
ନୂଆଦିଲ୍ଳୀ: ରାଷ୍ଟ୍ରୀୟ ଜନତା ଦଳ(ଆର୍ଜେଡି) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କର କିଡ୍ନି ପ୍ରତ୍ୟାରୋପଣ ହୋଇଛି । ତାଙ୍କ ସାନ ଝିଅ ରୋହିଣୀ ଆଚାର୍ଯ୍ୟ ତାଙ୍କୁ ନିଜ କିଡନୀ ଦେଇଛନ୍ତି । ରୋହିଣୀ ନିଜ ବାପାଙ୍କ ଜୀବନ ବଞ୍ଚାଇବାକୁ ଯାଇ ଏତେ ବଡ଼ ତ୍ୟାଗ କରିଛନ୍ତି । ତେବେ ତାଙ୍କର ଏହି ତ୍ୟାଗ ଓ ନିଜ ବାପାଙ୍କ ପ୍ରତି ଥିବା ଭଲ ପାଇବାକୁ ନେଇ ବିଭିନ୍ନ ଆଡୁ ପ୍ରସଂଶା ମିଳିବାରେ ଲାଗିଛି।
ରୋହିଣୀଙ୍କ ପ୍ରଶଂସା କରି ବିଜେପିର ବରିଷ୍ଠ ନେତା ଗିରିରାଜ୍ ସିଂହ ଏକ ଟ୍ବିଟ୍ କରି ଲେଖିଛନ୍ତି, ‘ଝିଅ ହେବ ତ ରୋହିଣୀ ଆଚାର୍ଯ୍ୟଙ୍କ ପରି। ଆପଣଙ୍କକୁ ନେଇ ମୁଁ ଗର୍ବ କରୁଛି। ଆସନ୍ତା ପିଢ଼ିଙ୍କ ପାଇଁ ଆପଣ ଉଦାହରଣ ବନିବେ।’
ଗତକାଲି ଲାଲୁ ଯାଦବଙ୍କ ପୁଅ ତେଜ୍ବସୀ ଯାଦବ ଏକ ଟ୍ବିଟ୍ କରି ଲେଖିଥିଲେ ‘ପାପାଙ୍କର କିଡ୍ନି ପ୍ରତ୍ୟାରୋପଣ ଅପରେସନ ସଫଳତାର ସହ ହେବା ପରେ ତାଙ୍କୁ ଓଟିରୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି। ଡୋନର୍ ବଡ଼ ଭଉଣୀ ରୋହିଣୀ ଆଚାର୍ଯ୍ୟ ଓ ଆରଜେଡି ସୁପ୍ରିମୋ ଦୁହେଁ ସୁସ୍ଥ ଅଛନ୍ତି। ଆପଣମାନଙ୍କ ପ୍ରାର୍ଥନା ଓ ଶୁଭେଚ୍ଛା ପାଇଁ ସାଧୁବାଦ ଜଣାଉଛି।
୭୪ବର୍ଷୀୟ ଲାଲୁ ଅନେକ ସ୍ବାସ୍ଥ୍ୟସମସ୍ୟାରେ ଜଡ଼ିତ ରହିଥିଲେ। ନିକଟ ଅତୀତରେ ସେ କିଡନୀ ପ୍ରତିରୋପଣ ପାଇଁ ସିଙ୍ଗାପୁରରେ ପହଞ୍ଚିଥିଲେ। ସିଙ୍ଗାପୁରରେ ରହୁଥିବା ଝିଅ ରୋହିଣୀ ବାପାଙ୍କୁ ଗୋଟିଏ କିଡନୀ ଦାନ କରିବେ ବୋଲି ନିଷ୍ପତ୍ତି ନେଇଥିଲେ ।