ଭୁବନେଶ୍ୱର,୧୨/୬(ସତ୍ୟପାଠ ବ୍ୟୁରୋ): ଆଗକୁ ନିର୍ବାଚନ ରହିଲା ଆଉ କେଇ ମାସ | ତେବେ ନିର୍ବାଚନ ପୂର୍ବରୁ ନେତୃତ୍ୱକୁ ନେଇ ଏବେ ପ୍ରଦେଶ କଂଗ୍ରେସ କମିଟି ଭିତରେ ଆରମ୍ଭ ହୋଇଯାଇଛି ଜୋରଦାର ଛକାପଞ୍ଝା | ଯାହାକି କଂଗ୍ରେସ ରାଜନୀତିରେ ସାଧାରଣତଃ ଦେଖିବାକୁ ମିଳେ କି ନିର୍ବାଚନ ଆସିବା କ୍ଷଣି ପିସିସି ହଟାଇବା ପାଇଁ ଜୋରଦାର ଲବି ଦିଲ୍ଲୀରେ ଆରମ୍ଭ ହୋଇଯାଏ | ଓଡିଶା ନେତା ପିସିସି ସଭାପତି ବଦଳାଇବା ପାଇଁ ଦିଲ୍ଲୀରେ ଡେରା ପକାନ୍ତି | କିନ୍ତୁ ଏବେ ଏକ ନୂଆ ପ୍ରକାରର ଛକାପଞ୍ଝା ରାଜ୍ୟ କଂଗ୍ରେସରେ ଦେଖିବାକୁ ମିଳୁଛି | ଆଉ ସେ ଛକାପଞ୍ଝାର ମୁଖ୍ୟ ଚରିତ୍ର ହେଉଛନ୍ତି ପୂର୍ବତନ ବ୍ୟୁରୋକ୍ରାଟ ତଥା ରାଜ୍ୟ କଂଗ୍ରେସର ପ୍ରଚାର କମିଟି ଅଧକ୍ଷ ବିଜୟ ପଟ୍ଟନାୟକ |
ବିଜୟ ପଟ୍ଟନାୟକଙ୍କୁ ନେଇ ଏବେ ପ୍ରଦେଶ କଂଗ୍ରେସ କମିଟିର ଅନେକ ନେତାଙ୍କ ପ୍ରତିକ୍ରିୟା ହେଲା ଯେ ପିସିସିର ବସ ହେବାପାଇଁ ବିଜୟ ବାବୁ ଏବେ ଭାରି ବ୍ୟସ୍ତ | ଶରତ ପଟ୍ଟନାୟକଙ୍କୁ ସାଇଡ ମାରି ପିସିସି ସଭାପତି ନହେଲେ ବି ପିସିସି ର ରିମୋର୍ଟ କଣ୍ଟ୍ରୋଲ ନିଜ ପାଖରେ ରଖିବା ପାଇଁ ଏବେ ବିଜୟ ପଟ୍ଟନାୟକ ଆରମ୍ଭ କରିଛନ୍ତି ନୂଆ ଦାଓ ପେଂଚ | ବିଜୟଙ୍କର ପିସିସି ଭିତରେ ଏହି ରିମୋର୍ଟ କଣ୍ଟ୍ରୋଲ ପଲିଟିକ୍ସର ଦାଓ ପେଂଚ ହେଲା, ଆଗାମୀ ଜୁନ 15 ତାରିଖ ରଜ ସଂକ୍ରାନ୍ତିରେ ପ୍ରଚାର କମିଟି ପକ୍ଷରୁ କଂଗ୍ରେସ ଭାବନରେ ଡ଼କାଯାଇଥିବା ଏକ ଗୁରୁତ୍ୱପୂର୍ଣ ବୈଠକ | ଆଉ ଏହି ବୈଠକକୁ ନେଇ କଂଗ୍ରେସ ମହଲରେ ଆରମ୍ଭ ହୋଇଯାଇଛି ଜୋରଦାର ଚର୍ଚ୍ଚା | କିଭଳି ଭାବରେ ଆଗାମୀ ନିର୍ବାଚନରେ ପ୍ରଚାର ହେବ ସେନେଇ ଏକ ରଣନୀତି ପ୍ରସ୍ତୁତ କରିବା ପାଇଁ ପିସିସି ସଭାପତି, ସମସ୍ତ ପୂର୍ବତନ ପିସିସି ସଭାପତି, ପିସିସିର କାର୍ଯ୍ୟକର୍ତ୍ତାଙ୍କ ସମେତ ରାଜ୍ୟ କଂଗ୍ରେସର ଛାମୁଆ ସଂଗଠନର ମୁଖ୍ୟମାନଙ୍କୁ ଏହି ବୈଠକକୁ ଡକାଯାଇଛି |
ତେବେ ବିଜୟ ପଟ୍ଟନାୟକ ଡ଼ାକିଥିବା ଏହି ବୈଠକକୁ ନେଇ ଅନେକଙ୍କ କହିବା କଥା ହେଲା ଯେ ଏଭଳି ଏକ ଗୁରୁତ୍ୱପୂର୍ଣ ବୈଠକ ପିସିସି ସଭାପତି ହିଁ ଡାକି ପାରିବେ | ପ୍ରଚାର କମିଟି ଅଧକ୍ଷ ଦଳର ସମ୍ବିଧାନର କେଉଁ ନିୟମ ବଳରେ ଏଭଳି ଏକ ବୈଠକ ଡାକିଛନ୍ତି ? ଭାରତୀୟ ଜାତୀୟ କଂଗ୍ରେସର ସମ୍ବିଧାନ କୁ ଯଦି ଦେଖିବେ ତାହାଲେ ଦଳର ପ୍ରଚାର କମିଟି ଅଧକ୍ଷ ଭଳି ଗୁରୁତ୍ୱପୂର୍ଣ ପଦବୀ ଟିଏ ନାହିଁ | ଯେତେବେଳେ ଦଳର ସମ୍ବିଧାନରେ ପ୍ରଚାର କମିଟି ଅଧକ୍ଷଙ୍କୁ ସେଭଳି କ୍ଷମତା ଦିଆଯାଇନାହିଁ, ସେ ସମୟରେ ବିଜୟ ପଟ୍ଟନାୟକ କିଭଳି ଏହି ବୈଠକ ଡାକିଲେ ତାକୁ ନେଇ ପ୍ରଶ୍ନ ଉଠିଛି |
ଅନ୍ୟପଟେ କିଛି ନେତାଙ୍କ କହିବା କଥା ଯେ ପ୍ରଚାର କମିଟି ଅଧକ୍ଷଙ୍କ ଭୂମିକା ସେତେବେଳେ ଆସେ ଯେତେବେଳେ ନିର୍ବାଚନ ଘୋଷଣା କରାଯାଏ | ଆଉ ନିର୍ବାଚନ ସମୟରେ ପ୍ରଚାର ସମ୍ପର୍କିତ ରଣନୀତି ଓ ଯୋଜନା ପ୍ରସ୍ତୁତ କରିବା ହେଉଛି ତାଙ୍କ କାମ | ଯେତେବେଳେ ନିର୍ବାଚନ ଘୋଷଣା ହୋଇନାହିଁ କି ଦଳର ସମ୍ବିଧାନରେ ପ୍ରଚାରର କମିଟି ଅଧକ୍ଷଙ୍କର ସେଭଳି କିଛି କ୍ଷମତା ନାହିଁ ସେତେବେଳେ ପିସିସି ସଭାପତିଙ୍କୁ ସାଇଡ ମାରି ନିଜେ ବିଜୟ ପଟ୍ଟନାୟକ ଏଭଳି ଏକ ଗୁରୁତ୍ୱପୂର୍ଣ ବୈଠକ ଡାକିବା କେତେଦୂର ସମିଚିହ୍ନ ? ସେପଟେ ଏହି ଘଟଣାରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନୀରବତା ଘଟଣାକୁ ଆହୁରି ରୋଚକ କରିଛି | ପିସିସି ସଭାପତିଙ୍କୁ ସମସ୍ତଙ୍କ ସାମ୍ନାରେ ଗୌଣ କରାଯାଉଥିବା ସତ୍ୱେ ଶରତ ଚୁପ ରହିଛନ୍ତି |
ଏହି ବୈଠକକୁ ଦେଖି ଅନେକଙ୍କ କହିବା କଥା ଯେ ଏବେ ବିଜୟ ପିସିସିର ବସ ହେବାପାଇଁ ବହୁ ବ୍ୟସ୍ତ ଅଛନ୍ତି | ଲେଖାଯୋଖା ବିଦ୍ଧିବଦ୍ଧ ପିସିସି ସଭାପତି ଭାବେ ନିଯୁକ୍ତି ନ ମିଳିଥିଲେ ବି ଏବେ ରିମୋର୍ଟରେ ପିସିସିକୁ ଚଳେଇବାର ଯୋଜନା ଆରମ୍ଭ କରିଛନ୍ତି ବିଜୟ ବାବୁ | ଏବେ ଦେଖିବାକୁ ବାକି ରହିଲା ଯେ କଂଗ୍ରେସ ନେତାଏଁ ଏହାକୁ କେତେଦୂର ଗ୍ରହଣ କରୁଛନ୍ତି ଆଉ ବିଜୟ ରିମୋର୍ଟରେ କଂଗ୍ରେସକୁ ବସ ଭାବରେ ଚଲେଇବାରେ ସଫଳ ହେଉଛନ୍ତି ନା ନାହିଁ |





