ଭୁବନେଶ୍ୱର,୨୨/୬(ସତ୍ୟପାଠ ବ୍ୟୁରୋ): ଓଡ଼ିଶା ଛୁଇଁଲା ଦକ୍ଷିଣ ପଶ୍ଚିମ-ମୌସୁମୀ ବାୟୁ। ରାଜ୍ୟକୁ ଦକ୍ଷିଣ ପଶ୍ଚିମ-ମୌସୁମି ବାୟୁ ପ୍ରବେଶ କରିଛି। ଫଳ ସ୍ୱରୂପ ମୌସୁମୀ ବର୍ଷା ଆରମ୍ଭ ହୋଇଛି। ମାଲକାନଗିରି, କୋରାପୁଟ ଏବଂ ଗଜପତି ଜିଲ୍ଲାର କିଛି ଅଞ୍ଚଳରେ ମୌସୁମୀ ବାୟୁ ଅଗ୍ରସର ହୋଇଛି। ଆଗାମୀ ଦୁଇଦିନରେ ମଧ୍ୟରେ ସାରା ଓଡ଼ିଶାକୁ ମୌସୁମୀ ବାୟୁ ଛୁଇଁବ ନେଇ ପାଗ ସମ୍ପୂର୍ଣ୍ଣ ଅନୁକୂଳ କରିଛି।ଏହାର ପ୍ରଭାବରେ କେତେକ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଛି। ଅନ୍ୟପଟେ ରାଜଧାନୀ ଭୁବନେଶ୍ୱରରେ ଘଡ଼ଘଡି ସହ ପ୍ରବଳ ବର୍ଷା ହୋଇଛି। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଜାରି କରାଯାଇଛି।
ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଆଗାମୀ ଦିନ ଉପକୂଳ ଓ ଆଭ୍ୟନ୍ତରୀଣରେ ମୌସୁମୀ ବର୍ଷା ହେବ । ତେବେ ବର୍ଷା ପରିମାଣ କମ୍ ରହିବ । ତେବେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ହେବାକୁ ଥିବା ଲଘୁଚାପ ପ୍ରଭାବରେ ବର୍ଷା ବଢ଼ିବ । ୨୬, ୨୭ ଓ ୨୮ରେ ପ୍ରବଳ ବର୍ଷା ହୋଇପାରେ । ୨୨ରେ ତାପମାତ୍ରା ବିଶେଷ କମିବନି । ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ଜାରି ରହିବ । ୨୩ରୁ ସାରା ରାଜ୍ୟରେ ତାତି କମିବ ବୋଲି ସେ କହିଛନ୍ତି।





