ଭୁବନେଶ୍ୱର,୧୬/୫(ସତ୍ୟପାଠ ବ୍ୟୁରୋ): ପଦାରେ ପଡ଼ିଲା ରାଜାଘର କଳି। ବଲାଙ୍ଗୀର ରାଜ ପରିବାର ବିରୋଧରେ ନିର୍ଯାତନା ଅଭିଯୋଗ। ବିବାଦରେ ପୂର୍ବତନ ସାଂସଦ ଅନଙ୍ଗ ଉଦୟ ସିଂହଦେଓଙ୍କ ପୁଅ ଅର୍କେଶ ନାରାୟଣ ସିଂହଦେଓ। ଘରକଳି ଥାନାରେ ପହଞ୍ଚିବା ନେଇ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଲାଣି । ଭାଇରାଲ ହେଉଥିବା ତଥ୍ୟ ଅନୁସାରେ ଅର୍କେଶଙ୍କ ପତ୍ନୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ବିଶ୍ୱନାଥ ପ୍ରତାପ ସିଂହଙ୍କ ନାତୁଣୀ ଅଦ୍ରିଜା ମଂଜରୀ ସିଂହଦେଓ ତାଙ୍କୁ ତାଙ୍କ ସ୍ବାମୀ ମାରପିଟ୍ କରିଥିବା ଦର୍ଶାଇ ଡେରାଡୁନ୍ ଥାନାରେ ଅଭିଯୋଗ କରିଛନ୍ତି।
ଏହି ଭିଡିଓ ଭାଇରାଲ ହେବା ପରେ ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି। ପ୍ରକାଶଥାଉ କି, ଅଦ୍ରିଜା ତାଙ୍କ ସ୍ବାମୀ ଅର୍କେଶଙ୍କୁ ରାଜନୀତିରେ ସହଯୋଗ କରୁଥିଲେ। ବଲାଙ୍ଗୀର ଅଂଚଳର ସାମାଜିକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେଉଥିଲେ। କିନ୍ତୁ କୌଣସି କାରଣରୁ ଅର୍କେଶ ଓ ଅଦ୍ରିଜାଙ୍କ ଭିତରେ ଫାଟ ସୃଷ୍ଟିହେଲା ଓ ବିବାହ ବିଚ୍ଛେଦକୁ ନେଇ ମଧ୍ୟ ଚର୍ଚ୍ଚା ହଉଥିଲା।
ଏବେ ରଜାଘର ବିରୋଧରେ ମାରପିଟର ଅଭିଯୋଗ ଆଣିଛନ୍ତି ଅଦ୍ରିଜା। ଡେରାଡୁନ ଥାନାରେ ତଥା ସେଠାକାର ଆଇଜିଙ୍କ ନିକଟରେ ଏନେଇ ଅଭିଯୋଗ କରିଛନ୍ତି। ତାଙ୍କ ସ୍ୱାମୀ ଅର୍କେଶ, ଘରେ କାମ କରୁଥିବା ହରି ସିଂହ ଓ ଅନ୍ୟମାନେ ତାଙ୍କୁ ମାଡ଼ମାରି ବାହାର କରିଦେଇଥିବା ଅଦ୍ରିଜା ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ସେପଟେ ଅର୍କେଶଙ୍କ ବିରୋଧରେ ତାଙ୍କ ପତ୍ନୀ ଆଣିଥିବା ନିର୍ଯାତନା ଅଭିଯୋଗକୁ ସେ ଖଣ୍ଡନ କରିବା ସହ ଏହାକୁ ମିଥ୍ୟା ଅଭିଯୋଗ ବୋଲି କହିଛନ୍ତି।
ସୂଚନାଯୋଗ୍ୟ ଯେ, ଗତ ୨୦୧୭ରେ ଅଦ୍ରିଜା ବଲାଙ୍ଗୀର ରାଜପରିବାରର ଅର୍କେଶଙ୍କୁ ବିବାହ କରିଥିଲେ। ବିବାହ ପରେ ଉଭୟ ଡେରାଡୁନ ଥାନା ଅଧିନ ରାଜୁପର ସ୍ଥିତ ଏକ ବଙ୍ଗଳାରେ ରହୁଥିଲେ। ହେଲେ ବିବାହର କିଛି ଦିନ ପରେ ଉଭୟଙ୍କ ମଧ୍ୟରେ ବିବାଦ ଉପୁଜିଛି।





