ମହାନଦୀ ସଙ୍କଟ ର ସମାଧାନ ଟ୍ରିବୁନାଲର ପରିସର ଭିତରେ ସମ୍ଭବ ନୁହେଁ: ରାଜେନ୍ଦ୍ର ସିଂହ

‘ଓଡ଼ିଶା ଓ ଛତିଶଗଡ଼ ସରକାର ମହାନଦୀ ସଂକଟର ସମାଧାନର ରାସ୍ତା ଖୋଜନ୍ତୁ । ନାଗରିକ ସମାଜ ଏଥି ପାଇଁ ସରକାରଙ୍କ ଉପରେ ଚାପ ସୃଷ୍ଟି କରନ୍ତୁ । ଏଥିପାଇଁ ଆସନ୍ତା ୭ ତାରିଖରେ ଭୁବନେଶ୍ବରରେ ଆଲୋଚନା ସଭା ହେବ । ସେହିପରି ପୁରୀରେ ମଧ୍ୟ ଆସନ୍ତା ୮ ଓ ୯ ତାରିଖରେ ବନ୍ୟା ଓ ମରୁଡି ସଂକ୍ରାନ୍ତରେ ଜାତୀୟ ଜଳ ସମ୍ମିଳନୀ ହେବ ।’

ଭୁବନେଶ୍ୱର,୬/୫(ସତ୍ୟପାଠ ବ୍ୟୁରୋ): ମହାନଦୀ ଆଜି ଚରମ ସଙ୍କଟ ଭିତରେ ବଞ୍ଚିବାର ରାହା ଖୋଜୁଛି । ଅଣ ମୌସୁମୀ ସମୟରେ ମହାନଦୀ ଶଯ୍ୟା ଶୁଖିଲା ପଡୁଛି ।ମହାନଦୀ କୂଳରେ ଥିବା ଅନେକ ଗାଁ ଓ ସହରାଞ୍ଚଳରେ ପାଣି ମିଳୁ ନାହିଁ । ଜଳ ସେଚନ ଗଭୀର ଭାବରେ ପ୍ରଭାବିତ ହୋଇଛି । ନଦୀରୁ ମାଛ ମାରି ବଞ୍ଚୁଥିବା ଧୀବର ମାନେ ଜୀବିକା ହରାଇ ସାରିଲେଣି । ବର୍ଷା ଦିନେ ବନ୍ୟା ର କରାଳ ରୂପ ମଧ୍ୟ ଆମେ ଦେଖୁଛୁ । ଏହି ଭଳି ଅବସ୍ଥାରେ ଓଡ଼ିଶା ସରକାର ଓ ଓଡିଶାର ନାଗରିକ ସମାଜ ଓ ରାଜନୈତିକ ଦଳ ମାନେ ଚୁପ୍ ହୋଇ ବସିରହିଲେ ଅବସ୍ଥା ସଙ୍ଗୀନ ହେବ ବୋଲି ଆଜି ଆଜି ଭୁବନେଶ୍ୱର ଠାରେ ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିନୀରେ ଜଳ ମାନବ ଡ.ରାଜେନ୍ଦ୍ର ସିଂହ ଚେତାବନୀ ଦେଇଛନ୍ତି ।

ସେ କହିଛନ୍ତି, ମହାନଦୀର ସମସ୍ୟା ଓ ସଙ୍କଟର ସମାଧାନ ପାଇଁ କେବଳ ଟ୍ରିବୁନାଲ ଉପରେ ନିର୍ଭର କଲେ ଚଳିବ ନାହିଁ । ଦୁଇ ରାଜ୍ୟ ଓଡ଼ିଶା ଓ ଛତିଶଗଡ଼ ଭିତରେ ଆପୋଷ ଆଲୋଚନାର ଦ୍ଵାର ବନ୍ଦ ହେବା ଉଚିତ୍ ନୁହଁ । ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଏଥି ପାଇଁ ପ୍ରୟାସ ଜାରି ରଖିବା ଦରକାର । ଏଥି ପାଇଁ ଦରକାର ପଡିଲେ ମଧ୍ୟସ୍ଥତା କରିବାକୁ ସେ ପ୍ରସ୍ତୁତ ବୋଲି ଡ.ସିଂ ଆଜି କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ରାଜ୍ୟ ସରକାର ଓଡ଼ିଶା ଭିତରେ ମହାନଦୀର ସୁରକ୍ଷା ପାଇଁ ପଦକ୍ଷେପ ନେବା ଜରୁରୀ । ଓଡ଼ିଶା ଭିତରେ ମହାନଦୀ ଅବବାହିକାରେ ଜଳ ସଂରକ୍ଷଣ ପାଇଁ ସରକାରଙ୍କ ପ୍ରୟାସ କାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ମହାନଦୀ ଆଜି ବହୁଳ ଭାବରେ ପ୍ରଦୂଷିତ । ମହାନଦୀ ର ଜମି ଜବର୍ ଦଖଲରେ । ଇଟାଭାଟି, ବାଲି ଓ ମାଟି ମାଫିଆ ମାନଙ୍କ କବଳରେ ଆଜି ମହାନଦୀ ଡହଳ ବିକଳ । ସରକାର ଏ ଦିଗରେ କିଛି ପଦକ୍ଷେପ ନନେବା ଅତ୍ୟନ୍ତ ପରିତାପର ବିଷୟ । ଓଡ଼ିଶାର ରାଜନୀତିକ ଦଳ ମାନେ ସଂକୀର୍ଣ୍ଣ ସ୍ବାର୍ଥ ରୁ ଉପରକୁ ଯାଇ ମହାନଦୀ ର ସୁରକ୍ଷା ପଇଁ ଏକାଠି ହେବାକୁ ସେ ଆହ୍ବାନ ଦେଇଥିଲେ । ନାଗରିକ ସମାଜ ଏଥି ପାଇଁ ଆଗେଇ ଆସିବା ଜରୁରୀ ବୋଲି ସେ କହିଛନ୍ତି । ସେଥିପାଇଁ ଆସନ୍ତା ୭ ତାରିଖରେ ସିୱାଇଏସଡି ଠାରେ ଏକ ଆଲୋଚନା ସଭା ଆୟୋଜିତ ହୋଇଛି । ଏଥିରେ ବିଭିନ୍ନ ରାଜନୈତିକ ଦଳ, ଜନ ଆନ୍ଦୋଳନ, ସାମାଜିକ ଅନୁଷ୍ଠାନର ନେତୃତ୍ୱ ତଥା ବୁଦ୍ଧିଜୀବୀ ମାନଙ୍କୁ ଆମନ୍ତ୍ରଣ କରା ଯାଇଛି । ଅନୁରୂପ ଭାବରେ ପୁରୀ ଠାରେ ବନ୍ୟା ଓ ମରୁଡି ଉପରେ ଜାତୀୟ ଜଳ ସମ୍ମିଳନୀ ମଧ୍ୟ ଆସନ୍ତା ୮ ଓ ୯ ତରିକରେ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି ।

ଆଜିର ଏହି ସାମ୍ବାଦିକ ସମ୍ମିଳନୀ ରେ ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ଶ୍ରୀ ସୁଦର୍ଶନ ଦାସ, ସଂଯୋଜକ ବିଜୟ ପ୍ରଧାନ, ନଦୀ ସୁରକ୍ଷା ସମିତି ର ଆବାହକ ଅଶ୍ଵିନୀ ମହାପାତ୍ର , ଅଶୋକ ପାଇକରାୟ, ସଚି ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Related Posts