ଖୁବ ଶୀଘ୍ର ସୁନ୍ଦରଗଡ ଓ ଅନୁଗୁଳ ରେ ଖୋଲିବ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ଓଡ଼ିଶାର ସୁନ୍ଦରଗଡ଼ ଓ ଅନୁଗୁଳ ଜିଲ୍ଲାରେ ଦୁଇଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ନିର୍ମାଣ ପାଇଁ ମହାନଦୀ କୋଲ ଫିଲ୍ଡ(ଏମସିଏଲ୍‌) ବୋର୍ଡ ଅନୁମୋଦନ ଦେଇଛି । ଏନେଇ କେନ୍ଦ୍ର କୋଇଲା ଏବଂ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସୂଚନା ଦେଇଛନ୍ତି । ତେବେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଗତବର୍ଷ ସେପ୍ଟେମ୍ବର ୨୦ ତାରିଖରେ ସୁନ୍ଦରଗଡ ଲୋକସଭା ସାଂସଦ ଜୁଏଲ ଓରାମ, ବରଗଡ ସାଂସଦ ସୁରେଶ ପୂଜାରୀ, ଢେଙ୍କାନାଳ ସାଂସଦ ମହେଶ ସାହୁ ଚିଠି ଲେଖିଥିଲେ । ଏପରି ହେବା ଦ୍ଵାରା ଉକ୍ତ ଜିଲ୍ଲାର ଛାତ୍ରଛାତ୍ରୀମାନେ ବିଶେଷ ଭାବେ ଉପକୃତ ହୋଇପାରିବେ ବୋଲି ସେ ପତ୍ରରେ ଉଲ୍ଲେଖ କରିଥିଲେ । ଏହାର ଜବାବରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଏମସିଏଲ୍ ଦ୍ୱାରା ସୁନ୍ଦରଗଡ଼, ଝାରସୁଗୁଡ଼ା ଏବଂ ଅନୁଗୁଳ ଜିଲ୍ଲାରେ ୩ଟି କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ଅନୁରୋଧ କରିଥିଲେ । ଏହା ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଶୀଙ୍କୁ ଦେଇଥିବା ଚିଠିରେ ଓଡିଶାର ଖଣି ଏବଂ ଶିଳ୍ପ ବେଲ୍ଟରେ ଏମସିଏଲର ବ୍ୟାପକ ଉପସ୍ଥିତି ରାଜ୍ୟବାସୀଙ୍କ ଦ୍ୱାରା ସମ୍ମାନିତ ବୋଲି କହିବା ସହ ଏହାର କାର୍ଯ୍ୟକ୍ଷମ ଅଞ୍ଚଳରେ ରହୁଥିବା ଲୋକଙ୍କ ପାଇଁ କଲ୍ୟାଣମୂଳକ କାର୍ଯ୍ୟକଳାପ ଗ୍ରହଣ କରିବାରେ ଓ ଏହାର ପରିଚାଳନା ଦକ୍ଷତା ବୃଦ୍ଧି କରିବାରେ ଏମସିଏଲ ସବୁଠାରୁ ଉପଯୁକ୍ତ ହେବ ବୋଲି ଉଲ୍ଲେଖ କରିଛନ୍ତି । ଏହା ସହ ଏମସିଏଲ୍ ପରି କେନ୍ଦ୍ରୀୟ ସାର୍ବଜନୀନ କ୍ଷେତ୍ର ଉଦ୍ୟୋଗଗୁଡିକ ଦ୍ଵାରା ଆର୍ଥିକ ଅନୁଦାନ ପ୍ରାପ୍ତ କେଭି ପ୍ରତିଷ୍ଠା ପାଇଁ ଏକ ବିଦ୍ୟମାନ ବ୍ୟବସ୍ଥା ଅଛି ବୋଲି ସେ ଚିଠିରେ ଲେଖିଛନ୍ତି।
ଅନ୍ୟପଟେ ଶ୍ରୀ ଯୋଶୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସୁନ୍ଦରଗଡ଼ ଜିଲ୍ଲାର ବସୁନ୍ଧରାରେ ଗୋଟିଏ ଓ ଅନୁଗୁଳ ଜିଲ୍ଲାର ଜଗନ୍ନାଥ ଏବଂ ସୁଭଦ୍ରା ଅଂଚଳରେ ଗୋଟିଏ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ଏମଏସିଏଲ ବୋର୍ଡ ଅନୁମୋଦନ ଦେଇଥିବା କଥା କହିଛନ୍ତି । ଏହା ସହ ପ୍ରାଥମିକ ଶିକ୍ଷା ସ୍ତରରେ ଅଧିକରୁ ଅଧିକ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ଜାତୀୟ ଶିକ୍ଷା ନୀତି ୨୦୨୦ ର ମୁଖ୍ୟ ଏଜେଣ୍ଡା ରହିଛି ବୋଲି ଶ୍ରୀ ଯୋଶୀ କହିଛନ୍ତି । ତେବେ ଖଣିଖାଦାନ ଅଂଚଳରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ହେବା ଦ୍ୱାରା ଛାତ୍ରଛାତ୍ରୀମାନେ ବିଶେଷ ଭାବରେ ଉପକୃତ ହୋଇପାରିବେ ଏବଂ ସ୍ଥାନୀୟ ଲୋକଙ୍କର ଆକାଂକ୍ଷା ମଧ୍ୟ ପୂରଣ ହୋଇପାରିବ ବୋଲି କହିଛନ୍ତି । ଗତବର୍ଷ ସେପ୍ଟେମ୍ବର 20 ରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଶୀଙ୍କୁ ଏମସିଏଲ୍‌ ର କାର୍ଯ୍ୟକ୍ଷମ ଅଞ୍ଚଳର ବାସିନ୍ଦା ତଥା ଏମସିଏଲ କର୍ମଚାରୀଙ୍କ ୱାର୍ଡର ସୁବିଧା ପାଇଁ ତିନୋଟି ଜିଲ୍ଲାରେ କେଭି ପ୍ରତିଷ୍ଠା କରିବାକୁ ଅନୁରୋଧ କରିଥିଲେ।

Related Posts