ଭୁବନେଶ୍ୱର,୧୧/୬(ସତ୍ୟପାଠ ବ୍ୟୁରୋ): କେନ୍ଦ୍ରର ମୋଦୀ ସରକାରଙ୍କ ବିରୋଧରେ ଗର୍ଜିଲା ଆମ୍ ଆଦମୀ ପାର୍ଟି । ଦିଲ୍ଲୀ ପାଇଁ କେନ୍ଦ୍ର ଆଣିଥିବା ଅଧ୍ୟାଦେଶକୁ ନେଇ ବର୍ଷିଛନ୍ତି ଅରବିନ୍ଦ କେଜ୍ରିଓ୍ବାଲ । ରବିବାର ରାଜଧାନୀ ଦିଲ୍ଲୀର ରାମଲିଳା ମୈଦାନରେ ଆପ୍ ପକ୍ଷରୁ ମହାରାଲି ଆୟୋଜନ ହୋଇଥିଲା । ରାଲି ସମ୍ବୋଧିତ କରି କେଜ୍ରିଓ୍ବାଲ କହିଛନ୍ତି, କେବଳ ଦିଲ୍ଲୀରେ ନୁହେଁ ଏହି ଅଧ୍ୟାଦେଶ ସମସ୍ତ ରାଜ୍ୟରେ ଲାଗୁ ହେବାକୁ ଯାଉଛି ।
କେଜ୍ରିଓ୍ବାଲ ଆହୁରି କହିଛନ୍ତି, ଆମ୍ ଆଦମୀ ପାର୍ଟି କେବଳ ଦିଲ୍ଲୀ କଥା ଭାବୁ ନାହିଁ, ଦେଶର ସମସ୍ତ ରାଜ୍ୟକୁ ନେଇ ଚିନ୍ତିତ ଅଛୁ । ମୋତେ ବିଶେଷ ସୂତ୍ରରୁ ସୂଚନା ମିଳିଛି ଯେ, କେନ୍ଦ୍ର ସରକାର ଦିଲ୍ଲୀ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ଯେଇଁ ଅଧ୍ୟାଦେଶ ଆଣିଛନ୍ତି, ତାହା ଆଗାମୀ ଦିନରେ ସମସ୍ତ ରାଜ୍ୟରେ ଲାଗୁ ହେବାକୁ ଯାଉଛି । ଏହାକୁ ସମୟ ଥାଉ ଥାଉ ରୋକିବାକୁ ପଡ଼ିବ ବୋଲି ଆହ୍ବନ ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ୍ ।
ମହା ରାଲିରେ ଆପ୍ ସଂଯୋଜକ କହିଛନ୍ତି, ୨୦୧୪ରେ ଦିଲ୍ଲୀରେ ସମସ୍ତ ୭ ଲୋକସଭା ସିଟ୍ରେ ବିଜେପିକୁ ଯାଇଛି । ଦେଶବାସୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଧାନମନ୍ତ୍ରୀ କଲେ ଏବଂ ଦେଶ ସମ୍ଭାଳିବାକୁ ଦାୟିତ୍ବ ଦେଲେ । ସେହିପରି ଦିଲ୍ଲୀ ବିଧାନସଭାର ୭୦ ସିଟ୍ରୁ ଆପକୁ ୬୭ ଆସନ ଏବଂ ବିଜେପିକୁ ମିଳିଥିଲା ୩ ଆସନ । ରାଜଧାନୀବାସୀ କେଜ୍ରିଓ୍ବାଲଙ୍କୁ ଦିଲ୍ଲୀ ସମ୍ଭାଳିବାକୁ ଦାୟିତ୍ବ ଦେଇଥିଲେ ଏବଂ ଆପ୍ ଆଡ଼କୁ ନଜର ନଉଠାଇ ଦେଖିବାକୁ ବିଜେପିକୁ କହିଥିଲେ । ହେଲେ ବିଜେପି ଆପ୍ ସରକାର ନିଷ୍କ୍ରିୟ କରିବାକୁ ଉଦ୍ୟମ ଚଳାଇଛି ।
ଆହୁରି ମଧ୍ୟ କେଜ୍ରିଓ୍ବାଲ କହିଛନ୍ତି, ମନୀଷ ସିସୋଦିଆଙ୍କୁ କେନ୍ଦ୍ର ସରକାର ଜେଲରେ ଭର୍ତ୍ତି କରିଦେଇଛନ୍ତି । ସତ୍ୟେନ୍ଦ୍ର ଜୈନଙ୍କ ମଧ୍ୟ ଜେଲରେ ରହିଛନ୍ତି । ଆମ ପାଖରେ ଜଣେ ମନୀଷ ସିସୋଦିଆ ନାହାନ୍ତି , ହେଲେ ଶହେ ମନୀଷ ସିସୋଦିଆ ଅଛନ୍ତି ବୋଲି କେଜ୍ରଓ୍ବାଲ କହିଛନ୍ତି । ବିଜେପି ସବୁବେଳେ ହୀନ ରାଜନୀତି କରିବାକୁ ଚେଷ୍ଟା କରୁଛି । ଏହା ପରେ ବି ଦିଲ୍ଲୀରେ ବିକାଶର ରଥ ଅଟକିବ ନାହିଁ ବୋଲି କେଜ୍ରିଓ୍ବାଲ କହିଛନ୍ତି ।
ଦିଲ୍ଲୀରେ କେନ୍ଦ୍ର ସରକାର କଳା ଅଧ୍ୟାଦେଶ ଅଣିଛନ୍ତି । ସୁପ୍ରିମକୋର୍ଟଙ୍କ ଆଦେଶକୁ ମାନିବାକୁ ସେମାନେ ପ୍ରସ୍ତୁତ ନୁହଁନ୍ତି ଏମାନେ । ଦିଲ୍ଲୀରେ ଏବେ ଏଲଜି ହିଁ ସୁପ୍ରିମୋ । ଏହି ଅଧ୍ୟାଦେଶ ବଳରେ ଏବେ ରାଜଧାନୀରେ ତାନାଶାହୀ ସରକାର ଚାଲିବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି ।





