ଆଧୁନିକ ଭାରତର ଇତିହାସ ପ୍ରତି ୪ଜଣ ଗୁଜରାଟୀଙ୍କର ରହିଛି ଗୁରୁତ୍ୱପୂର୍ଣ୍ଣ ଅବଦାନ: ଅମିତ ଶାହ

ଭୁବନେଶ୍ୱର,(ସତ୍ୟପାଠ ବ୍ୟୁରୋ): ଆଧୁନିକ ଭାରତର ଇତିହାସ ପ୍ରତି ୪ଜଣ ଗୁଜରାଟୀଙ୍କର ଉଲ୍ଲେଖନୀୟ ଅବଦାନ ରହିଛି । ଗୁରୁବାର ଦିନ କିଛି ଏଭଳି କହିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ। ‘ଶ୍ରୀ ଦିଲ୍ଲୀ ଗୁଜରାଟୀ ସମାଜ’ର ୧୨୫ ବର୍ଷ ପୂର୍ତ୍ତୀ ଅବସରରେ ନୂଆଦିଲ୍ଲୀରେ ଆୟୋଜିତ ଏକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶାହ କହିଛନ୍ତି, ୪ଜଣ ଗୁଜରାଟୀଙ୍କର ଆଧୁନିକ ଭାରତର ଇତିହାସ ପ୍ରତି ଗୁରୁତ୍ୱପୂର୍ଣ ଅବଦାନ ରହିଛି। ଏ ଚାରିଜଣ ହେଉଛନ୍ତି, ମହାତ୍ମା ଗାନ୍ଧୀ, ସର୍ଦାର୍‌ ଭଲ୍ଲଭଭାଇ ପଟେଲ୍‌, ମୋରାର୍‌ଜୀ ଦେଶାଇ ଏବଂ ନରେନ୍ଦ୍ର ମୋଦୀ।

ନରେନ୍ଦ୍ର ମୋଦୀଙ୍କ ପାଇଁ ହିଁ ଭାରତର ପ୍ରସିଦ୍ଧି ସମଗ୍ର ବିଶ୍ବରେ ବିସ୍ତାରିତ ହେଉଛି। ଏହି ୪ଜଣ ଗୁଜରାଟୀ ଖୁବ୍‌ ଗୁରୁତ୍ବପୂର୍ଣ୍ଣ କୃତ୍ବିତ୍ବ ଅର୍ଜନ କରିଛନ୍ତି। ତେଣୁ ସେମାନେ ସମଗ୍ର ଦେଶର ଗୌରବ ବୋଲି ଶାହ କହିଛନ୍ତି। ଗୃହମନ୍ତ୍ରୀ ଶାହ ଆହୁରି ମଧ୍ୟ କହିଛନ୍ତି ଯେ, ଗାନ୍ଧୀଜୀଙ୍କ ଉଦ୍ୟମ ଫଳରେ ଦେଶ ସ୍ବାଧୀନ ହେଲା, ସର୍ଦାର୍‌ ପଟେଲ୍‌ଙ୍କ ପ୍ରଚେଷ୍ଟାରେ ଦେଶ ଏକତ୍ର ହେଲା, ମୋରାର୍‌ଜୀ ଦେଶାଇଙ୍କ ପାଇଁ ଦେଶରେ ଗଣତନ୍ତ୍ର ପୁନର୍ଜୀବନ ପାଇଲା ଏବଂ ନରେନ୍ଦ୍ର ମୋଦୀଙ୍କ କାରଣରୁ ସମଗ୍ର ବିଶ୍ବରେ ଭାରତ ପ୍ରଶଂସାଭାଜନ ହୋଇପାରିଛି।

ନରେନ୍ଦ୍ର ମୋଦୀଙ୍କ ୯ ବର୍ଷ ଶାସନକାଳ ପ୍ରସଙ୍ଗ ଦର୍ଶାଇ ସେ କହିଛନ୍ତି ଯେ, ଏହି ସମୟ ମଧ୍ୟରେ ଦେଶ ଅନେକ କୃତ୍ବିତ୍ବ ହାସଲ କରିଛି। ୨୦୧୪ରେ ମୋଦୀ ପ୍ରଧାନମନ୍ତ୍ରୀ ହେବା ବେଳେ ଦେଶର ଅର୍ଥନୀତି ବିଶ୍ବ ଅର୍ଥନୀତିର ୧୧ଶ ସ୍ଥାନରେ ଥିଲା। ଆଜି ୯ ବର୍ଷ ପରେ ଭାରତୀୟ ଅର୍ଥନୀତି ବିଶ୍ବରେ ୫ମ ବୃହତ୍‌ ଅର୍ଥନୀତିରେ ପରିଗଣିତ ହେଉଛି। ମୋଦୀ ସମସ୍ତଙ୍କର, ସମସ୍ତେ ମୋଦୀଙ୍କର ଏବଂ ଏହା ସମସ୍ତଙ୍କ ପାଇଁ ଗୌରବର ବିଷୟ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସମଗ୍ର ଦେଶ ଓ ବିଶ୍ବରେ ଗୁଜରାଟୀ ସମ୍ପ୍ରଦାୟ ଅଛନ୍ତି ଏବଂ ସେମାନେ ଯେକୌଣସି ସମାଜରେ ଭଲରୂପେ ମିଶିଯିବା ସହିତ ତା’ର ସେବା ବି କରନ୍ତି।

Related Posts