୨୦୨୪ ନିର୍ବାଚନରେ ୟୁପିଏ-୩ର ଅନେକ ସମ୍ଭାବନା ରହିଛି: କପିଲ ଶିବଲ

ଭୁବନେଶ୍ୱର,୧୮/୬(ସତ୍ୟପାଠ ବ୍ୟୁରୋ): ରାଜ୍ୟସଭା ସାଂସଦ କପିଲ ଶିବଲ ୨୦୨୪ ସାଧାରଣ ନିର୍ବାଚନରେ ୟୁପିଏ-୩ର ଅନେକ ସମ୍ଭାବନା ଥିବା କହିଛନ୍ତି। ତେବେ ଏଥିପାଇଁ ସେ ଏକ ସର୍ତ୍ତ ମଧ୍ୟ ରଖିଛନ୍ତି। ତାହା ହେଉଛି ବିରୋଧୀ ଦଳଙ୍କ ଉଦ୍ଦେଶ୍ୟ ଏକଜୁଟ ହେବା ଦରକାର, ଏହାକୁ ପ୍ରତିବିମ୍ବିତ କରୁଥିବା ଏକ ଏଜେଣ୍ଡା ହେବା ଦରକାର ଓ ଲୋକସଭା ନିର୍ବାଚନରେ ବିଜେପିର ମୁକାବିଲା ନିମନ୍ତେ ପ୍ରାର୍ଥୀ ଛିଡା କରିବା ସମୟରେ ‘କିଛି ପାଇବାକୁ ଓ ଦେବାକୁ’ ପ୍ରସ୍ତୁତ ରହିବା ଦରକାର ବୋଲି ସେ କହିଛନ୍ତି।

ଶିବଲ ଆହୁରି କହିଛନ୍ତି ଯେ, ଦଳମାନଙ୍କର କମନ ମିନିମମ ପ୍ରୋଗ୍ରାମ ବଦଳେ ବିରୋଧୀ ଦଳଙ୍କୁ ଭାରତ ଲାଗି ନୂଆ ବିଚାରର କଥା ହେବା ଦରକାର । ଶିବଲଙ୍କ ଏହି ବୟାନ ଏପରି ଏକ ସମୟରେ ଆସିଛି ଯେତେବେଳେ ଆସନ୍ତା ଜୁନ ୨୩ରେ ପାଟନା ଠାରେ ବିରୋଧୀ ଦଳମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଏହି ବୈଠକର ଆୟୋଜନ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର କରିଛନ୍ତି।

ନିତିଶଙ୍କ ଏହି ବୈଠକରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ରାହୁଲ ଗାନ୍ଧି, ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ, ଆମ ଆଦମୀ ପାର୍ଟି କନଭେନର ଅରବିନ୍ଦ କେଜରିୱାଲଙ୍କ ସମେତ ଅନେକ ନେତା ଆଗାମୀ ବର୍ଷ ହେବାକୁ ଯାଉଥିବା ଲୋକସଭା ନିର୍ବାଚନରେ ବିଜେପି ବିରୋଧୀ ମେଣ୍ଟ କରିବାକୁ ବିଚାରବିମର୍ଷ କରିବେ। ଶିବଲ କହିଛନ୍ତି ଯେ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସର ବିଜୟ ଏହି କଥାର ପ୍ରମାଣ ଯେ ବିଜେପିକୁ ହରାଯାଇ ପାରିବ। ତେବେ ଲୋକସଭା ନିର୍ବାଚନ ବିଧାନସଭା ନିର୍ବାଚନ ଭଳି ନୁହେଁ ବୋଲି ସେ ଆଗୁଆ ସତର୍କ କରାଇ ଦେଇଛନ୍ତି।

ସେ କହିଛନ୍ତି ଯେ ,ଲୋକସଭା ନିର୍ବାଚନ ଅଲଗା ଆଧାରରେ ଲଢାଯାଇଥାଏ। ତେବେ ସେ ସ୍ପଷ୍ଟ କରିଦେଇଛନ୍ତି ଯେ ୨୦୨୪ ଲୋକସଭା ନିର୍ବାଚନ ଲଢେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ନୁହେଁ ବରଂ ସେହି ବିଚାରଧାରା ବିରୋଧରେ ହେବ ଯାହାକୁ ସେ କାୟମ ରଖିବାକୁ ଚାହୁଁଛନ୍ତି ବୋଲି ଶିବଲ କହିଛନ୍ତି।

Related Posts