ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଜାତିସଂଘର ମୁଖ୍ୟାଳୟରେ ଆୟୋଜିତ ଯୋଗ ଶିବିରରେ ଯୋଗ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ୩ ଦିନିଆ ଐତିହାସିକ ଆମେରିକା ଗସ୍ତରେ ରହିଛନ୍ତି। ଆମେରିକାରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ‘ଲୋଟି ନ୍ୟୁୟର୍କ ପାଲେସ୍ ହୋଟେଲ୍’ରେ ଏଲନ୍ ମସ୍କ୍ଙ୍କୁ ଭେଟିଥିଲେ। ଏହା ପରେ ସେ ଜାତିସଂଘର ମୁଖ୍ୟାଳୟରେ ପହଞ୍ଚିଥିଲେ। ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଜାତିସଂଘର ମୁଖ୍ୟାଳୟରେ ଯୋଗ କରିଥିବା ଦେଖାଯାଇଥିଲା। ସେ ୧୮୦ଟି ଦେଶର ପ୍ରତିନିଧିଙ୍କ ସହିତ ମିଶି ଯୋଗାଭ୍ୟାସ କରିଥିଲେ।
ମୋଦୀ ଯୋଗାଭ୍ୟାସ ଆରମ୍ଭ କରିବା ପୂର୍ବରୁ ଜାତିସଂଘରେ ଭାରତର ରାଷ୍ଟ୍ରଦୂତ ରୁଚିରା କମ୍ବୋଜ ଉପସ୍ଥିିତ ଅତିଥିଙ୍କୁ ସମ୍ବୋଧିତ କରିଥିଲେ। ସେ କହିଥିଲେ ଯେ ଆଜିର ଉତ୍ସବ ପ୍ରକୃତରେ ବିଶେଷ କାରଣ ପ୍ରଧାନମନ୍ତ୍ରୀ ମୋଦୀ ଏଠାରେ ଯୋଗ କରିବା ପାଇଁ ଆମର ନେତୃତ୍ବ ନେବେ। ତାଙ୍କ ନେତୃତ୍ୱରେ ଜୁନ୍ ୨୧କୁ ଆନ୍ତର୍ଜାତୀୟ ଯୋଗ ଦିବସ ଭାବେ ଘୋଷଣା କରାଯାଇଥିଲା।
ରୁଚିରା କମ୍ବୋଜଙ୍କ ପରେ ପ୍ରଧାନମନ୍ତ୍ରୀ ମୋଦୀ ଉପସ୍ଥିତ ଅତିଥିଙ୍କୁ ସମ୍ବୋଧିତ କରିଥିଲେ। ସେ କହିଥିଲେ, ଆମେ ସମଗ୍ର ମାନବିକତାର ସଭାସ୍ଥଳରେ ଏକାଠି ହୋଇଛୁ। ମୁଁ ଆପଣ ସମସ୍ତଙ୍କୁ ଦେଖି ଆନନ୍ଦିତ ଏବଂ ଆସିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି। ମୋତେ କୁହାଯାଇଛି ଯେ ପ୍ରାୟ ପ୍ରତ୍ୟେକ ଦେଶର ପ୍ରତିନିଧି ଆଜି ଏଠାରେ ପ୍ରତିନିଧିତ୍ୱ କରୁଛନ୍ତି। ଯୋଗର ଅର୍ଥ ହେଉଛି ଏକତା, ତେଣୁ ଆମେ ଏକାଠି ହେବା ଯୋଗର ଅନ୍ୟ ଏକ ରୂପ। ବକ୍ତବ୍ୟ ଶେଷରେ ବସୁଧୈବ କୁଟୁମ୍ବକମ ବାର୍ତ୍ତା ଦେଇଥିଲେ ମୋଦୀ |





