ଭୁବନେଶ୍ୱର,୧୪/୬(ସତ୍ୟପାଠ ବ୍ୟୁରୋ): ଜୁନ ୧୭ ରେ ଓଡ଼ିଶା ଆସିବେ ନାହିଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ । ବାତ୍ୟା ‘ବିପର୍ଯ୍ୟୟ’ ଏବେ ଗୁଜରାଟ ମୁହାଁ ହୋଇଥିବା ବେଳେ ଏହା ଆସନ୍ତାକାଲି ଉପକୂଳ ଛୁଇଁବ ବୋଲି ପୂର୍ବାନୁମାନ କରାଯାଇଛି । ବାତ୍ୟା ଉପରେ କେନ୍ଦ୍ର ସରକାର ତୀକ୍ଷଣ ନଜର ରଖିବା ସହ ମନିଟରିଂ କରୁଛନ୍ତି । ତେଣୁ ବାତ୍ୟା ବିପର୍ଯ୍ୟୟ କୁ ନଜରରେ ରଖି ଆସନ୍ତା ୧୭ରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଗସ୍ତ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି ।
୧୭ ତାରିଖରେ ଅମିତ୍ ଶାହ ଢେଙ୍କାନାଳ ସହ ସାଲେପୁରରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବାର ଥିଲା । ଏବେ ଗସ୍ତକୁ ସ୍ଥଗିତ ରଖାଯାଇଥିବା ବେଳେ ପରବର୍ତ୍ତୀ ତାରିଖ ପରେ ଘୋଷଣା କରାଯିବ । ବାତ୍ୟା ‘ବିପର୍ଯ୍ୟୟ’ ପରେ ପୁଣି ଥରେ ତାରିଖ ଘୋଷଣା ହେବ ବୋଲି କହିଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ।
ତେବେ, ଆସନ୍ତା ୨୨ ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟ ଜେପି ନଡ୍ଡା କଳାହାଣ୍ଡି ଆସିବେ । ସେଥିରେ କୌଣସି ପରିବର୍ତ୍ତନ କରାଯାଇ ନଥିବା କହିଛନ୍ତି ପୃଥ୍ୱୀରାଜ ହରିଚନ୍ଦନ । ଅମିତ ଶାହ ପୁଣି କେବେ ଓଡ଼ିଶା ଆସିବେ ସେନେଇ ତାରିଖ ସ୍ଥିର ପରେ ଜଣାଇ ଦିଆଯିବ ବୋଲି କହିଛନ୍ତି ବିଜେପି ନେତା ।





