ବାହାଷ୍ଫୋଟ ମାରିବାକୁ ଯାଇ ଖେଳ ବିଗାଡିଦେଲେ ପ୍ରତାପ

ଭୁବନେଶ୍ୱର,୧୧/୬ (ସତ୍ୟପାଠ ବ୍ୟୁରୋ): ରାଜ୍ୟବାସୀଙ୍କୁ ବାରମ୍ବାର ବିଜୁଳି କାଟ ଓ ଟାଟା ପାୱାରର ଦାଦାଗିରି ଯେତିକି ହନ୍ତସନ୍ତ କରିନଥିଲା ତାଠୁ ଏବେ ଅଧିକ ବ୍ୟଥିତ କରିଛି ଶକ୍ତି ମନ୍ତ୍ରୀ ପ୍ରତାପ ଦେବଙ୍କର ହାଇଭୋଲ୍‌ଟେଜ୍‌ ବିଜୁଳି ବାହାଷ୍ଫୋଟ ।

ଗତ ୮ ତାରିଖ ଦିନ କାଳବୈଶାଖୀ ପରଠୁ ପ୍ରାୟ ୧୨ରୁ ୧୪ ଘଂଟା ଧରି ଅଧା ରାଜଧାନୀ ଅନ୍ଧାର ହେଇଗଲା । ଏଯାଏଁ ବି ବାରବାର ପାୱାର କଟ ହେଉଛି । ଗୋଟିଏ ପଟେ ଟାଟା ପାୱାରର ସିଇଓ ଅରବିନ୍ଦ ସିଂ ବଢିଆ ବାହାନା ନେଲେ। କହିଲେ କାଳ ବୈଶାଖୀ ଯୋଗୁ ୪୦୦ କେଭି ମେରା ମୁଣ୍ଡୁଲି ଡୁବୁରି ଲାଇନ୍‌ ବ୍ରେକଡାଉନ୍‌ ହେଲା । ଅସଲ କଥା ହେଲା କାଳବୈଶାଖି ପୂର୍ବଦିନରୁ ହିଁ ଲାଇନ୍‌ ବ୍ରେକ ଡାଉନ ଥିଲା । ଅରବିନ୍ଦଙ୍କ ମିଛର କିଛି ସମୟ ପରେ ବାହାରିଲେ ବିଜେଡି ସରକାରର ଷ୍ଟ୍ରାଇକର ଶକ୍ତି ମନ୍ତ୍ରୀ ପ୍ରତାପ ହାଇ ଭୋଲ୍‌ଟେଜ ଦେବ । ଆଉ ପାୱାର କଟ କୁ ନେଇ ସାମ୍ବାଦିକଙ୍କୁ ଏମିତି ଥିଓରି ଶୁଣାଇଲେ ଯାହାକୁ ନେଇ ବଡ଼ ବଡ଼ ବିଜୁଳି ବିଶେସଂଜ୍ଞଙ୍କ ମୁଣ୍ଡ ଟିଣ ।

ପ୍ରତାପ କହିଲେ ଓଡିଶାରେ ପାୱାର କଟ ହେଉନାହିଁ । ତେଣୁ ଇଂରାଜୀ ରେ ପାୱାର କଟ ନକହି ଓଡିଆରେ ବିଜୁଳି କାଟ ହେଉଛି ବୋଲି ସାମ୍ୱାଦିକଙ୍କୁ ପାଠ ପଢ଼ାଇଲେ ମନ୍ତ୍ରୀ । ତେବେ ସବୁଠୁ ମଜା କଥା ହେଲା ସାମ୍ୱାଦିକଙ୍କୁ ଜ୍ଞାନ ଦେବା ବେଳେ ମନ୍ତ୍ରୀ ଗୁରୁ ଚଣ୍ଡାଳ ଦୋଷଟେ କରି ଦେଲେ । ଯେଉଁ କଥାକୁ ନବୀନ ବାବୁଙ୍କ ସରକାର ଆଉ ତାଙ୍କର ବ୍ୟୁରୋକ୍ରାଟ ବାବୁ ମାନେ ଏତେ ଦିନ ଯାଏଁ ଲୋକଙ୍କୁ ଭୁଆଁ ବୁଲାଉଥିଲେ ତାହାର ପୋଲ ଖୋଲିଦେଲେ ପ୍ରତାପ । ନବିନଙ୍କ କ୍ୟାବିନେଟ୍‌ ର ମେନ୍‌ ଷ୍ଟ୍ରାଇକର ବୋଲାଉଥିବା ପ୍ରତାପ ଦେବ ନିଜେ ହିଁ ଆତ୍ମଘାତୀ ଗୋଲ ଟେ ମାରିଦେଲେ । ପ୍ରତାପଙ୍କ ଯୁକ୍ତି ଥିଲା ଆମ ପାଖେ ପର୍ଯ୍ୟାପ୍ତ ବିଜୁଳି ଅଛି କିନ୍ତୁ ଲୋକଙ୍କୁ ନିରନ୍ତର ବିଜୁଳି ଦେଇ ପାରୁନାହୁଁ । ଯାହାପାଇଁ ବାରମ୍ବାର ବିଜୁଳି କାଟ ହେଉଛି ଓ ଲୋକେ ଦହ ଗଞ୍ଜ ହେଉଛନ୍ତି । ତାର ମୁଖ୍ୟ କାରଣ ହେଲା ରାଜ୍ୟ ରେ ବିଜୁଳି ଭିତ୍ତିଭୂମି ଅତି ଦୁର୍ବଳ । ଯେଉଁଥିପାଇଁ ବାରମ୍ବାର ବ୍ରେକ ଡାଉନ୍‌ ହେଉଛି ।

ବିଜୁଳି ସଂସ୍କାର କ୍ଷେତ୍ରରେ ନବିନ ବାବୁଙ୍କ ସରକାର ସଫଳତା ର ଯେଉଁ ବାହାଷ୍ଫୋଟ ମାରି ଆସୁଥିଲେ ପ୍ରତାପଙ୍କ ଏହି ପଦେ କଥା ହିଁ ସରକାରଙ୍କ ବେଲୁନରେ ଆଲପିନ ମାରିଦେଲା । ସାମ୍ବାଦିକଙ୍କ ଆଗରେ ଇଂରାଜୀ ଜ୍ଞାନ ଠେଲିବା ଏବେ ପ୍ରତାପ ଙ୍କ ପାଇଁ ପାଲଟା ଚଟକଣା ହୋଇଯାଇଛି । ପ୍ରତାପଙ୍କ ବାହାଷ୍ଫୋଟକୁ ନେଇ ଏବେ ଟେନସନରେ ନବୀନଙ୍କ ସରକାର । କାରଣ ଗଣମାଧ୍ୟମଠୁ ଆରମ୍ଭ କରି ବିରୋଧୀ ରାଜନୈତିକ ଦଳ ଯାଏଁ ଶକ୍ତି କ୍ଷେତ୍ରରେ ପ୍ରାୟ ୩୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବା ପରେ ବି ରାଜ୍ୟର ଦୁର୍ବଳ ଭିତ୍ତିଭୂମି ସଜଡା ନହେବାକୁ ନେଇ ସରକାରଙ୍କୁ ଘେରିବା ଆରମ୍ଭ କଲେଣି । ଦ୍ୱୀତିୟରେ ପ୍ରତାପ ଦେବ ପାୱାର କଟ ର ଯେଉଁ ଡେଫିନେସନ ଶୁଣାଇଲେ ତାହା ନା’ତ ଇଲେକ୍ଟ୍ରିସିଟି ଆକ୍ଟ ବା ଓଇଆରସି ଗାଇଡଲାଇନ୍‌ ନା’ ଇଂରାଜୀ ଡିକ୍ସନାରୀ କେଉଁଥିରେ ବି ଏହା ଲେଖା ନାହିଁ ।

ତେବେ ଏଠାରେ ପ୍ରଶ୍ନ ଉଠୁଛି ପ୍ରତାପ ଦେବ ପାୱାର କଟକୁ ନେଇ ଏଭଳି ଜ୍ଞାନଭରା ପ୍ରବଚନ ଟେ ଦେବା ପଛରେ କାରଣ କ’ଣ? ଶକ୍ତି ବିଶେଷଜ୍ଞଙ୍କ କହିବା କଥା ଯେ ଶକ୍ତିମନ୍ତ୍ରୀ ବିଦ୍ୟୁତ୍‌ ବିତରଣ କମ୍ପାନୀ ଟାଟା ପାୱାର ସ୍ୱାର୍ଥକୁ ସୁରକ୍ଷା ଦେବାକୁ ଯାଇ ସାମ୍ବାଦିକଙ୍କୁ ଏଭଳି ଜ୍ଞାନ ଠେଲିଛନ୍ତି । ସରକାରଙ୍କ କାମ ବିଜୁଳି ଦେବା | ଆଉ ନଦେଇ ପାରିବା ହିଁ ବିଫଳତା । ଏହି ଛୋଟିଆ କଥାକୁ ସ୍ୱୀକାର ନକରି ସାମ୍ୱାଦିକଙ୍କୁ ଓଲଟି ବିଜୁଳି କାଟର ଇଂରାଜୀ ସଂଜ୍ଞାର ବ୍ୟକ୍ଷା କରିବା ପ୍ରତାପଙ୍କ ପାଇଁ କିଳା ହେଇଛି । ଏବେ ଅପେକ୍ଷା କିଳା ପରେ ତୃତୀୟ ମହଲାରୁ ପ୍ରତାପଙ୍କ ପାୱାର କଟ ହେଉଛି ନା ସପ୍ଲାଏ ଜାରି ରହୁଛି|

Related Posts