ଭୁବନେଶ୍ୱର,୬/୫(ସତ୍ୟପାଠ ବ୍ୟୁରୋ): ସମ୍ବଲପୁରରେ ହିଂସା ପରେ ବିଜେପିର ସାଂସଦମାନେ ପୀଡ଼ିତ ପରିବାରକୁ ଭେଟିବାକୁ ଯିବାବେଳେ ପ୍ରଶାସନ ଅଟକାଇବା ଓ ଗିରଫ କରିବା ମାମଲାରେ ହସ୍ତକ୍ଷେପ କରିଛନ୍ତି କେନ୍ଦ୍ର ସରକାର । ବିଜେପି ସାଂସଦଙ୍କ ଅଭିଯୋଗ କ୍ରମେ କାର୍ମିକ, ପେନସନ୍ ଏବଂ ଜନ ଅଭିଯୋଗ ମନ୍ତ୍ରାଳୟ ରାଜ୍ୟ ସରକାରଙ୍କୁ ଏନେଇ ୧୫ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କହିଥିବା କହିଛନ୍ତି ସାଂସଦ ସୁରେଶ ପୂଜାରୀ ।
ସେ କହିଛନ୍ତି, ଗତ ଏପ୍ରିଲ ୧୨ ଓ ୧୪ ରେ ସମ୍ବଲପୁରଠାରେ ଘଟି ଯାଇଥିବା ହିଂସାକାଣ୍ଡ ଏବଂ ରାଷ୍ଟ୍ରବିରୋଧୀ ସ୍ଲୋଗାନ ପ୍ରସଙ୍ଗରେ ସମସ୍ତେ ଅବଗତ ଅଛନ୍ତି । ଏହି ଘଟଣାରେ ଜଣେ ଆଦିବାସୀ ଯୁବକର ହତ୍ୟା ହୋଇଥିଲା, ଯାହାକୁ ଚପେଇ ଦେବା ପାଇଁ ପ୍ରୟାସ କରାଯାଇଥିଲା । ଇଣ୍ଟରନେଟ ସେବା ମଧ୍ୟ ସ୍ଥଗିତ ରଖାଯାଇଥିଲା ଏବଂ କର୍ଫ୍ୟୂ ଲାଗୁ କରାଯାଇଥିବା କାରଣରୁ ସାଧାରଣ ଜୀବନଯାପନ ଆହୁରି କଷ୍ଟଦାୟକ ପଡିଥିଲା । ହିଂସାକାଣ୍ଡର ଶିକାର ହୋଇ ଗୁରୁତର ଆହତ ଲୋକମାନେ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ ।
ମୃତକ ପରିବାର ଓ ଆହତ ହୋଇ ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କୁ ଭେଟିବା ସହିତ ଜିଲ୍ଲା ପ୍ରଶାସନ ଏବଂ ଆରଡିସିଙ୍କ ସହ କଥା ହୋଇ ଘଟଣା ସଂପର୍କରେ ଅବଗତ ହେବାକୁ ଏପ୍ରିଲ ୧୮ ତାରିଖ ଦିନ ବିଜେପି ସଂସଦୀୟ ପ୍ରତିନିଧି ଦଳ ସମ୍ବଲପୁର ଗସ୍ତ କରିବେ ବୋଲି ନିଷ୍ପତ୍ତି ହୋଇଥିଲା । ମାତ୍ର ଏହି ଅନୁମତିକୁ ହଠାତ୍ ବାତିଲ କରିଦିଆଯାଇଥିଲା ।
ବିନା କୌଣସି ନିର୍ଦ୍ଦେଶାନାମାରେ ସାଂସଦ ସୁରେଶ ପୁଜାରୀଙ୍କୁ ତାଙ୍କ ସମ୍ବଲପୁରସ୍ଥିତ ବାସଭନରେ ୧୮ ତାରିଖ ସକାଳ ୬ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ଗୃହବନ୍ଦୀ କରି ରଖିଥିଲେ ସ୍ଥାନୀୟ ପୋଲିସ ପ୍ରଶାସନ । ସେହିପରି ପ୍ରତିନିଧି ଦଳରେ ସାମିଲ ହୋଇ ଆସୁଥିବା କେନ୍ଦ୍ରମନ୍ତ୍ରୀ ବିଶ୍ୱେଶର ଟୁଡୁ, ସାଂସଦ ସୁରେଶ ପୁଜାରୀ, ଜୁଏଲ ଓରାମ ଏବଂ ବସନ୍ତ ପଣ୍ଡାଙ୍କୁ ମଧ୍ୟ ଝାରସୁଗୁଡା-ସମ୍ବଲପୁର ଜିଲ୍ଲାର ସୀମାନ୍ତବର୍ତ୍ତୀ ଠେଲକୋଇଲି ଥାନାଠାରେ ଅଟକ ରଖାଯାଇଥିଲା ।
କର୍ଫ୍ୟୁ କୋହଳ ସମୟରେ ସମ୍ବଲପୁରରେ ପ୍ରବେଶ କରାଇ ନଦେବା ଏବଂ ରାତି ୮ଟା ପର୍ଯ୍ୟନ୍ତ ଥାନାରେ ଅଟକ ରଖାଯିବାର କାରଣ ସଂପର୍କରେ ପଚରାଯିବାରୁ ଉପସ୍ଥିତ ପୋଲିସ ପ୍ରଶାସନଙ୍କଠାରୁ କୈାଣସି ଉତର ମିଳିନଥିଲା କି ଜିଲ୍ଲାପାଳ କିମ୍ବା କୈାଣସି ଅଧିକାରୀଙ୍କ ଲିଖିତ ଆଦେଶ ଦେଖିବାକୁ ମିଳିନଥିଲା । କର୍ଫ୍ୟୂ କୋହଳ ସମୟରେ ବିନା କୈାଣସି ଆଦେଶନାମାରେ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ ଅଟକ ରଖିିବା ସେମାନଙ୍କ ଅଧିକାର ହନନ ଓ ପ୍ରତ୍ୟକ୍ଷରେ ସ୍ୱାଧୀକାର ଭଙ୍ଗ । ସାଂସଦମାନଙ୍କୁ ବିନା କୈାଣସି କାରଣରେ ପୋଲିସ ଦ୍ୱାରା ଅଟକ ରଖାଯାଇ ତାଙ୍କ ବିଶେଷ ଅଧିକାରକୁ ଭଙ୍ଗ କରାଯାଇଥିଲା ।
ଏହି ପ୍ରସଙ୍ଗରେ ଗତ ୨୫ ତାରିଖ ଦିନ ବ୍ୟକ୍ତିଗତ ଭାବେ ସୁରେଶ ପୁଜାରୀ ଏବଂ ୨୭ ତାରିଖ ଦିନ ମିଳିତ ଭାବେ ସୁରେଶ ପୁଜାରୀ, ଜୁଏଲ ଓରାମ ଏବଂ ବସନ୍ତ ପଣ୍ଡା ସ୍ୱାଧିକାର ଭଙ୍ଗ ହୋଇଥିବା ଦର୍ଶାଇ ଲୋକସଭା ବାଚସ୍ପତିଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗରେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଏବଂ ଜିଲ୍ଲା ଏସପି ବି.ଗଙ୍ଗାଧର ତଥା ଅନ୍ୟ ଜିଲ୍ଲା ଅଧିକାରୀଙ୍କ ବିରୋଧରେ ଅଭିଯୋଗ କରାଯାଇଥିଲା ବୋଲି ନିଜେ ସାଂସଦ ସୁରେଶ ପୁଜାରୀ ଆଜି ଝାରସୁଗୁଡାଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
ଅଭିଯୋଗ ପାଇବା ପରେ ଲୋକସଭା ସଚିବାଳୟ ତରଫରୁ ଏହାର ସତ୍ୟାସତ୍ୟ ଜାଣିବା ପାଇଁ ସଂସଦର ସ୍ୱାଧୀକାର ଓ ନୈତିକତା (ପ୍ରିଭିଲେଜ ଓ ଏଥିକ୍ସ) କମିଟି କେନ୍ଦ୍ର ସରକାରଙ୍କ କାର୍ମିକ, ପେନସନ୍ ଏବଂ ଜନ ଅଭିଯୋଗ ମନ୍ତ୍ରାଳୟ (ଡିଓପିଟି)ର ମନ୍ତ୍ରୀ ଓ ସଚିବଙ୍କୁ ଚିଠି ଦେଇଛନ୍ତି ।
ବିଜେପିର ସାଂସଦମାନଙ୍କୁ ଗତିରୋଧ କରିବା ଏବଂ ସଂସଦୀୟ କାର୍ଯ୍ୟ କରିବାରେ ବିରୋଧ କରିବାର କାରଣର ପୂର୍ଣ୍ଣାଙ୍ଗ ରିପୋର୍ଟ ଆସନ୍ତା ୧୫ ଦିନ ଭିତରେ ରାଜ୍ୟ ସରକାରଙ୍କଠାରୁ ସଂଗ୍ରହ କରି ଡିଓପିଟି ମନ୍ତ୍ରାଳୟ ସଂସଦୀୟ ସଚିବାଳୟକୁ ପ୍ରଦାନ କରିବେ ଏବଂ ଏହା ପରେ ସଂସଦୀୟ ସଚିବାଳୟ ଉକ୍ତ ରିପୋର୍ଟ ସହ ଅଭିଯୋଗକୁ ସଂକଳିତ କରି ମାନ୍ୟବର ବାଚସ୍ପତି ମହୋଦୟଙ୍କୁ ପ୍ରଦାନ କରିବେ ବୋଲି ଶ୍ରୀ ପୁଜାରୀ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ସାଂସଦ ଜୁଏଲ ଓରାମ ଏବଂ ବସନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।





