ଭୁବନେଶ୍ୱର,୧୧/୬ (ସତ୍ୟପାଠ ବ୍ୟୁରୋ): ୨୦୨୪ ସାଧାରଣ ନିର୍ବାଚନ ଯଦି ବିଜେପି ଜିତିବ, ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ନରେନ୍ଦ୍ର ପୁଟିନ’ ହୋଇଯିବେ। ଆଜି ଦିଲ୍ଲୀରେ ଆୟୋଜିତ ଆମ ଆଦମୀ ପାର୍ଟିର ମହାରାଲିକୁ ସମ୍ବୋଧିତ କରି ଏହି କଥା କହିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ।
ସେ କହିଛନ୍ତି, ଯଦି ୨୦୨୪ରେ ବିଜେପି ଜିତିବ, ତା’ହେଲେ ଦେଶରେ ଆଉ ନିର୍ବାଚନ ହେବ ନାହିଁ। ଏବେ ବିଜେପି ନେତାମାନେ ମୋଦିଙ୍କୁ ଭାରତର ‘ମାଲିକ’ ବୋଲି ଭାବିବା ଆରମ୍ଭ କଲେଣି। ଆଉ ଯଦି ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ଜିତିବ, ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ନରେନ୍ଦ୍ର ପୁଟିନ’ ହୋଇଯିବେ। ଯଦି ୧୪୦ କୋଟି ଭାରତୀୟ ଭାରତକୁ ରକ୍ଷା କରିବାକୁ ନିଷ୍ପତ୍ତି ନେବେ, ତା’ହେଲେ ଦେଶ ସୁରକ୍ଷିତ ରହିବ।
ସୂଚନାଯୋଗ୍ୟ ଯେ, ଦିଲ୍ଲୀରେ ଅଫିସରଙ୍କ ପୋଷ୍ଟିଂ ଓ ବଦଳି ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଣାଯାଇଥିବା ଅଧ୍ୟାଦେଶ ବିରୋଧରେ ଆଜି ଆପ୍ ପକ୍ଷରୁ ଦିଲ୍ଲୀର ରାମଲୀଲା ମୈଦାନରେ ମହାରାଲିର ଆୟୋଜନ କରାଯାଇଥିଲା। ଏଥିରେ ଆପ୍ର ରାଷ୍ଟ୍ରୀୟ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମେତ ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ, ଦିଲ୍ଲୀର ମନ୍ତ୍ରୀ ଗୋପାଳ ରାୟ ଓ ଦଳର ଅନ୍ୟ ପ୍ରମୁଖ ନେତାମାନେ ମଧ୍ୟ ଉଦବୋଧନ ଦେଇଥିଲେ।





