ଭୁବନେଶ୍ୱର,୧୬/୫(ସତ୍ୟପାଠ ବ୍ୟୁରୋ): ଅସହ୍ୟ ତାତି ଓ ଗୁଳୁଗୁଳିରେ ହନ୍ତସନ୍ତ ରାଜ୍ୟବାସୀ । ଆଜି ବି ରାଜ୍ୟରେ ପ୍ରବଳ ତାତି ଅନୁଭୁତ ହେବ। ଆଜି ହିଟୱେଭ ନେଇ ୮ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ଅନୁଗୁଳ, ଦେବଗଡ଼, ବୌଦ୍ଧ ଓ ବଲାଙ୍ଗିର ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।ଆଜି ଓ ଆସନ୍ତାକାଲି ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗର ପକ୍ଷରୁ କୁହାଯାଇଛି । ସେପେଟେ ଆଜି ସକାଳୁ ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଦେଖିବାକୁ ମିଳିଛି। ୮ଟା ୩୦ ସୁଦ୍ଧା ଭୁବନେଶ୍ବରରେ ୩୨.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।
ଗତକାଲି ପଶ୍ଚିମ ଓଡିଶାରେ ପ୍ରବଳ ତାତି ଅନୁଭୁତ ହୋଇଥିଲା । ବଲାଙ୍ଗୀରରେ ସର୍ବାଧିକ ତାପମାତ୍ରା ୪୪. ୪ ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ ଟିଟଲାଗଡରେ ୪୪ ଡିଗ୍ରୀ ତାପମାତ୍ରା ରହିଥିଲା । ସେହିପରି ରାଜ୍ୟର ୧୮ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ଭୁବନେଶ୍ୱର ୩୮.୪ ଓ କଟକରେ ୩୭. ୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା । ତେବେ ପ୍ରବଳ ଗୁଳୁଗୁଳିରେ ଲୋକେ ହନ୍ତସନ୍ତ ହେଉଛନ୍ତି । ଆଗକୁ ସ୍ୱାଭାବିକ ଠାରୁ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିବା ସମ୍ଭାବନା ରହିଛି ।





