ବାହାନଗା ଟ୍ରେନ୍‌ ଦୁର୍ଘଟଣା: ସୋର ସେକସନ୍‌ ସିଗନାଲ ଜେଇଙ୍କ ଘର ସିଲ୍‌ କଲା ସିବିଆଇ

ଭୁବନେଶ୍ୱର,୧୯/୬(ସତ୍ୟପାଠ ବ୍ୟୁରୋ): ବାଲେଶ୍ବର ଜିଲ୍ଲା ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ସିବିଆଇ ଆଜି ସୋର ସେକସନ ସିଗନାଲ ଜୁନିୟର ଇଂଜିନିୟର (ଜେଇ)ଙ୍କ ଭଡ଼ା ଘରେ ଚଢ଼ଉ କରିଛି। ବାଲେଶ୍ବର ଜିଲ୍ଲା ସୋର ଥାନା ଅନ୍ତର୍ଗତ କମରପୁରସ୍ଥିତ ସୋର ସେକସନ ସିଗନାଲ ଜେଇ ଅମୀର ଖାନଙ୍କ ଠିକଣାରେ ଆଜି ସିବିଆଇ ଚଢ଼ଉ ପରେ ଘର ସିଲ କରିଥିବା ସୂଚନା ମିଳିଛି।

ସୂଚନା ଅନୁସାରେ ସୋର ସେକସନ ସିଗନାଲ ଜୁନିୟର ଇଂଜିନିୟର ଅମୀର ଖାନ୍‌ଙ୍କ ଭଡ଼ାଘରେ ସିବିଆଇର ୪ ଜଣିଆ ଟିମ୍‌ ଆଜି ସକାଳ ୮ଟାରୁ ଚଢ଼ଉ କରିଥିଲେ। ସିବିଆଇର ଏହି ଟିମ୍‌ରେ ଓଆରପିର ୨ ଜଣ କନଷ୍ଟେବଳ ଓ ଅନ୍ୟ ୨ ଜଣ କର୍ମଚାରୀ ସାମିଲ ଥିଲେ। ସିବିଆଇ ଟିମ୍‌ ଆଜି ସକାଳ ୮ଟାରେ ସିଗନାଲ ଜେଇ ଶ୍ରୀ ଖାନଙ୍କ ଘରେ ପହଞ୍ଚି ଥିଲେ। କିନ୍ତୁ ସେଠାରେ କେହି ନଥିବାରୁ ଦୀର୍ଘ ସମୟ ଧରି ଅପେକ୍ଷା କରିଥିଲେ। ଶେଷରେ ସିବିଆଇ ଟିମ୍‌ ଭଡ଼ା ଘରକୁ ସିଲ କରିଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ଗତ ୨ ତାରିଖ ଦିନ ବାହାନଗରେ ଶାଲିମାର-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ୍‌, ଯଶବନ୍ତପୁର-ହାୱଡା ଓ ଏକ ମାଲଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବା କାରଣରୁ ୨୯୨ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିଲା। ୧ହଜାରରୁ ଅଧିକ ଲୋକ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଶତାଧିକ ଗୁରୁତର ଥିଲେ। ଏହି ଦୁର୍ଘଟଣାକୁ ୧୭ ଦିନ ବିତି ଯାଇଥିଲେ ବି ଏବେ ସୁଦ୍ଧା କିଛି ଯାତ୍ରୀଙ୍କ ଚିକିତ୍ସା ବିଭିନ୍ନ ହସ୍‌ପିଟାଲରେ ଜାରି ରହିଛି।

Related Posts