ସ୍ୱପ୍ନ ଭାଙ୍ଗିଦେଲେ ବସ୍‌ଙ୍କ ଏକ୍ସ, ବିଜୟଙ୍କ ପାଖରେ ନା ଫର୍ମୁଲା ଅଛି ନା ଫର୍ମାଟ୍‌

ଭୁବନେଶ୍ୱର,୧୬/୫(ସତ୍ୟପାଠ ବ୍ୟୁରୋ): ଏବେ ଝାରସୁଗୁଡ଼ା ଉପନିର୍ବାଚନର ପୋଷ୍ଟମର୍ଟମ କରୁଛି କଂଗ୍ରେସ । ଆଉ ହାରଜିତ୍‌ର ଏଇ ଅଙ୍କକଷା ଭିତରେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି ବିଜୟ ପଟ୍ଟନାୟକ । ଝାରସୁଗୁଡ଼ା ରେଜଲ୍ଟ ଦେଖିବା ପରେ ବିଜୟଙ୍କୁ ନେଇ କଂଗ୍ରେସର ଥିବା ସବୁ ମୋହ ଭଙ୍ଗ ହୋଇଛି । ଠିକ୍ ସେମିତି କଂଗେସକୁ ନେଇ ବିଜୟ ଦେଖିଥିବା ଉତ୍ସାହ ବି ଉଣା ଅଧିକେ କମିଯାଇଛି । ଯେତେବେଳେ ବିଜୟ ପଟ୍ଟନାୟକ କଂଗ୍ରେସରେ ଯୋଗଦେଲେ ସେତେବେଳେ କଂଗ୍ରେସ ନେତା ତାଙ୍କୁ ଯେଭଳି ଭାବେ ପ୍ରୋଜେକ୍ଟ କଲେ, ଯେମିତି ବିଜୟ ଅସଲରେ ପିସିସି ପ୍ରେସିଡେଣ୍ଟ ଆଉ ଶରତ ବାବୁ ହେଉଛନ୍ତି ତାଙ୍କ ଡେପୁଟି । ଦଳ ଭାବିଥିଲା ବିଜୟ ଆସିଲେ ମାନେ ତାଙ୍କ ପୂର୍ବତନ ବସ୍ ନବୀନ ପଟ୍ଟନାୟକଙ୍କ ଜିତିବାର ସବୁ ଫର୍ମୁଲା ଧରି ଚାଲି ଆସିଛନ୍ତି । ଯେଉଁ ସୂତ୍ର ପ୍ରୟୋଗ କରି କଂଗ୍ରେସକୁ ମାଟିରୁ ଉଠାଇ ଆକାଶରେ ବସାଇବେ । ଆଉ ଫଳାଫଳ ବି ସମସ୍ତଙ୍କ ଆଖି ଝଲସାଇ ଦେବ । ହେଲେ କଂଗ୍ରେସ ଓ ବିଜୟଙ୍କ ସ୍ୱପ୍ନ ପୁଣିଥରେ ସ୍ୱପ୍ନରେ ହିଁ ରହିଯାଇଛି ।

ଝାରସୁଗୁଡ଼ା ଉପନିର୍ବାଚନର କିଛି କ୍ଷଣ ପୂର୍ବରୁ ବିଜୟଙ୍କୁ ତୁରନ୍ତ ପ୍ରଚାର କମିଟି ଅଧ୍ୟକ୍ଷ କଲା ଏଆଇସିସି । ତାଙ୍କ ନେତୃତ୍ୱରେ, ତାଙ୍କ ରଣନୀତିରେ ଦଳ ନିର୍ବାଚନ ଲଢ଼ିଲା । ରାଜନୈତିକ ଦଳରେ ପ୍ରଚାର କମିଟି ଅଧ୍ୟକ୍ଷ ପଦଟି ସଭାପତି ପଦର ବରାବର ହୋଇଥିବାରୁ ବିଜୟ ଯେ ଓଡ଼ିଶା କଂଗ୍ରେସର ନୂଆ ମଙ୍ଗୁଆଳ ଏକଥା କାହାକୁ ଅବୁଝା ନଥିଲା । ଉପନିର୍ବାଚନ ତାରିଖ ଘୋଷଣା ବେଳ ଠୁ ବିଜୟ ଯାଇ ଝାରସୁଗୁଡ଼ାରେ କ୍ୟାମ୍ପ ପକେଇ ବସିଲେ । କିଛି କଂଗ୍ରେସ ନେତା ତ କହିଲେ, ସେ ଗୁପ୍ତ ରଣନୀତିରେ ବ୍ୟସ୍ତ । ବିଜୟଙ୍କ ମୁହଁକୁ ଚାହିଁ କଂଗ୍ରେସିଆ ଝାରସୁଗୁଡ଼ା ଦଖଲ କରିବେ ବୋଲି ଭାବିସାରିଥିଲେ । ତାଙ୍କ ଯାଦୁବାଡ଼ି ମାଡ଼ରେ ବିଜେଡ଼ି, ବିଜେପି କୁଆଡ଼େ ପାଖ ମାଡ଼ି ନଥାନ୍ତେ । ହେଲେ ପ୍ରଚାର କମିଟିର ଅଧ୍ୟକ୍ଷ ବାବୁ ବିଜୟ ଝାରସୁଗୁଡ଼ା ଉପନିର୍ବାଚନରେ ନିଜ ଦଳର ଆଭିମୁଖ୍ୟ ଓ ପ୍ରାର୍ଥୀଙ୍କ ପ୍ରାର୍ଥିତ୍ୱ ନେଇ କେଉଁଠି ଭାଷଣ ଦେଇଥିବା ବି ଦେଖିବାକୁ ମିଳିଲାନି । ବିଡମ୍ବନା, ବିଜୟଙ୍କ ନେତୃତ୍ୱରେ ଲଢ଼ୁଥିବା କଂଗ୍ରେସ୍ ତା ବୁନିଆଦିରେ ସେଠି ଏତେ କମ୍ ଭୋଟ ପାଇନଥିଲା ଯେତିକି ଏ ଉପନିର୍ବାଚନରେ ପାଇଲା ।

ଏକଥା ସତ ଏ ବିପର୍ଯ୍ୟୟ ପାଇଁ ବିଜୟ ଏକା ଦାୟୀ ନୁହଁନ୍ତି, ହେଲେ ଗତ ୨୦ବର୍ଷ ଭିତରେ ରାଜ୍ୟରେ ଯେତେ ଉପନିର୍ବାଚନ ହୋଇଛି ସବୁବେଳେ ପିସିସି ସଭାପତିମାନେ ନିର୍ବାଚନ ପରିଚାଳନା କରୁଥିଲେ । ଭଲହେଲେ ତାଙ୍କ ମୁଣ୍ଡରେ, ଖରାପ ହେଲେ ବି ତାଙ୍କ ମୁଣ୍ଡରେ ଯାଉଥିଲା । ହେଲେ ଏଇ ଝାରସୁଗୁଡ଼ା ଉପନିର୍ବାଚନରେ ବାବୁ ବିଜୟଙ୍କୁ ଯେଉଁ ଆଶା, ଆକାଂକ୍ଷା ଓ ଅଭିପ୍ସା ନେଇ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ କରିଥିଲା ଆଉ ତୁରନ୍ତ ସେମି ଫାଇନାଲ ଖେଳିବାକୁ ମଇଦାନକୁ ଛାଡ଼ି ଦିଆ ଯାଇଥିଲା, ତାକୁ ନେଇ ଏବେ ଅନେକ ପ୍ରଶ୍ନ । କାରଣ, ଝାରସୁଗୁଡ଼ା ବାଇ-ଇଲେକ୍ସନ ପ୍ରଚାର ବେଳେ କଂଗ୍ରେସର କ୍ୟାମ୍ପେନକୁ ଦେଖିଲେ ସ୍ପଷ୍ଟ ବାରି ହୋଇପଡ଼ୁଥିଲା ଯେ, ପ୍ରଚାର କମିଟି ଅଧ୍ୟକ୍ଷ ଭାବେ ବିଜୟ କଂଗ୍ରେସ ପାର୍ଟିର ଇଲେକ୍ସନ ନ୍ୟାରେଟିଭ୍ କଣ ତାହା ଭୋଟରଙ୍କ ପାଖରେ ପହଞ୍ଚାଇବାରେ ସମ୍ପୂର୍ଣ୍ଣ ବିଫଳ ଥିଲେ । ଲୋକେ କାହିଁକି ବିଜେଡ଼ି, ବିଜେପିକୁ ଭୋଟ ନଦେଇ କଂଗ୍ରେସକୁ ଭୋଟ ଦେବେ ସେ ବାବଦରେ ପାର୍ଟିିର ଇମାନଦାରି ସହ କ୍ୟାମ୍ପେନ ମ୍ୟାନେଫାଷ୍ଟୋ ତିଆରି ହୋଇନଥିଲା । ନେତା ଯିଏ ଯୁଆଡେ ବଜାର ଘାଟ ବୁଲିଲେ, ଯେଉଁଠି ପାରିଲେ ବସିଲେ ଆଉ ପଳାଇ ଆସିଲେ । ଏମାନଙ୍କ ଉପରେ, କ୍ୟାମ୍ପେନ ପ୍ଲାନରେ ଆଉ ରଣନୀତିରେ ଯେ ବିଜୟଙ୍କର ବିଲକୁଲ ଦଖଲ ନଥିଲା ତାହା ବି ସ୍ପଷ୍ଟ ଜଣାପଡ଼ି ଯାଉଥିଲା । ଏବେ ରେଜଲ୍ଟ ଆସିବା ପରେ କଂଗ୍ରେସର କିଛି ବରିଷ୍ଠ ନେତାଙ୍କ ମତ ହେଲା ଯେ, ଏ ବାବୁ କିଏ, ୟାଙ୍କୁ ରାଜନୀତି କେତେ ଜଣାଅଛି, ଇଏ କଂଗ୍ରେସ କଣ ପାଇଁ ଆସିଛନ୍ତି, ଏଠି କରିବେ କଣ ଆଉ ହାଇକମାଣ୍ଡ ଏ ବାବୁଙ୍କୁ ମୁଣ୍ଡରେ ବସାଇଛନ୍ତି କଣ ପାଇଁ ?

Related Posts