ଜନ୍ମବେଦିରେ ଶ୍ରୀଜିଉ: ଆଜିଠୁ ମିଳିବ ଆଡ଼ପ ଅବଢା, ସନ୍ଧ୍ୟାରେ ବନକଲାଗି ପାଇଁ ୪ ଘଣ୍ଟା ବନ୍ଦ ରହିବ ଦର୍ଶନ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଜନ୍ମବେଦିରେ ବିଜେ କରିଛନ୍ତି ଶ୍ରୀଜିଉ । ରଥାରୁଢ ଶ୍ରୀବିଗ୍ରହଙ୍କୁ ସେବକମାନେ ଗୋଟି ପହଣ୍ଡିରେ ନେଇ ଆଡ଼ପ ମଣ୍ଡପରେ ବିଜେ କରାଇଛନ୍ତି । ଏହାପରେ ଆଜି ଠାରୁ ଭକ୍ତମାନେ ଠାକୁରଙ୍କ ଆଡ଼ପ ଦର୍ଶନ ପାଇବାର ସୌଭାଗ୍ୟ ପାଇବେ । ଗୁଣ୍ଡିଚା ମନ୍ଦିରରେ ଆଡ଼ପ ଅବଢା ପାଇବାକୁ ଲକ୍ଷାଧିକ ଭକ୍ତ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ।ତେବେ ଠାକୁରଙ୍କ ବନକଲାଗି ନୀତି ଯୋଗୁ ଦର୍ଶନ ଆଜି ସନ୍ଧ୍ୟାରେ ପ୍ରାୟ ୪ଘଣ୍ଟା ବନ୍ଦ ରହିବ । ଦ୍ୱିତୀୟ ଭୋଗମଣ୍ଡପ ନୀତି ପରେ ବନକଲାଗି ସମୟରେ ଦର୍ଶନ କଟକଣା ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ଲୋକସମ୍ପର୍କ ଅଧିକାରୀ ଜିତେନ୍ଦ୍ର ମହାନ୍ତି ସୂଚନା ଦେଇଛନ୍ତି ।

ବୁଧବାର ପୂର୍ବାହ୍ନରୁ ଗୁରୁବାର ଅପରାହ୍ନ ପର୍ଯ୍ୟନ୍ତ ଶରଧାବାଲିରେ ଲାଗିଥିଲା ଭାବଭକ୍ତିର ଖେଳ । ଲକ୍ଷାଧିକ ଭକ୍ତଙ୍କ ଗହଣରେ ରହିଥିଲା ରଥ ତ୍ରୟ । ଠାକୁରଙ୍କ ସମ୍ମୁଖକୁ ଯାଇ ଭକ୍ତମାନେ ଦୀପଦାନ କରିବା ସହ ଭକ୍ତି ନିବେଦନ କରୁଥିଲେ । ଗୁରୁବାର ମଧ୍ୟାହ୍ନରେ ଝିପି ଝିପି ବର୍ଷା ହୋଇ ପାଗ ଥଣ୍ଡା ହୋଇଗଲା। ପାଗ ଅନୁକୂଳ ହେବାରେ ଶରଧାବାଲିକୁ ଭକ୍ତଙ୍କ ସୁଅ ଛୁଟିଥିଲା । ସଂକୀର୍ତ୍ତନ ମଣ୍ଡଳୀ ଭଜନ କୀର୍ତ୍ତନ କରୁଥିଲେ । ସୁରକ୍ଷାଦୃଷ୍ଟିରୁ ପୁଲିସକର୍ମୀ ରଥ ଚାରିପଟେ କର୍ଡନ କରିଥିଲେ । ଲକ୍ଷାଧିକ ଭକ୍ତ ତଳେ ଥାଇ ଠାକୁରଙ୍କ ଶୃଙ୍ଖଳିତ ଦର୍ଶନ କରିଥିଲେ । ଇତିମଧ୍ୟରେ ରଥାରୁଢ ଠାକୁରଙ୍କ ମଙ୍ଗଳ ଆଳତି ନୀତି ବଢି ଅବକାଶ, ରୋଷହୋମ, ସୂର୍ଯ୍ୟପୂଜା, ଗୋପାଳବଲ୍ଲଭ ଭୋଗ, ସକାଳଧୂପ, ମଧ୍ୟାହ୍ନ ଧୂପ, ସନ୍ଧ୍ୟା ଆଳତି ହୋଇ ସନ୍ଧ୍ୟାଧୂପ ବଢିଥିଲା । ଏହା ପରେ ଶ୍ରୀବିଗ୍ରହଙ୍କ ପହଣ୍ଡିପାଇଁ ସଜବାଜ ହୋଇଥିଲା ।

ପହଣ୍ଡି ପୂର୍ବରୁ ରଥ ଉପରେ ଅପରାହ୍ନ ୪ଟା୫୦ମିନିଟ୍‌ରେ ସିଂହାସନ ମାଜଣା ହେଲା । ୫ଟା ୧୫ମିନିଟ୍‌ରେ ପୁଷ୍ପାଞ୍ଜଳି ଅର୍ପଣ ହେଲା । ବିଜେ କାହାଳି ବାଜି ପହଣ୍ଡି ଆରମ୍ଭ ହେଲା ଅପରାହ୍ନ ୫ଟା୨୫ମିନିଟ୍‌ରେ । ଘଣ୍ଟ ଓ ମାଦଳର ଧ୍ୱନୀ ସାଙ୍ଗକୁ ଶରଧାବାଲିରେ ଉପସ୍ଥିତ ହଜାର ହଜାର ଭକ୍ତଙ୍କ ଜୟଜଗନ୍ନାଥ ଧ୍ୱନୀରେ ଶରଧାବାଲି ଗୁଞ୍ଜରି ଉଠିଲା । ପ୍ରଥମେ ତାଳଧ୍ୱଜରଥରୁ ଶ୍ରୀରାମକୃଷ୍ଣଙ୍କୁ ଓ ତାପରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରୀମଦନମୋହନଙ୍କୁ ପହଣ୍ଡି କରାଇ ନେଇ ଆଡ଼ପମଣ୍ଡପରେ ବିଜେ କରାଯାଇଥିଲା । ଏହାପରେ ଦେବି ସୁଭଦ୍ରାଙ୍କ ରଥରୁ ଶ୍ରୀସୁଦର୍ଶନଙ୍କୁ ୫ଟା୪୫ମିନିଟ୍‌ରେ ପହଣ୍ଡି କରାଇ ନିଆଗଲା। ଶ୍ରୀବଳଭଦ୍ରଙ୍କ ପହଣ୍ଡି ୬ଟାରେ ଆରମ୍ଭ ହୋଇଥିଲା ବେଳେ ମା’ସୁଭଦ୍ରାଙ୍କୁ ୭ଟା୫ରେ ଓ ଶେଷରେ ସନ୍ଧ୍ୟା ୭ଟା୪୦ମିନିଟ୍‌ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ଆରମ୍ଭ ହୋଇଥିଲା ।

ଗୋଟି ପହଣ୍ଡି କ୍ରମେ ଶ୍ରୀଜିଉ ଗୁଣ୍ଡିଚାଘର ଆଡ଼ପମଣ୍ଡପରେ ବିଜେ ହୋଇଥିଲେ । ଦଇତାପତି ସେବକମାନେ ସିଂହାସନରେ ଶ୍ରୀବିଗ୍ରହଙ୍କୁ ରୁନ୍ଧିଥିଲେ । ପରେ ବିଳମ୍ୱିତ ରାତିରେ ଠାକୁରଙ୍କ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୋଇଥିଲା । ଆସନ୍ତା ୨୪ ତାରିଖ ଶନିବାର ହେରାପଞ୍ଚମୀ ନୀତି ହେବ । ୨୫ ତାରିଖ ରବିବାର ତିନି ରଥ ଦକ୍ଷିଣମୋଡ଼ ହେବ । ୨୭ ତାରିଖ ମଙ୍ଗଳବାର ସନ୍ଧ୍ୟାଦର୍ଶନ ଅନୁଷ୍ଠିତ ହେବ । ସେହିଦିନ ପର୍ଯ୍ୟନ୍ତ ଭକ୍ତମାନେ ଠାକୁରଙ୍କୁ ଆଡ଼ପମଣ୍ଡପରେ ଦର୍ଶନ କରିବେ । ୨୮ତାରିଖ ବୁଧବାର ମହାପ୍ରଭୁ ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ା ବିଜେ କରିବେ ।

Related Posts