MKCG ମେଡିକାଲ କଲେଜରେ ଡାକ୍ତରୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ

ଭୁବନେଶ୍ୱର,୧୬/୬(ସତ୍ୟପାଠ ବ୍ୟୁରୋ): ବ୍ରହ୍ମପୁର ସ୍ଥିତ MKCG ମେଡିକାଲ କଲେଜ ଓ ହସ୍‌ପିଟାଲରେ ଜଣେ ଡାକ୍ତରୀ ଛାତ୍ରୀଙ୍କର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ଛାତ୍ରୀ ଜଣକ ନାଁ ସୁଭାନୀ ପଟ୍ଟନାୟକ ବୋଲି ସୂଚନା ମିଳିଛି। ସେ ପିଜି ପ୍ରଥମ ବର୍ଷର ଚର୍ମ ବିଭାଗର ଛାତ୍ରୀ ଥିଲେ।

ସୁଭାନୀଙ୍କ ଘର ପୁରୁଷୋତ୍ତମପୁର ହୋଇଥିବା ବେଳେ ସେ ହଷ୍ଟେଲରେ ରହୁଥିଲେ। ଗୁରୁବାର ସକାଳେ ତାଙ୍କର ସାଙ୍ଗମାନେ ହସ୍‌ପିଟାଲ ଯିବା ପାଇଁ ବାହାରିବା ବେଳେ ତାଙ୍କ ରୁମ୍ ବନ୍ଦ ଥିଲା। ସେ ବାହାରି ନଥିଲେ। ପରେ ଜଣାପଡ଼ିଲା ତାଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ପୁଲିସ ପକ୍ଷରୁ ସୁଭାନୀଙ୍କ ବାପାଙ୍କ ବୟାନ ରେକର୍ଡ କରାଯାଇଛି। ତାଙ୍କ ବାପାଙ୍କ ସୂଚନା ଆଧାରରେ ପୁଲିସ କହିଛି ଯେ ସୁଭାନୀଙ୍କର ମାଇଗ୍ରେନ ସମସ୍ୟା ଥିଲା। ସେଥିପାଇଁ ସେ ଔଷଧ ଖାଉଥିଲେ। ଔଷଧର ଓଭରଡୋଜ ଯୋଗୁ ତାଙ୍କର ସମସ୍ୟା ହୋଇଥାଇପାରେ ବୋଲି ତାଙ୍କ ବାପା ଆଶଙ୍କା କରୁଛନ୍ତି। ତେବେ ସୁଭାନୀ ନିଜେ ଜଣେ ଡାକ୍ତର ହୋଇଥିବାରୁ ଔଷଧର ଓଭରଡୋଜ କେମିତି ନେଲେ, ତା’ ଉପରେ ସମସ୍ତଙ୍କର ସନ୍ଦେହ ହେଉଛି।

ପୁଲିସ ଶବକୁ ଜବତ କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଇଛି। ତା’ସହିତ ସୁଭାନୀଙ୍କ ହଷ୍ଟେଲ ରୁମ୍‌ରେ ପହଞ୍ଚି ଯାଞ୍ଚ କରିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସୁଭାନୀଙ୍କ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

Related Posts