ବିରୋଧୀଙ୍କ ବୈଠକ ପୂର୍ବରୁ ସର୍ତ୍ତ ରଖିଲା ଆପ୍; କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ କଂଗ୍ରେସ ସମର୍ଥନ ନଦେଲେ ବୈଠକ ବର୍ଜନ କରିବ ଦଳ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆସନ୍ତାକାଲି ବିହାରର ପାଟନାରେ ବିରୋଧୀଙ୍କ ବହୁଚର୍ଚ୍ଚିତ ମହାସମାବେଶ ବୈଠକ ହେବାକୁ ଯାଉଛି । ଏହା ପୂର୍ବରୁ କଂଗ୍ରେସକୁ ମହଲତ ଦେଇଛି କେନ୍ଦ୍ରର ଦିଲ୍ଲୀ ଅଧ୍ୟାଦେଶ ପ୍ରସଙ୍ଗରେ ବିରୋଧୀଙ୍କ ସମର୍ଥନ ଚାହୁଁଥିବା ଆମ ଆଦମୀ ପାର୍ଟି । ଏହି ପ୍ରସଙ୍ଗରେ କଂଗ୍ରେସ ଯଦି ସମର୍ଥନ ନଦିଏ, ତେବେ ଆସନ୍ତାକାଲି ବିରୋଧୀ ସମାବେଶକୁ ମଧ୍ୟ ଦଳ ବର୍ଜନ କରିବା ନେଇ ପାର୍ଟି ସୂତ୍ରରୁ ସୂଚନା ମିଳିଛି । ଗତ କିଛି ସପ୍ତାହ ଧରି କଂଗ୍ରେସ ଓ ଆମ ଆଦମୀ ପାର୍ଟି ମଧ୍ୟରେ ଏହି ପ୍ରସଙ୍ଗକୁ ନେଇ ଛକାପଞ୍ଝା ଜାରି ରହିଥିଲା । ତେବେ ବିରୋଧୀ ଏକତା ସମାବେଶର ମାତ୍ର ଗୋଟିଏ ଦିନ ପୂର୍ବରୁ କଂଗ୍ରେସ ଠାରୁ ଏହି ପ୍ରସଙ୍ଗରେ ସ୍ପଷ୍ଟୀକରଣ ଆଶା କରିଛି ଆମ ଆଦମୀ ପାର୍ଟି ।

ତେବେ କେବଳ କଂଗ୍ରେସ ନୁହେଁ ବରଂ ସମସ୍ତ ବିରୋଧୀଙ୍କ ଠାରୁ ଏହି ପ୍ରସଙ୍ଗରେ ସମର୍ଥନ ନେଇ ସ୍ପଷ୍ଟୀକରଣ ଆଶା କରିଛନ୍ତି କେଜ୍ରିଓ୍ବାଲ । ସର୍ବବୃହତ ବିରୋଧୀ ଦଳ କଂଗ୍ରେସ ସହ ମଧ୍ୟ କେଜ୍ରିଓ୍ବାଲଙ୍କ ଆଲୋଚନା ହୋଇସାରିଛି । ଦଳ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେ ଓ ରାହୁଲ ଗାନ୍ଧୀଙ୍କୁ ଭେଟି ଏହି ପ୍ରସଙ୍ଗରେ ନିଜେ କେଜ୍ରିଓ୍ବାଲ ଆଲୋଚନା କରିସାରିଛନ୍ତି । ରାଜ୍ୟସଭାରେ ଏହାକୁ ବିରୋଧ କରିବା ପାଇଁ ସେ ସମର୍ଥନ ଆଶା କରିଥିଲେ ସୁଦ୍ଧା କଂଗ୍ରେସ ସେନେଇ କୌଣସି ଆଭିମୁଖ୍ୟ ସ୍ପଷ୍ଟ କରିନି । ଅନ୍ୟପଟେ ବିରୋଧୀ ମେଳିର ମାତ୍ର ଗୋଟିଏ ଦିନ ପୂର୍ବରୁ କେଜ୍ରିଓ୍ବାଲ ଏହି ପ୍ରସଙ୍ଗକୁ ମୁଦ୍ଦା କରି କଂଗ୍ରେସକୁ ଚାପଗ୍ରସ୍ତ କରିବାରେ କୌଣସି ଅବସର ଛାଡିନାହାନ୍ତି ।

ଅନ୍ୟ ସମସ୍ତ ବିରୋଧୀ ଦଳ ଏହି ପ୍ରସଙ୍ଗରେ କେଜ୍ରିଓ୍ବାଲଙ୍କୁ ସମର୍ଥନ ଘୋଷଣା କରିସାରିଥିବା ବେଳେ କଂଗ୍ରେସର ନିଷ୍ପତ୍ତିକୁ ସମସ୍ତଙ୍କ ଅପେକ୍ଷା ରହିଛି । ଯଦି କଂଗ୍ରେସ ନିକଟରେ ଆମ ଆଦମୀ ପାର୍ଟି ନିରାଶ ହୁଏ ତେବେ ଦଳ ଆସନ୍ତାକାଲିର ବିରୋଧୀ ମେଳିରେ ସାମିଲ ମଧ୍ୟ ହୋଇନପାରେ । ଅନ୍ୟପଟେ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ପ୍ରସଙ୍ଗରେ କେଜ୍ରିଓ୍ବାଲଙ୍କୁ ପୂର୍ବରୁ ସମର୍ଥନ ଜଣାଇସାରିଛନ୍ତି । ସେ କଂଗ୍ରେସକୁ ମଧ୍ୟ ଆପକୁ ସମର୍ଥନ ଦେବା ନେଇ ଚାପ ପକାଉଛନ୍ତି ।

ଏହି ଅଧ୍ୟାଦେଶ ପ୍ରସଙ୍ଗରେ ଏକାଧିକ ବିରୋଧୀ ରାଜନୈତିକ ଦଳ ମଧ୍ୟ କେଜ୍ରିଓ୍ବାଲଙ୍କୁ ସମର୍ଥନ ଘୋଷଣା କରିସାରିଛନ୍ତି । ସମାଜବାଦୀ ପାର୍ଟି (ଏସପି) ମୁଖ୍ୟ ଅଖିଳେଶ ଯାଦବ, ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ମୁଖ୍ୟ ଉଦ୍ଧବ ଠାକରେ, ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ବିଆରଏସ ମୁଖ୍ୟ କେ.ଚନ୍ଦ୍ରଶେଖର ରାଓ, ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ, ଏନସିପି ସୁପ୍ରିମୋ ଶରଦ ପାୱାର ମଧ୍ୟ ଏହି ପ୍ରସଙ୍ଗରେ କେଜ୍ରିୱାଲଙ୍କୁ ସମର୍ଥନ ଜଣାଇ ସାରିଛନ୍ତି ।

ଆସନ୍ତାକାଲି (23 ତାରିଖ) ରେ ପାଟନାରେ ହେବାକୁ ଯାଉଥିବା ଏହି ବହୁଚର୍ଚ୍ଚିତ ବିରୋଧୀ ମହାସମାବେଶରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଉତ୍ତର ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ, ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଏନସିପି ମୁଖ୍ୟ ଶରଦ ପାଓ୍ବର, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ, ସିପିଆଇ ମହାସଚିବ ଡି.ରାଜା, ସିପିଆଇଏମ ମହାସଚିବ ସିତାରାମ ୟାଚୁରୀ, ବରିଷ୍ଠ ବାମପନ୍ଥୀ ନେତା ଦୀପଙ୍କର ଭାଟ୍ଟାଚାର୍ଯ୍ୟ ପ୍ରମୁଖ ସାମିଲ ହେବା ନେଇ ଆଶା କରାଯାଉଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଅଂଶଗ୍ରହଣ କରିବାକୁ ନେଇ ଏବେ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି ।

Related Posts