ଭୁବନେଶ୍ୱର,୫/୫(ସତ୍ୟପାଠ ବ୍ୟୁରୋ): ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ର ଅଧ୍ୟକ୍ଷ ପଦରୁ ଦେଇଥିବା ଇସ୍ତଫା ପତ୍ରକୁ ଫେରାଇ ନେଲେ ବରିଷ୍ଠ ରାଜନେତା ଶରଦ ପାୱାର । ଆଜି ଏନସିପି କୋର କମିଟି ବୈଠକରେ ତାଙ୍କର ଇସ୍ତଫା ନାମଞ୍ଜୁର ପରେ ସେ ନିଜ ନିଷ୍ପତ୍ତି ସମ୍ପର୍କରେ ଆଉ ଥରେ ବିଚାର କରିବାକୁ ସମୟ ନେଇଥିଲେ । ତେବେ ଶେଷରେ ନିଜ ଇସ୍ତଫା ପତ୍ରକୁ ଫେରାଇ ନେଇଛନ୍ତି ପାୱାର । ଗତ ୨ ତାରିଖରେ ଶରଦ ପାୱାର ଏନସିପି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । ତେବେ ଆଜି ଇସ୍ତଫା ପତ୍ର ଫେରାଇ ନେଇଥିବାବେଳେ ସେ ନିଜ ଅଧ୍ୟକ୍ଷ ପଦ ବଜାୟ ରଖିବେ ବୋଲି ସ୍ପଷ୍ଟ ହୋଇଛି।
ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏ ସଂପର୍କରେ ଘୋଷଣା କରି ଶ୍ରୀ ପାୱାର କହିଛନ୍ତି, ମୁଁ ମୋ ନିଷ୍ପତ୍ତି ଶୁଣାଇବା ପରେ ଦଳର କର୍ମୀ ଓ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ମୋ ଉପଦେଷ୍ଟାମାନେ ମୋତେ କହିଥିଲେ ଯେ ମୁଁ ଏହି ନିଷ୍ପତ୍ତି ଉପରେ ପୁଣି ଥରେ ବିଚାର କରିବା ଉଚିତ୍। ମୋ ସମର୍ଥକ, ମହାରାଷ୍ଟ୍ର ଓ ଦେଶର ଅନେକ ରାଜନେତା ମଧ୍ୟ ମୋତେ ନିଷ୍ପତ୍ତି ପ୍ରତ୍ୟାହାର କରି ନେବା ପାଇଁ ଅନୁରୋଧ କରିଥିଲେ। ସମସ୍ତଙ୍କ ଅନୁରୋଧକୁ ବିଚାରକୁ ନେଇ ମୁଁ ମୋ ପୂର୍ବ ନିଷ୍ପତ୍ତିରୁ ଓହରି ଯାଇଛି। ମୁଁ ଘୋଷଣା କରୁଛି ଯେ ମୁଁ ଦଳର ସଭାପତି ଭାବେ କାର୍ଯ୍ୟ ଜାରି ରଖିବି ବୋଲି ସେ କହିଛନ୍ତି।
ତେବେ ଗତ ୨ ତାରିଖରେ ସେ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ଏହାକୁ ଦଳୀୟ ନେତାମାନେ ବିରୋଧ କରିଥିଲେ । ଶରଦ ନିଜ ଇସ୍ତଫାକୁ ଫେରାଇ ନିଅନ୍ତୁ ବୋଲି ଦଳୀୟ କର୍ମୀମାନେ ଦାବି କରିଥିଲେ । ଏହାପରେ ଶରଦ ନିଜ ନିଷ୍ପତ୍ତି ଉପରେ ବିଚାର କରିବେ ବୋଲି ଦଳୀୟ କର୍ମୀମାନଙ୍କୁ ସମୟ ମାଗିଥିଲେ । ସେପଟେ ଆଜି ଏନସିପି କୋର କମିଟି ଏକ ପ୍ରସ୍ତାବ ଆଣି ତାଙ୍କର ଇସ୍ତଫାକୁ ଅଗ୍ରାହ୍ୟ କରିଥିଲା । ଏହାସହ ନିଜ ପଦ ବଜାୟ ରଖିବାକୁ କମିଟି ତାଙ୍କୁ ନିବେଦନ କରିଥିଲା ।
ଅନ୍ୟପଟେ ଶରଦ ପାୱାରଙ୍କ ଉତ୍ତରାଧିକାରୀ ବାଛିବା ପାଇଁ ଆଜି ମୁମ୍ବାଇ ସ୍ଥିତ ଦଳୀୟ କାର୍ଯ୍ୟାଳୟରେ କୋର କମିଟି ବୈଠକ ବସିଥିଲା । ପାୱାରଙ୍କୁ ଅଧ୍ୟକ୍ଷ ପଦ ଜାରି ରଖିବାକୁ ଏନସିପି ଉପାଧ୍ୟକ୍ଷ ପ୍ରଫୁଲ୍ଲ ପଟେଲ ବୈଠକରେ ପ୍ରସ୍ତାବ ରଖିଥିଲେ । ଶେଷରେ କମିଟି ଏହି ପ୍ରସ୍ତାବକୁ ଗ୍ରହଣ କରି ତାଙ୍କର ଇସ୍ତଫା ନାମଞ୍ଜୁର କରିଥିଲା । ଏନସିପି କୋର କମିଟିରେ ଅଜିତ ପାୱାର, ପ୍ରଫୁଲ୍ଲ ପଟେଲ, ସୁପ୍ରିୟା ସୁଲେ ଏବଂ ଭୁଜବଳ ପ୍ରମୁଖ ସଦସ୍ୟ ରହିଛନ୍ତି ।
ସୂଚନାଯୋଗ୍ୟ ଯେ, ୧୯୯୯ ମସିହାରେ ଶରଦ ପାୱାର ଏନସିପି ଗଠନ କରିଥିଲେ । ଦୀର୍ଘ ୨୪ ବର୍ଷ ହେବ ସେ ଏନସିପି ଅଧ୍ୟକ୍ଷ ରହିଥିଲେ । କିନ୍ତୁ ଗତ ମଙ୍ଗଳବାର ଦିନ ହଠାତ ପାୱାର ଅଧ୍ୟକ୍ଷ ପଦରୁ ଇସ୍ତଫା ଘୋଷଣା କରିଥିଲେ । ଦଳକୁ ନୂଆ ନେତୃତ୍ବର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ । ତାଙ୍କର ଇସ୍ତଫା ପରେ କିଏ ନୂଆ ଅଧ୍ୟକ୍ଷ ହେବ ସେନେଇ ଆଲୋଚନା ପର୍ଯ୍ୟାଲୋଚନା ଚାଲି ଥିବାବେଳେ ଶରଦ ପାୱାରଙ୍କ ଇସ୍ତଫାକୁ ଦଳୀୟ କର୍ମୀ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।





