ଭୁବନେଶ୍ୱର,୧୬/୫(ସତ୍ୟପାଠ ବ୍ୟୁରୋ): କେନ୍ଦ୍ରାପଡ଼ାର ବିଜେଡି ବିଧାୟକ ତଥା ପୂର୍ବତନ ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ନାଁରେ ଯୌତୁକ ନିର୍ଯାତନା ଅଭଯୋଗ| ଶଶିଭୂଷଣ, ତାଙ୍କ ପୁଅ ଓ ପତ୍ନୀଙ୍କ ନାଁରେ ବାଙ୍କୀ ଥାନାରେ ଏତଲା ଦେଲେ ବୋହୂ ରୋନାଲି ବେହେରା | ଯୌତୁକ ନିର୍ଯାତନା ଓ ମାରପିଟ ନେଇ ଏତଲା ସଂଗୀନ ଅଭିଯୋଗ ଆଣିଲେ ଶଶିଙ୍କ ବୋହୂ|
ବାହାଘର ପରେ ଶାଶୁଘର ଲୋକେ ୪୦ ଲକ୍ଷ ଟଙ୍କା ମାଗୁଥିବା ଅଭିଯୋଗ ଆଣିଛନ୍ତି ରୋନାଲି| ଅଭିଯୋଗ ମୁତାବକ, ତାଙ୍କ ସ୍ୱାମୀ ତଥା ଶଶିଭୂଷଣଙ୍କ ପୁଅ ତାଙ୍କୁ ୪୦ ଲକ୍ଷ ମାଗି ମାରପିଟ କରୁଥିଲେ | ଏନେଇ ସେ ବାଙ୍କୀ ଥାନାରେ ଏତଲା ରୁଜୁ କରିଛନ୍ତି | ୪୦ ଲକ୍ଷ ଟଙ୍କା ଦାବିରେ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ଏତଲାରେ ଉଲ୍ଲେଖ କରିଛନ୍ତି ରୋନାଲି | ଏନେଇ ଶ୍ବଶୁର ଶଶିଭୂଷଣଙ୍କୁ କହିବାରୁ ସେ ଗାଳିଗୁଲଜ କରିଥିବା ମଧ୍ୟ ଏତଲାରେ ଦର୍ଶାଯାଇଛି | ଏଥିସହ ତାଙ୍କୁ ଘରୁ ବାହାର କରି ଦିଆଯାଇଥିବା କହିିଛନ୍ତି । ଶଶି ବେହେରାଙ୍କ ପୁଅଙ୍କର ଜଣେ ବିବାହିତ ମହିଳାଙ୍କ ସହ ଅନୈତିକ ସମ୍ପର୍କ ଥିବା ଅଭିଯୋଗ ଆଣିଛନ୍ତି ରୋନାଲି । ପୁଅର ସମସ୍ତ କାର୍ଯ୍ୟକଳାପ ସମ୍ପର୍କରେ ଜାଣି ବି ଶ୍ୱଶୂର ଶଶି ବେହେରା ଚୁପ ରହୁଥିବା ରୋନାଲି ଅଭିଯୋଗ କରିଛନ୍ତି ।
ସେପଟେ ବୋହୂଙ୍କ ଏତଲା ପରେ ଶଶିଭୂଷଣ, ପୁଅ ସତ୍ୟପ୍ରକାଶ, ପତ୍ନୀ ସୁପ୍ରଭାଙ୍କ ସହ ୫ ଜଣଙ୍କ ନାଁରେ ମାମଲା ରୁଜୁ କରିଛି ବାଙ୍କୀ ଥାନା ପୋଲିସ | ଦଫା ୪୯୮(କ), ୨୯୪, ୫୦୬, ୩୪ ଆଇପିସିରେ ମାମଲା ରୁଜୁ ହୋଇଛି | ଏହାସହିତ ଯୌତୁକ ନିରୋଧ ଆଇନ ୧୯୬୧ର ସେକ୍ସନ ୪ ଅନୁସାରେ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି |
ତେବେ ବୋହୂଙ୍କ ଅଭିଯୋଗ ନେଇ ଶ୍ୱଶୁର ଶଶିଭୂଷଣଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ|





