ପେଟା ନାଳ ପଲିଟିକ୍ସ: ସୁବାଷଙ୍କୁ ଶିକାର ପାଇଁ ମୋକିମଙ୍କ କାନ୍ଧରେ ବନ୍ଧୁକ ରଖିଲେ ଦେବାଶିଷ

ଭୁବନେଶ୍ୱର,୧୨/୬(ସତ୍ୟପାଠ ବ୍ୟୁରୋ): କଟକ ସହରରେ ଏବେ ମେୟର ସୁବାଷ ସିଂଙ୍କ ପେଟା ନାଳ ପେଟି ପଲିଟିକ୍ସକୁ ନେଇ ଜୋରଦାର ଚର୍ଚ୍ଚା | ଘଟଣା ଏବେ ଏଭଳି ବିବାଦୀୟ ରାଜନୈତିକ ମୋଡ଼ ନେଇଛି ଯେ ସୁବାଷ ସିଂଙ୍କ ନିଜ ଦଳ ଭାଇ ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଏବେ ସୁବାସଙ୍କୁ ସାଇଜ କରିବା ପାଇଁ ନିଜର କଟ୍ଟର ବିରୋଧୀ ମହମ୍ମଦ ମୋକିମଙ୍କ ସହ ହାତ ମିଳାଇଛନ୍ତି | କଥା ଟି ଶୁଣିବାକୁ ଟିକେ ଅଡୁଆ ଲାଗୁଥିଲେ ବି କଟକ ସହର ବାସୀଙ୍କୁ କିନ୍ତୁ ଏ ରାଜନୀତି ବୁଝିବା ପାଇଁ ବେଶୀ କଠିନ ଲାଗୁ ନାହିଁ |

ନିକଟରେ ପେଟାନାଳ ପ୍ରକଳ୍ପର ଶୁଭ ଦେବା କାର୍ଯ୍ୟକ୍ରମରେ ମେୟର ସୁବାଷ ସିଂ କଟକ ବିଜୁ ଜନତା ଦଳର ବହୁ ବରିଷ୍ଠ ନେତାଙ୍କୁ ମଧ୍ୟ ନିମନ୍ତ୍ରଣ କରିନଥିବାର ଅଭିଯୋଗ ହୋଇଛି| ଅଭିଯୋଗ ଅନୁସାରେ ସୁବାଷ ସିଏମସିର କମିଶନର, କିଛି କର୍ପୋରେଟର ଆଉ ନିଜର କିଛି ବୋଲକରା ସମର୍ଥକଙ୍କୁ ନେଇ ପେଟାନାଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ସାରିଦେଲେ |

ପୂର୍ବରୁ ବାମପନ୍ଥୀ ଦଳରେ ଥିବା ମେୟର ସୁବାଷ ସିଂ କଟକ ସହରର ବିଜେଡି ରାଜନୀତିକୁ ବହୁତ ଭଲ ଭାବରେ ବୁଝନ୍ତି | ତେଣୁ ଦଳ ବଦଳ କରି ଆସିବା ପରେ ସୁବାସ ଏଭଳି ସୁନ୍ଦର ଭାବରେ ଗୋଟି ଚଳାଇଛନ୍ତି ଯେ କଟକ ବିଜେଡିର ଆଛା ଆଛା ତୋଡ ମରା ନେତା ବି ଏବେ କଣଠେସା ହୋଇ ବସିଛନ୍ତି | ବାବୁ ସୁବାଷ କିନ୍ତୁ ଅଳ୍ପ କେଇ ଦିନରେ ବିଜୁ ଜନତା ଦଳର ବହୁ ଭଲ ଭଲ ପଦବୀରେ ବସି ସାରିଲେଣି |

ଏହି ପେଟା ନାଳ ପଲିଟିକ୍ସ ସେତେବେଳେ ରଙ୍ଗ ଧରିଲା ଯେତେବେଳେ ବିଗତ କିଛି ଦିନ ଧରି ଦେବାଶିଷ ସାମନ୍ତରାୟଙ୍କୁ ସାଇଡ ମାରୁଥିବା ସୁବାସ ସିଂ ଖୁଲମଖୁଲା ପ୍ରକଳ୍ପ ଭିତ୍ତି ପ୍ରସ୍ତର ସ୍ଥାପନ କଲେ ଆଉ ଦେବାଶିଷଙ୍କୁ ଡାକିଲେ ନାହିଁ | ଦେବାଶିଷଙ୍କୁ ଏହି ଅପମାନ ହଜମ ହେଲା ନାହିଁ ଓ ସେ ଅପମାନର ବଦଲା ନେବାପାଇଁ ଗତ ନିର୍ବାଚନରେ ତାଙ୍କୁ ହରାଇଥିବା ମହମ୍ମଦ ମୋକିମଙ୍କ କାନ୍ଧରେ ବନ୍ଧୁକ ଫୁଟାଉଥିବା ଦେଖା ଯାଉଛି |

ଦେବାଶିଷ ଏନେଇ ସାମ୍ବାଦିକଙ୍କୁ ଯାହା କହିଛନ୍ତି ସେଥିରୁ ସ୍ପଷ୍ଟ ଭାବେ ଦେଖାଯାଉଛି ଯେ, ସୁବାଷଙ୍କ ଅପମାନ ଦେବାଶିଷଙ୍କୁ ଜୋରଦାର ଲାଗିଛି | ଭିତରେ ନିଆଁ ଜାଳୁଥିଲେ ବି ମୁହଁରେ ଦେଖାଇବାକୁ ଚାହୁଁନାହାନ୍ତି ଦେବାଶିଷ | ତାଙ୍କୁ ଡ଼କାଯାଇ ନାହିଁ ବୋଲି କିଛି କହୁନଥିବା ବେଳେ ଦେବାଶିଷଙ୍କ ହୃଦୟ କାନ୍ଦୁଛି ତାଙ୍କର ପ୍ରତିଦ୍ବନ୍ଦୀ କଂଗ୍ରେସର ବିଧାୟକ ମହମ୍ମଦ ମୋକିମଙ୍କ ପାଇଁ | ଜଣେ ବିଧାୟକ ଭାବରେ ମୋକିମଙ୍କୁ ଡାକ ନଯିବା ତାଙ୍କର ପ୍ରୋଟକଲ ଭଙ୍ଗାଯାଇଛି ଓ ଅପମାନ କରାଯାଇଛି ବୋଲି ଦେବାଶିଷ କହିଛନ୍ତି |

ସେପଟେ ବିଧାୟକ ମହମ୍ମଦ ମୋକିମ ସୁବାଷ ସିଂ ଓ ଦେବାଶିଷ ସାମନ୍ତରାୟଙ୍କ ତୁ ତୁ ମେଁ ମେଁ ପଲିଟିକ୍ସ ଭିତରେ ନପସି ଦୁରେଇ ରହିବାକୁ ପସନ୍ଦ କରିଛନ୍ତି | ମୋକିମ ଙ୍କୁ ମଧ୍ୟ ସୁବାସ ଙ୍କ ଏ ଖୁଚୁରା ରାଜନୀତି ଖରାପ ଲାଗିଥିଲେ ବି ସେ ଏକଥା କହି ନିଜ ମୁହଁ ରେ କାଦୁଅ ଲଗାଇବାକୁ ଚାହୁଁ ନାହାନ୍ତି | ମୋକିମ କହିଛନ୍ତି ଯେ ପେଟା ନାଳ ବାବଦରେ ବିଗତ ଦିନରେ ସେ ହିଁ ମୁହଁ ଖୋଲି ଆସିଛନ୍ତି | ଏପରିକି ପେଟା ନାଳ ର ନର୍ଦ୍ଦମା ପାଣି ଭିତରେ ଛିଡା ହୋଇ ପ୍ରତିବାଦ କରିଛନ୍ତି | ସେ ପେଟା ନାଳ ପାଇଁ କଣ କରିଛନ୍ତି କି ନକରିଛନ୍ତି ତାହା କଟକ ବାସୀ ଜାଣନ୍ତି | ଭିତ୍ତିପ୍ରସ୍ତର ସ୍ଥାପନାକୁ ଡାକିବା ନ ଡାକିବା ଯାହାର ଦାଇତ୍ୱ ଥିଲା ତାଙ୍କର ସଂସ୍କାର ଉପରେ ନିର୍ଭର କରେ ବୋଲି ମୋକିମ କହିଛନ୍ତି|

ସେପଟେ କଟକ ବିଜେଡିର ନେତା ଓ କର୍ମୀଙ୍କ କହିବା କଥା ଯେ 2024ରେ କଟକ-ବାରବାଟୀ ଆସନ ଉପରେ ମେୟର ସୁବାଷ ସିଂଙ୍କର ନଜର ରହିଛି| ସୁବାଷ ଭାବୁଛନ୍ତି ଦେବାଶିଷ ଓ ଅନ୍ୟ ନେତା ମାନଙ୍କୁ ଏଭଳି ସାଇଡ ମାରି ସେ ବିଧାୟକ ଟିକେଟ ହଟେଇ ନେଇ ପାରିବେ | ତେବେ ଆଗାମୀ ଦିନରେ ଦେଖିବାକୁ ବାକି ରହିଲା ଯେ ଦେବାଶିଷ ଅପମାନକୁ ଭିତରେ ଭିତରେ ପିଇ ଯାଉଛନ୍ତି ନା ରାଜନୈତିକ ଦାଓଁ ପେଞ୍ଚ୍ ରେ ସୁବାଷଙ୍କୁ ଏହି ଅପମାନ ସୁଝାଇ ଦେଉଛନ୍ତି |

Related Posts