କାହିଁକି ଘୁଷୁରୀ ହାଡ଼ ଧରି ଇଂଜିନିୟରଙ୍କୁ ଖୋଜିଲେ ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁ ?

ଭୁବନେଶ୍ୱର,୨୨/୬(ସତ୍ୟପାଠ ବ୍ୟୁରୋ): ଚର୍ଚ୍ଚାରେ ମୟୂରଭଞ୍ଜ ର ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଂକର ଅଭିନବ ପ୍ରତିବାଦ। ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ସାମନାରେ ଟୁଡୁଂକର ଅଜବ ରୂପ ଦେଖି ସମସ୍ତେ ତାଜୁବ। ଆଉ ଏହି ଘଟଣା ସମଗ୍ର ଅଂଚଳରେ ପାଲଟିଛି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ। ମୟୂରଭଞ୍ଜ ର ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁ ଆଜି ନିଜ ସମର୍ଥକ ଙ୍କୁ ଧରି ବାରିପଦା ପୁତ୍ତବିଭାଗ କାର୍ଯ୍ୟାଳୟ ରେ ପହଞ୍ଚିଥିଲେ। ଗୋଟିଏ ହାତରେ ଗେଣ୍ଡୁ ଫୁଲମାଳ ସହ ଏକ ଦଣ୍ଡ ଏବଂ ଅନ୍ୟ ହାତରେ ଘୁଷୁରୀ ହାଡ଼ ର ଏକ ମାଳ ଥିଲା । ତେବେ କାହିଁକି ଟୁଡୁ ଏଭଳି ଅବସ୍ତାରେ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ କୁ ଆସିଛନ୍ତି ଜାଣିଲେ ଆପଣ ଆହୁରି ଆଶ୍ଚର୍ଯ୍ୟ ହେବେ।

ପୂର୍ତ ବିଭାଗର ଜଣେ ଇଂଜିନିୟର ଲକ୍ଷ୍ମଣ ଟୁଡୁଂକ ନାଁରେ ପ୍ରଚାର କରିଛନ୍ତି ଯେ ଟୁଡୁ ବିଭିନ୍ନ ଯାଗାରେ କୁଆଡେ ଚାନ୍ଦା ମାଗୁଛନ୍ତି। ଏହାର ପ୍ରମାଣ ପାଇଁ ରାଗରେ ତମତମ ହୋଇ ଘୁଷୁରୀ ହାଡ ମାଳ ନେଇ ଯନ୍ତ୍ରୀଂକୁ ଖୋଜିଥିଲେ ଟୁଡୁ। ଦିନତମାମ ଅଫିସରେ ଯନ୍ତ୍ରୀଂକୁ ଖୋଜିଥିଲେ ଟୁଡୁ। ଯଦି ଚାନ୍ଦା ମାଗିଥିବା କଥାକୁ ପ୍ରମାଣ କରିଦେବେ ତେବେ ଯନ୍ତ୍ରୀଂକୁ ଫୁଲମାଳ ପିନ୍ଧାଇବେ ନଚେତ ଘୁଷୁରୀ ହାଡ ମାଳ ପିନ୍ଧାଇବେ ବୋଲି ଜିଦ ଧରି ବସିଥିଲେ ଟୁଡୁ। ଅଫିସ ଭିତରେ ପଶି ଯନ୍ତ୍ରୀ ଓ ନିର୍ବାହୀ ଯନ୍ତ୍ରୀଙ୍କୁ ଏ ମୁଣ୍ଡରୁ ସେ ମୁଣ୍ଡ ଯାଏଁ ଖୋଜିଥିଲେ। ଲକ୍ଷ୍ମଣ ଟୁଡୁ ରାଗରେ ତମତମ ହେଉଥିବା ବେଳେ ପ୍ରାୟ ଅଧ ଘଣ୍ଟା ଧରି କାର୍ଯ୍ୟାଳୟ ସମ୍ମୁଖରେ ଯନ୍ତ୍ରୀଙ୍କୁ ଅପେକ୍ଷା କରିଥିଲେ। ଲକ୍ଷ୍ମଣ ଟୁଡୁଙ୍କୁ ଦେଖି କାର୍ଯ୍ୟାଳୟ ଭିତରୁ ସମସ୍ତ କର୍ମଚାରୀ ବାହାରକୁ ବାହାରି ଆସିଥିବା ବେଳେ ଠିକାଦାର ଓ ଦେଖଣାହାରୀ ମାନଙ୍କ ଭିଡ଼ ଜମିଥିଲା। ସେପଟେ ଲକ୍ଷ୍ମଣ ଟୁଡୁ ଜିଦ ଧରିଥିଲେ ବାହାରୁ ଆସିଥିବା ଠିକାଦାର ଙ୍କ ରାଜ ଚଳିବ ନାହିଁ। ଦୁର୍ନୀତି ରେ ପୁରା କାର୍ଯ୍ୟାଳୟ ବୁଡି ରହିଛି। ରାଗରେ ତମତମ ଲକ୍ଷ୍ମଣ ଟୁଡୁ ହାତରେ ଫୁଲମାଳ ଓ ଅନ୍ୟ ହାତରେ ଘୁଷୁରୀ ହାଡ଼ ମାଳ ଆଣିଥିବା ବେଳେ ଯଦି ଚାନ୍ଦା ମାଗିବା କଥା ଯନ୍ତ୍ରୀ ସତ୍ୟ ପ୍ରମାଣିତ କରନ୍ତି ତେବେ ଫୁଲମାଳ ଦେଇ ଯନ୍ତ୍ରୀଙ୍କୁ କ୍ଷମା ମାଗିବେ ଆଉ ଯଦି ଯନ୍ତ୍ରୀ ପ୍ରମାଣ କରି ନ ପାରନ୍ତି ତେବେ ଘୁଷୁରୀ ହାଡ଼ ମାଳ ପିନ୍ଧାଇ ଯନ୍ତ୍ରୀଙ୍କୁ ଅପବାଦ ଦେବେ ବୋଲି କହିଥିଲେ।

ସେପଟେ ଲକ୍ଷ୍ମଣ ଟୁଡୁଙ୍କ ର ଆଜି ଏହିଭଳି ଅଭିନବ ପ୍ରତିବାଦ ଦେଖି ଜଣେ ଯନ୍ତ୍ରୀ କାର୍ଯ୍ୟାଳୟ କୁ ଆସୁଥିବା ବେଳେ ସମ୍ମୁଖରୁ ଗାଡି ବୁଲାଇ ପଳାଇଥିଲେ । ତେବେ ଆଜି ବାରିପଦା ପୂର୍ତ୍ତ ବିଭାଗ କାର୍ଯ୍ୟାଳୟରେ ଯନ୍ତ୍ରୀ ଓ ନିର୍ବାହୀ ଯନ୍ତ୍ରୀ ଅନୁପସ୍ଥିତ ଥିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Related Posts