ଭୁବନେଶ୍ୱର,୨୨/୬(ସତ୍ୟପାଠ ବ୍ୟୁରୋ): ବାଲେଶ୍ବର ଜିଲ୍ଲାର ବାହାନଗା ହାଇସ୍କୁଲର ୫ଟି ଉପକ୍ରମରେ ପୁନଃନିର୍ମାଣ ହେବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ କୋଟି ୪୯ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ଅର୍ଥ ମଞ୍ଜୁର କରାଯାଇଛି ।
ସୂଚନାଯୋଗ୍ୟ ଯେ ଗତ ୨ ତାରିଖରେ ବାହାନଗା ରେଳଷ୍ଟେସନଠାରେ ସଂଗଠିତ ଭୟାବହ ରେଳ ଦୁର୍ଘଟଣା ପରବର୍ତ୍ତୀ ସମୟରେ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଉଦ୍ଧର କାର୍ଯ୍ୟରେ ଯୋଗ ଦେଇଥିଲେ । ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ଶବକୁ ପ୍ରାଥମିକ ଭାବେ ବାହାନଗା ହାଇସ୍କୁଲରେ ରଖାଯାଇଥିଲା | ପରବର୍ତ୍ତୀ ସମୟରେ ସ୍କୁଲ କାନ୍ଥରେ ଲାଗିଥିବା ରକ୍ତ ଛିଟା ଓ ଶବ ରଖାଯାଇଥିବା ଗୃହକୁ ଯିବାକୁ ଛାତ୍ରଛାତ୍ରୀମାନେ ଭୟ କରିଥିଲେ| ଛାତ୍ରଛାତ୍ରୀଙ୍କ ଭୟକୁ ଦୃଷ୍ଟିରେ ରଖିବା ସହିତ ସ୍ଥାନୀୟ ଅଞ୍ଚଳବାସୀଙ୍କ ମହତ୍ ଯୋଗଦାନକୁ ଉତ୍ସାହିତ କରିବା ପାଇଁ ବାହାନଗା ହାଇସ୍କୁଲକୁ ୫-ଟି କାର୍ଯ୍ୟକ୍ରମରେ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୫ଟି ସଚିବ ଭି.କେ. ପାଣ୍ଡିଆନ ମଧ୍ୟ ବାହାନଗା ହାଇସ୍କୁଲର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ଲୋକପ୍ରତିନିଧି, ସ୍କୁଲ ପରିଚାଳନା କମିଟି ତଥା ଜିଲ୍ଲାପାଳଙ୍କ ସହିତ ବିସ୍ତୃତ ଆଲୋଚନା କରି ମତାମତ ନେଇଥିଲେ ।





