ଭୁବନେଶ୍ୱର,୮/୫(ସତ୍ୟପାଠ ବ୍ୟୁରୋ): ଦୀର୍ଘ ୨୪ ବର୍ଷ ଧରି କ୍ଷମତାରୁ ଦୂରେଇ ରହିଥିବା ରାଜ୍ୟ କଂଗ୍ରେସ ଏବେ ସବୁଠାରୁ ଖରାପ ସମୟ ଦେଇ ଗତି କରୁଛି। ତୀବ୍ର ଗୋଷ୍ଠୀ କନ୍ଦଳ, ସଂଗଠନରେ ନିଷ୍କ୍ରିୟତା ଯୋଗୁଁ ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ଅତ୍ୟନ୍ତ ଖରାପ ପ୍ରଦର୍ଶନ କରିବା ସହ ମାତ୍ର ୯ଟି ଆସନରେ ସୀମିତ ହୋଇଯାଇଥିଲା। ଏହି ନିର୍ବାଚନରେ କଂଗ୍ରେସ ୩ ନମ୍ବର ସ୍ଥାନକୁ ମଧ୍ୟ ଖସି ଆସିଥିଲା। ଗୋଷ୍ଠୀ କନ୍ଦଳ କଂଗ୍ରେସ ନିମ୍ନଗାମୀ ହେବାର ମୁଖ୍ୟ କାରଣ କୁହାଯାଉଥିବା ବେଳେ ଏବେ ପୁଣି ରାଜ୍ୟ କଂଗ୍ରେସର ନେତୃତ୍ବକୁ ନେଇ ବର୍ଷିଛନ୍ତି ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜିବୀ ବିଶ୍ୱାଳ।
ଆଜି ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ୍ ଦ୍ବାରା ଆୟୋଜିତ ‘ଜାନକୀ-ବସନ୍ତ ଯୋଡ଼ି- ଓଡ଼ିଶା ରାଜନୀତିର ସୁବର୍ଣ୍ଣ ଯୋଗ’ ଶୀର୍ଷକ ଆଲୋଚନା ଚକ୍ରରେ ଭାଗନେଇ ପିସିସି ସଭାପତିଙ୍କୁ ସିଧାସଳଖ ଟାର୍ଗେଟ କରି ବର୍ଷିଛନ୍ତି ଚିରଞ୍ଜିବୀ ବିଶ୍ୱାଳ। କହିଛନ୍ତି ଆମ ଦଳର ରୋଗ ଅଛି ଯିଏ ପିସିସି ସଭାପତି ହେଇଯିବ ସେ କାହାକୁ ପଚାରିବନି। ଯାହା କି ଆମ ଦଳର ବଡ଼ ରୋଗ। କଂଗ୍ରେସ ଦଳରେ ନେତୃତ୍ୱ ସଙ୍କଟ ରହିଛି । ପ୍ରଚାର କେମିତି ଚାଲିଛି କାହାକୁ ଡାକୁଛନ୍ତି, ତାହା ଜଣା ପଡୁନି । ନିର୍ବାଚନ ଲଢ଼ିବା ମନ ବୃତ୍ତି କଂଗ୍ରେସର ନାହିଁ, ଆଉ କଂଗ୍ରେସ କେବଳ ହାରିବା ମାନସିକତା ନେଇ ଲଢୁଛି।
ଚିରଞ୍ଜିବୀ ଆହୁରି କହିଥିଲେ, ୧୯୮୦ ମସିହାରୁ ଆଜି ପର୍ଯ୍ୟନ୍ତ ଓଡ଼ିଶାରେ ଯେଉଁ କଂଗ୍ରେସ ନେତାମାନେ ଦଳ ପାଇଁ ଲଢ଼େଇ କରିଛନ୍ତି, ସେମାନଙ୍କୁ ଏକଜୁଟ୍ କରିବାର ସମୟ ଆସିଛି। ୧୯୭୭ ମସିହାରେ ଜରୁରୀକାଳୀନ ପରିସ୍ଥିତି ପରେ କଂଗ୍ରେସ ଉଭୟ କେନ୍ଦ୍ର ଓ ରାଜ୍ୟରେ ହାରି ଯାଇଥିଲା। ସେହି ସମୟରେ ଶ୍ରୀଯୁକ୍ତ ଜାନକୀବଲ୍ଲଭ ପଟ୍ଟନାୟକ ରାଜ୍ୟର ବହୁ ନିର୍ବାଚନମଣ୍ଡଳୀରେ ବୁଲି ବହୁ ଯୁବକଙ୍କୁ ରାଜନୀତିକୁ ଆଣିଥିଲେ। ଯାହାଫଳରେ ୧୯୮୦ ମସିହାରେ କେନ୍ଦ୍ରରେ ଶ୍ରୀମତୀ ଇନ୍ଦିରା ଗାନ୍ଧି ଓ ଓଡ଼ିଶାରେ ଜାନକୀ ବଲ୍ଲଭ ପଟ୍ଟନାୟକ ନେତୃତ୍ୱରେ କଂଗ୍ରେସ ସରକାର ଆସିଥିଲା। ବହୁ ଯୁବକ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ନେତୃତ୍ୱରେ ନିର୍ବାଚିତ ହୋଇ ବିଧାନସଭାକୁ ଆସିଥିଲେ। ମନ୍ତ୍ରୀ ମଧ୍ୟ ହୋଇଥିଲେ। ୧୯୮୦ରୁ ୧୯୯୦ ଓ ୧୯୯୫ରୁ ୨୦୦୦ ମସିହା ପର୍ଯ୍ୟନ୍ତ ଏବଂ ପରବର୍ତ୍ତୀ ସମୟରେ ସେମାନେ ଆଜି ପର୍ଯ୍ୟନ୍ତ ନିର୍ବାଚନରେ ସକ୍ରିୟ ଭୂମିକା ଗ୍ରହଣ କରୁଛନ୍ତି।ସେ କହିଥିଲେ, ୧୯୮୦ ମସିହାରେ ‘ହଜାରେ ଦିନର ହଜାରେ ଶିଳ୍ପ’ ନାରା ଦେଇଥିଲେ ଜାନକୀବାବୁ। ଯାହାଫଳରେ ମଞ୍ଚେଶ୍ୱର ଶିଳ୍ପାଞ୍ଚଳ, ଜଗତପୁର ଶିଳ୍ପାଞ୍ଚଳ, ଗୋଳାବାରୁଦ ଫ୍ୟାକ୍ଟ୍ରୀ ଓ ନାଲ୍କୋ ପରି ବହୁ ଉନ୍ନତିମୂଳକ କାର୍ଯ୍ୟ ହୋଇଥିଲା। ବହୁ ବୃହତ୍ତ ଜଳସେଚନ ପ୍ରକଳ୍ପ, ଓଭରବ୍ରିଜ୍ ଓ ରିଙ୍ଗ ରୋଡ୍ ନିର୍ମାଣ କରାଯାଇଥିଲା।
ସେ ଆହୁରି କହିଥିଲେ ଯେ, ୨୦୦୦ ମସିହାରୁ ନବୀନ ବାବୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇ ଆସୁଛନ୍ତି। ଯେଉଁ ପିଲାମାନେ ୨୦୦୦ ମସିହାରେ ଜନ୍ମଗ୍ରହଣ କରିଥିଲେ, ସେମାନଙ୍କୁ ଏବେ ୨୩ ବର୍ଷ ହେଲାଣି। ସେମାନେ ନବୀନ ପଟ୍ଟନାୟକଙ୍କ ଛଡ଼ା ଆଉ କିଛି ଶୁଣୁ ନାହାନ୍ତି। ୧୯୭୭ ମସିହାରେ କଂଗ୍ରେସ ଯେଉଁ ଭଳି ପରିସ୍ଥିତିରେ ଥିଲା, ତା’ଠାରୁ ଆହୁରି ଖରାପ ପରିସ୍ଥିତିରେ ଏବେ ରହିଛି। ଯେଉଁ କଠିନ ପରିଶ୍ରମ ଓ ନେତୃତ୍ୱର ଆବଶ୍ୟକତା ରହିବା କଥା, ଦୁଃଖର ସହ କହିବାକୁ ଚାହୁଁଛି ତାହା ବର୍ତ୍ତମାନ କଂଗ୍ରେସରେ ନାହିଁ। ତା’ର ଅର୍ଥ ନୁହେଁ କଂଗ୍ରେସ ଉନ୍ନତି କରିପାରିବ ନାହିଁ, ସଙ୍ଗଠିତ ହୋଇପାରିବ ନାହିଁ ବା ଆଗକୁ ଯାଇ ପାରିବ ନାହିଁ। ଏବେ ଆମ ଦଳର ବିଧାୟକଙ୍କ ସଂଖ୍ୟା କମି ଯାଉଛି। ୧୯୯୦ ମସିହାରେ ୧୦ ଜଣ ବିଧାୟକ ଆସିଥିଲେ। ଜାନକୀବାବୁ, ବସନ୍ତବାବୁ, ନିରଞ୍ଜନବାବୁ ଓ ଅନ୍ୟ ପୁରୁଖା ନେତାମାନଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁ ୧୯୯୫ ମସିହାରେ କଂଗ୍ରେସ ପୁଣି ଥରେ ସରକାରକୁ ଆସିଥିଲା ବୋଲି ଶ୍ରୀ ବିଶ୍ୱାଳ କହିଥିଲେ।
ସେହିପରି କଂଗ୍ରେସର ବର୍ତ୍ତମାନ ସ୍ଥିତି ସମ୍ପର୍କରେ ଶ୍ରୀ ବିଶ୍ୱାଳ କହିଥିଲେ, ଆଜି ଓଡ଼ିଶା ବିଧାନସଭାରେ ୯ ଜଣ ବିଧାୟକ ଅଛନ୍ତି। ଆଗାମୀ ଦିନରେ କେତେ ରହିବ, ତାହା କହିହେବ ନାହିଁ। ୯ ଜଣ ବିଧାୟକରେ ଆମର ୨୦ ଜଣ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଅଛନ୍ତି। ଦିନକୁ ଦିନ ନମ୍ୱର ବଢ଼ି ଚାଲିଛି। କଂଗ୍ରେସର ଆଉ ଲଢ଼ିବା ମନୋବୃତ୍ତି ନାହିଁ। ଜଣେ ହେଲେ ଯୁବକ କଂଗ୍ରେସ ପ୍ରତି ଆକୃଷ୍ଟ ହୋଇ ଆସୁନାହାନ୍ତି। ତେଣୁ ଯୁବକମାନଙ୍କୁ ଆକୃଷ୍ଟ କରିବାର ସମୟ ଆସିଛି। ଯେଉଁ ଯୁବକମାନେ କଂଗ୍ରେସରେ ଆକ୍ଟିଭ ହୋଇ ଅଛନ୍ତି, ସେମାନ ସଠିକ ସୁଯୋଗ ଦିଆଯାଉ ନାହିଁ। କଂଗ୍ରେସର ବଡ଼ ରୋଗ ହେଉଛି, ଜଣେ ଲୋକ ନିର୍ବାଚନମଣ୍ଡଳୀରେ ସଙ୍ଗଠନ ସୁଦୃଢ଼ କରିବ କିନ୍ତୁ ଅନ୍ୟ ଜଣେ ଟିକେଟ ନେଇଯିବ। ମୋତେ ଏବେ ସନ୍ଦେହ ହେଉଛି, ରାଜ୍ୟର ୧୪୭ ନିର୍ବାଚନମଣ୍ଡଳୀ ପାଇଁ ସଠିକ ପ୍ରାର୍ଥୀ ମିଳିବେ କି ନାହିଁ। ସେହିପରି ପିସିସି ସଭାପତିଙ୍କ ୯ ରୁ ୯୦ ମିଶନକୁ କଟାକ୍ଷ କରି ଚିରଞ୍ଜିବୀ କହିଛନ୍ତି ଆପଣ ଅଛନ୍ତି ମୁଁ ଅଛି ତାହା ହେବ କି ନାହିଁ ଦେଖିବା।





