ଭୁବନେଶ୍ୱର,୧୮/୬(ସତ୍ୟପାଠ ବ୍ୟୁରୋ): ଯାଜପୁର ସୂଚନା ଅଧିକାର କର୍ମୀ ସର୍ବେଶ୍ଵର ବେଉରାଙ୍କ ଗିରଫ ନିନ୍ଦା କରି ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ପ୍ରେସମିଟ୍ କରି କହିଛନ୍ତି ଯେ, ‘ଶାସକ ଦଳର ୨୩ବର୍ଷ ଶାସନ ପୁରିଗଲା ହେଲେ ରାଜ୍ୟରେ ଅବସ୍ଥା ସୁଧୁରିବା ପରିବର୍ତ୍ତେ ଦିନକୁ ଦିନ ବିଗିଡିବାରେ ଲାଗିଛି। ୨୩ ବର୍ଷ ଭିତରେ ବିଜେଡି ଓଡିଶାକୁ ଉଇ ଭଳି ଭିତରୁ ଖାଇ ନଷ୍ଟ କରି ସାରିଲେଣି। ରାଜ୍ୟରେ ଦୁର୍ନୀତି ଲୁଚାଇବା ପାଇଁ ବିଜୁ ଜନତା ଦଳ ଆକ୍ରୋଶର ରାଜନୀତି କରୁଛି । ଯିଏ ବିଜେଡିର କ୍ଷମତାକୁ ଚ୍ୟାଲେଞ୍ଜ କଲା ତାକୁ ଆକ୍ରମଣ କରାଯାଉଛି ବୋଲି ସେ କହିଛନ୍ତି।
ସେ ଆହୁରି କହିଛନ୍ତି, ଏହାର ଏକ ଜ୍ୱଳନ୍ତ ଉଦାହରଣ ଘଟଣା ଘଟିଛି ଯାଜପୁରରେ। ବିଜେପି କର୍ମୀ ତଥା ଯାଜପୁର ସୂଚନା ଅଧିକାର କର୍ମୀ ସର୍ବେଶ୍ଵର ବେଉରାଙ୍କ ଗିରଫ ନିନ୍ଦା କରି ଏମିତି ଅଭିଯୋଗ କରିଛି ବିଜେପି। କ୍ଷମତାକୁ ଆକ୍ରମଣ କରିବାରୁ ତାଙ୍କୁ ମିଛ ମାମଲାରେ ଗିରଫ କରାଯାଥିବା ସେ ପ୍ରେସମିଟରେ କହିଛନ୍ତି।
ଏହାସହ ସର୍ବେଶ୍ବରଙ୍କ ଗିରଫ ପ୍ରସଙ୍ଗରେ ଲେଖାଶ୍ରୀ କହିଛନ୍ତି, “ଯାଜପୁର ଜିଲ୍ଲାରେ ଖଣି ଲୁଟକୁ ସାମ୍ନାକୁ ଆଣିଥିଲେ ସର୍ବେଶ୍ଵର । ଡଙ୍କାରୀ ଏବଂ ବିଛାଖଣ୍ଡି ବେଆଇନ ଖଣି ଲୁଟ ବନ୍ଦ କରିବା ସହ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ସର୍ବେଶ୍ଵର ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ସ୍ଥାନୀୟ ବିଧାୟକ ପ୍ରଣବ ବଳବନ୍ତରାୟଙ୍କର ବେଆଇନ ଇଟା ଭାଟିକୁ ବି ବିରୋଧ କରିଥିଲେ ସର୍ବେଶ୍ଵର । ତେଣୁ ବିଭିନ୍ନ ସମୟରେ ତାଙ୍କ ବିରୋଧରେ ମିଛ ମାମଲା କରିଛି ପ୍ରଶାସନ । ପୂର୍ବରୁ ୨୦୨୧ରେ ବି ତାଙ୍କ ଉପରେ ବୋମାମାଡ଼ ହୋଇଥିଲା ।
ଉଈ ଭଳି ଓଡ଼ିଶାକୁ ଖାଇ ଖୋଳ କରି ସାରିଲାଣି ବିଜେଡି । ଏସବୁକୁ ଚାପିବାକୁ ଏବେ ଏମିତି ରାଜନୀତି କରୁଛି ଶାସକ ଦଳ । ସେହିପରି ଯାଜପୁରରେ ଖଣି ଖାଦାନ ବେଆଇନ ଖନନକୁ ଲୋକାୟୁକ୍ତ ପ୍ରତିବନ୍ଧକ ଲଗାଇଥିବାବେଳେ ଭିଜିଲାନ୍ସକୁ ଦାୟିତ୍ଵ ଦିଆଯାଇଥିଲା ଏହି ଦୁଇଟି ଖନନ ମାମଲାର ତଦନ୍ତ ପାଇଁ । କିନ୍ତୁ ସେଠାରେ ବେଆଇନ ଭାବେ ଖନନ ଚାଲିଥିବାବେଳେ ବିରୋଧ କଲେ ତାଙ୍କ ନାଁରେ ମିଥ୍ଯା କେସ୍ ଲଗାଇ ଥାନାରେ ଗିରଫ କରାଯାଉଛି ବୋଲି ପ୍ରେସ୍ମିଟରେ କହିବା ସହ ବିଜେଡି ଉପରେ ବର୍ଷିଛନ୍ତି ଲେଖାଶ୍ରୀ ।
ସେ ଆହୁରି କହିଛନ୍ତି ଯେ, “ହିଂସାର କୌଣସି ଅନ୍ତ ନାହିଁ । ଏଭଳି ହିଂସାର ରାଜନୀତି ରାଜ୍ୟ ପାଇଁ ମଙ୍ଗଳ ନୁହେଁ। ସର୍ବେଶ୍ଵରଙ୍କ ନାଁରୁ ମିଛ ମାମଲା ପ୍ରତ୍ୟାହାର କରି ବିନା ଦୋଷରେ ଖଲାସ କରାଯାଉ । ନହେଲେ ଶାସକ ଦଳର ଦୁର୍ନୀତିଗ୍ରସ୍ତ ନେତାଙ୍କୁ ବିଜେପି ଘରୁ ବାହାର କରେଇ ଦେବ ନାହିଁ ।” ଏହା କହିବା ସହ ଅସହିଷ୍ଣୁ ରାଜନୀତି ତଥା ହିଂସା ରାଜନୀତିରୁ ଅବ୍ୟାହତ ରହିବାକୁ ପ୍ରେସମିଟ ଜରିଆରେ ଚେତାବନୀ ଦେଇଛି ବିଜେପି ।





