ଭୁବନେଶ୍ୱର,୮/୫(ସତ୍ୟପାଠ ବ୍ୟୁରୋ): କୁସ୍ତିଯୋଦ୍ଧାମାନେ ଜନ୍ତରମନ୍ତରରେ ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆର ସଭାପତି ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ପ୍ରତିବାଦ ଜାରି ରଖିଛନ୍ତି। ଏହାରି ଭିତରେ କୁସ୍ତିଯୋଦ୍ଧାଙ୍କୁ ସମର୍ଥନ କରିଛନ୍ତି ତଥାକଥିତ ଚାଷୀ ନେତା ରାକେଶ ଟିକାୟତ। ଆଜି ଜନ୍ତରମନ୍ତର ଆସି ଆନ୍ଦୋଳନରତ କୁସ୍ତିଯୋଦ୍ଧାଙ୍କୁ ଭେଟିବା ପରେ ସେ କୁସ୍ତିଯୋଦ୍ଧାଙ୍କୁ ସମର୍ଥନ କରିବା ସହ କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇଛନ୍ତି ଟିକାୟତ।
ଖାପ ପଞ୍ଚାୟତର ମୁଖ୍ୟ ଟିକାୟତ କହିଛନ୍ତି ଯେ, ଆଜିର ଖାପ ପଞ୍ଚାୟତରେ ନିଷ୍ପତ୍ତି ନିଆଯାଇଛି ଯେ ଆମ ଲୋକମାନେ ପ୍ରତିଦିନ ଏଠାକୁ ଆସିବେ। ଯଦି ସରକାର ୧୫ ଦିନ ମଧ୍ୟରେ ରାଜି ନ ହୁଅନ୍ତି, ତେବେ ଆସନ୍ତା ୨୧ରେ ପୁଣି ଏକ ବୈଠକ ବସିବ। ସେହି ବୈଠକରେ ରଣନୀତି କ’ଣ ହେବ ତାହା ସ୍ଥିର ହେବ।
ବ୍ରିଜ ଭୂଷଣ ଶରଣ ସିଂଙ୍କ ଇସ୍ତଫା ଦେବା ଉଚିତ। ଏହାପରେ ତାଙ୍କୁ ଜେଲରେ ରଖାଯିବା ଉଚିତ। ଆମ ଝିଅଙ୍କୁ ନିର୍ଯାତନା ଦେଇଥିବା ବ୍ୟକ୍ତିକୁ କୋର୍ଟ ଦଣ୍ଡିତ କରିବେ ବୋଲି ସେ ଆଶା ରଖିଛନ୍ତି। ସରକାରଙ୍କୁ ଅଲଟିମେଟମ ବା ଚେତବାନୀ ଦେବାକୁ ଯାଇ ସେ କହିଛନ୍ତି ଯେ ଆମେ ସରକାରଙ୍କୁ ମେ ୨୧ ଯାଏ ସମୟସୀମା ଦେଉଛୁ। ଯଦି ଏହି ସମୟ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନ ଯାଏ, ତେବେ ଆମେ ଏକ ବଡ଼ ନିଷ୍ପତ୍ତି ନେବୁ।
ଟିକାୟତ କହିଛନ୍ତି ଯେ ମେ ୨୧ ପର୍ଯ୍ୟନ୍ତ ଆମ ଖାପର ଲୋକମାନେ ଦିନ ସମୟରେ ଆସିବେ ଏବଂ ଦିନସାରା କୁସ୍ତିଯୋଦ୍ଧାଙ୍କ ସହିତ ରହିବା ପରେ ରାତିରେ ଚାଲିଯିବେ। ଯେଉଁମାନେ ରାତିରେ ରହିବାକୁ ଚାହାଁନ୍ତି ସେମାନେ ମଧ୍ୟ ରହିପାରିବେ। କମିଟି ଦ୍ୱାରା ସ୍ଥିର ହୋଇଥିବା ଆନ୍ଦୋଳନ ଚାଲିବ। ଆମେ ବାହାରୁ ସମର୍ଥନ କରିବୁ। ଯଦି ସରକାର ୨୧ ତାରିଖ ପର୍ଯ୍ୟନ୍ତ କଥାବାର୍ତ୍ତା କରି ସମାଧାନ ନ କରନ୍ତି, ତେବେ ଏହା ପରେ ରଣନୀତି ସ୍ଥିର ହେବ। ସେ କହିଛନ୍ତି ଯେ ଆମେ ସମଗ୍ର ଦେଶରେ ଆନ୍ଦୋଳନ କରିବାକୁ ପ୍ରସ୍ତୁତ। ମେ ୨୧ରେ ୫ ହଜାର କୃଷକ ଜନ୍ତରମନ୍ତରକୁ ଆସିବେ ବୋଲି ସେ ଚେତାବନୀ ଦେଇଛନ୍ତି।





