୍ଥାଥ ବୋଲି ପ୍ରମାଣ କରିବା ପାଇଁ କଂଗ୍ରେସ ଫିଲ୍ମକୁ ବ୍ୟାନ କରିବାକୁ ଚାହୁଁଥିବା ମୋଦି କହିଛନ୍ତି।
ମୋଦି ଜନସଭାକୁ ସମ୍ବୋଧନ କରି କହିଛନ୍ତି ଯେ, ବୋମା, ବନ୍ଧୁକ ଓ ପିସ୍ତଲ ବହୁତ ଜୋରରେ ଶବ୍ଦ କରିଥାଏ। କିନ୍ତୁ ଆତଙ୍କବାଦୀ ଷଡ଼ଯନ୍ତ୍ରର କୌଣସି ଶବ୍ଦ ନାହିଁ। ଏହା ପୂରା ସମାଜକୁ ଭିତରେ ଭିତରେ ଖୋଳ କରିଦିଏ। ଆତଙ୍କବାଦର ଏପରି ରୂପକୁ ନେଇ କୋର୍ଟ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି। ବର୍ତ୍ତମାନ ଦି କେରଳ ଷ୍ଟୋରୀକୁ ନେଇ ବେଶ ଆଲୋଚନା ହେଉଛି। ଏହା ଆତଙ୍କବାଦୀ ଷଡ଼ଯନ୍ତ୍ର ଉପରେ ପର୍ଯ୍ୟବେସିତ। ଆତଙ୍କବାଦ ଉପରେ ପ୍ରସ୍ତୁତ ସିନେମାକୁ କଂଗ୍ରେସ ବିରୋଧ କରୁଛି। କଂଗ୍ରେସ ଆତଙ୍କ ଆଭିମୁଖ୍ୟ ସହ ରହିଛି ବୋଲି ମୋଦି କହିଛନ୍ତି।
ସେହିପରି କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସର ବିଜୟୀ ହେବା ନେଇ ବିଭିନ୍ନ ସର୍ଭେରୁ ସାମ୍ନାକୁ ଆସିବା ଘଟଣାକୁ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ଅଗ୍ରାହ୍ୟ କରିଛନ୍ତି। ଏହାକୁ ସେ ଭୁଲ ସୂଚନା ଓ କଂଗ୍ରେସର ଗୋଟିଏ ଅପପ୍ରଚାର ବୋଲି କହିଛନ୍ତି।
ମୋଦି କହିଛନ୍ତି, ସ୍ୱାଧୀନତା ପରେ କଂଗ୍ରେସ ଦୁର୍ନୀତି ଦ୍ୱାରା ଦେଶର ଲୋକଙ୍କୁ ଲୁଟିବାରେ ଲାଗିଥିଲା। ବର୍ତ୍ତମାନେ ସେମାନେ ଆଉ ଗୋଟିଏ ଶୈଳୀ ଆପଣାଇଛନ୍ତି। ସେମାନେ ଭୁଲ ସୂଚନାକୁ ବ୍ୟବହାର କରୁଛନ୍ତି ଓ ଲୋକଙ୍କୁ ବୋକା ବନାଇ ନିର୍ବାଚନ ଜିତିବାକୁ ଚାହୁଁଛନ୍ତି। କଂଗ୍ରେସ ଆପାୟତ କରିବା ପାଇଁ ଯେକୌଣସି ସ୍ତରକୁ ଯାଇପାରେ।ବିଜେପି ପାଉଥିବା ସମର୍ଥନକୁ ଦେଖି କଂଗ୍ରେସ ଥରିବା ଆରମ୍ଭ କରିଛି। ଯଦି ମୁଁ ଜୟ ବଜରଙ୍ଗବାଲି ବୋଲି କହୁଛି, ତା’ହେଲେ ମଧ୍ୟ ସେମାନେ ଭୟଭୀତ ହେଉଛନ୍ତି। ବିଜେପି ସବୁବେଳେ ଆତଙ୍କବାଦ ବିରୋଧରେ ରହିଛି। କିନ୍ତୁ ଯେତେବେଳେ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ସେତେବେଳେ କଂଗ୍ରେସର ବିରୋଧ ଆରମ୍ଭ ହେଉଛି ବୋଲି ମୋଦି କହିଛନ୍ତି।
ସେ ଆହୁରି କହିଛନ୍ତି, ଆଜିର ଦିନରେ ସମଗ୍ର ବିଶ୍ୱ ଆତଙ୍କବାଦକୁ ନେଇ ବ୍ୟସ୍ତ ଓ ଚିନ୍ତିତ। ଆମେ ଏହା ଦ୍ୱାରା ବେଶ ପ୍ରଭାବିତ। ଆତଙ୍କବାଦ ହେଉଛି ଲୋକ ବିରୋଧୀ। କିନ୍ତୁ ନିଜର ଭୋଟ ବ୍ୟାଙ୍କକୁ ସୁରକ୍ଷିତ ରଖିବା ପାଇଁ କଂଗ୍ରେସ ଆତଙ୍କବାଦ ପାଖରେ ମୁଣ୍ଡ ନୁଆଁଇ ଦେଉଛି। କ’ଣ ଏହି ଦଳ କର୍ଣ୍ଣାଟକାକୁ ସୁରକ୍ଷା ଦେଇପାରିବ କି? ବୋଲି ମୋଦି ପ୍ରଶ୍ନ କରିଛନ୍ତି।
ସୂଚନାଯୋଗ୍ୟ, ବିବାଦୀୟ ଚଳଚ୍ଚିତ୍ର ‘ଦି କେରଳ ଷ୍ଟୋରୀ’ ଆଜି ରିଲିଜ୍ ହୋଇଛି। ତେବେ ଟିଜର ଆସିବା ଦିନରୁ ବିବାଦରେ ଥିବା ଏହି ଫିଲ୍ମ ପ୍ରସଙ୍ଗ ଏବେ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ମଧ୍ୟ ଉଠିଛି।





