ଭୁବନେଶ୍ୱର,୧୨/୬ (ସତ୍ୟପାଠ ବ୍ୟୁରୋ): ଅସହ୍ୟ ଗରମ ଓ ଗୁଳୁଗୁଳିରେ ରାଜ୍ୟବାସୀ ଅସ୍ତବ୍ୟସ୍ତ | ତେବେ ଏହି ପରିସ୍ଥିତି ଆହୁରି ୨ ଦିନ ପର୍ଯ୍ୟନ୍ତ ଜାରି ରହିବ ବୋଲି ସୂଚନା ମିଳିଛି। ଆସନ୍ତା ୨ ଦିନ ରାଜ୍ୟରେ ଅତ୍ୟଧିକ ଗ୍ରୀଷ୍ଣ ପ୍ରବାହ ନେଇ ହିଟ୍ ୱେଭ୍ ସତର୍କତା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଏହି ସମୟ ମଧ୍ୟରେ ତାପମାତ୍ରା ସ୍ୱାଭାବିକଠୁ ୪ରୁ ୬ ଡିଗ୍ରୀ ଅଧିକ ରହିବା ସମ୍ଭାବନା ରହିଛି। ଫଳରେ ଦିନ ୧୧ଟାରୁ ୩ଟା ମଧ୍ୟରେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
ଆଜି ପାଇଁ ୧୨ଟି ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲା ଗୁଡ଼ିକ ହେଲା ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗିର, କଳାହାଣ୍ଡି ଓ କେନ୍ଦୁଝର। ଏହି ଜିଲ୍ଲା ପାଇଁ ସିଭିୟର ହିଟ୍ ୱେଭ୍ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ବେଳେ କନ୍ଧମାଳ, ନୂଆପଡ଼ା, ସୁନ୍ଦରଗଡ଼ ଏବଂ ମୟୂରଭଂଜ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ଅନ୍ୟପଟେ କାଳବୈଶାଖୀ ନେଇ ୮ଟି ଜିଲ୍ଲାକୁ ୱାର୍ଣ୍ଣିଂ ଜାରି ହୋଇଛି। ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଂଜାମ, କନ୍ଧମାଳ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାରେ ଆଜି ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି।
ସକାଳ ୮ଟା ୩୦ ସୁଦ୍ଧା ଭୁବନେଶ୍ୱର ତାପମାତ୍ରା ୩୫ ଡ଼ିଗ୍ରୀ ରେକର୍ଡ ହୋଇଛି | ସେହିପରି ଝାରସୁଗୁଡାରେ ସର୍ବାଧିକ ୩୭.୨ ଡ଼ିଗ୍ରୀ ରେକର୍ଡ କରାଯାଇଛି |





