ଭୁବନେଶ୍ୱର,୧୪/୬(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ଏବେ ଅଘୋଷିତ ବିଦ୍ୟୁତ କାଟ କୁ ନେଇ ଲୋକେ ହନ୍ତସନ୍ତ ହେଉଥିବା ବେଳେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି | ଆଜି ରାଜ୍ୟରେ ଥିବା ସମସ୍ତ ଟାଟା ପାୱାର କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ପ୍ରତିବାଦ କରିଥିବା ବେଳେ ଏବେ ସମାନ ପ୍ରସଙ୍ଗକୁ ନେଇ ରାସ୍ତାକୁ ଓହ୍ଲାଇବ କଂଗ୍ରେସ । ଆସନ୍ତା ୧୯ ତରିଖରେ ଗ୍ରିଡକୋ ଅଫିସ ଘେରାଉ କରିବ ଦଳ। ପରେ ସମସ୍ତ ଜିଲ୍ଲାସ୍ତରରେ ଆନ୍ଦୋଳନ କରିବ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ ସେମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ଶରତ କହିଛନ୍ତି, ଓଡ଼ିଶାର ଜନସାଧାରଣଙ୍କ ସହ ଛଳନାର ଖେଳ ଖେଳୁଛନ୍ତି ଉଭୟ ବିଜେପି ଓ ବିଜେଡ଼ି । ଲୋକଙ୍କୁ ହଇରାଣ କରିବାକୁ ବିଜେପି ଓ ବିଜେଡ଼ି ପ୍ରତିଯୋଗିତା କରୁଛନ୍ତି । ବିଜେଡି ଗ୍ୟାସ ପାଇଁ ଓ ବିଜେପି ବିଦ୍ୟୁତ୍ କଥା କହି ଖେଳ ଖେଳୁଛନ୍ତି। ୨୦ ହଜାର କୋଟି ଟଙ୍କା ଭିତ୍ତିଭୂମି ସଜାଡିବାକୁ ଦେଇଛନ୍ତି। ୫ ହଜାର କୋଟି ଟଙ୍କା ଟାଟାକୁ ଦିଆଯାଇଛି। ଆଉ ୧୫ ହଜାର କୋଟି କୁଆଡେ ଗଲା। ପୁରୁଣା ଭିତ୍ତିଭୂମିରେ ଚାଲିଛି ସେବା। ୧୫ ହଜାର କୋଟି ଖର୍ଚ୍ଚ ହୋଇଥିଲେ ସ୍ଥିତି ସୁଧୁରି ଥାଆନ୍ତା ବୋଲି କହିଛନ୍ତି ଶରତ ।
ସେପଟେ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି ଯେ, ଏବେ ଗ୍ରାମାଞ୍ଚଳରେ ସ୍ଥିତି ଅସମ୍ଭାଳ। ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ କାଟ୍ ହେଉଛି । କାହିଁକି ଏମିତି ବାରମ୍ବାର ହେଉଛି ତାହାର ହିସାବ ରଖନ୍ତୁ ସରକାର । ଭିତ୍ତିଭୂମି ପାଇଁ ଆସିଥିବା ଅର୍ଥ କୁଆଡେ ଗଲା । ଶ୍ୱେତପତ୍ର ଦିଅନ୍ତୁ ସରକାର। କଣ ଖର୍ଚ୍ଚ କରିଛନ୍ତି, ତାହାର ହିସାବ ଦିଅନ୍ତୁ । ଟାଟା ନେବା ପୂର୍ବରୁ ଯେଉଁ ବକେୟା ଅର୍ଥ ଥିଲା ତାହାକୁ ଆଦାୟ ପାଇଁ ଚାପ ପ୍ରୟୋଗ କରାଯାଉଛି। ଲାଇନ୍ କାଟିବାକୁ ଧମକ ଦିଆଯାଉଛି। ଜୋର୍ ଜବରଦସ୍ତ ବିଦ୍ୟୁତ୍ ବିଲ ସଂଗ୍ରହ କରାଯାଉଛି। ସେମାନଙ୍କୁ ସୂଚାଇ ଦେବାକୁ ଚାହୁଁଛୁ ଯେ, ଓଡ଼ିଶାରେ ଗୁଣ୍ଡା ଗର୍ଦ୍ଦି ଚଳିବନି । ମନଇଚ୍ଛା ବିଲ୍ କରି ପଢାଇଲେ କିଏ ଟଙ୍କା ଦେବ । ପୂର୍ବରୁ ଯାହା ବି ବକେୟା ଟଙ୍କା ଥିଲା ତାହାକୁ ଛାଡ କରନ୍ତୁ ସରକାର ।
ଏହାଛଡା ସେ ଆହୁରି କହିଛନ୍ତି, ଗୋଟିଏ ତାରିଖରେ ବିଲ ସଂଗ୍ରହ କରାଯାଉ। ଭିନ୍ନ ଭିନ୍ନ ତାରିଖରେ ବିଲ ସଂଗ୍ରହ କରି ଚଞ୍ଚକତା କରୁଛନ୍ତି। ଏମିତି କଲେ ଜନସାଧାରଣ ସହିବେନି । ଓଡ଼ିଶାବାସୀଙ୍କୁ ବିନା ବିଜୁଳିରେ ରହିବା ସହ ଅଭ୍ୟସ୍ତ କରି ସାରିଲେଣି ରାଜ୍ୟ ସରକାର । ୨୪ ବର୍ଷ ଶାସନର ଏହା ହେଉଛି ବାହାଦୁରୀ । ବିଦ୍ୟୁତ ବଳକା ରାଜ୍ୟ ହୋଇ ମଧ୍ୟ ଏଭଳି ଅବସ୍ଥା କାହିଁକି? ପାୱାରକଟ ବନ୍ଦ ହେଉ, ଲୋ ଭୋଲଟେଜ ସମସ୍ୟାକୁ ବନ୍ଦ କରାଯାଉ । ନଚେତ ଗରମରେ ଯେଉଁ ହନ୍ତସନ୍ତ ହେଉଛନ୍ତି ତାହାର ନିଶ୍ୱାସ ଏ ସରକାର ଉପରେ ପଡିବ । ୨୦୦୦ ମସିହାରୁ ୪୨ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି। କିନ୍ତୁ ଭିତ୍ତିଭୂମି ସୁଦୃଢ଼ ହୋଇନାହିଁ। ଉଭୟ ଦଳ ପ୍ରହସନ କରୁଛନ୍ତି ବୋଲି କହିଛନ୍ତି ଶରତ ।





