ଗଞ୍ଜେଇ ଯାଞ୍ଚ ବେଳେ ଧରା ପଡ଼ିଲା ଚୋରା ସୁନା କିଣା ବିକା ରାକେଟ୍, ୨୩ଟି ସୁନା ବିସ୍କୁଟ ସହ ୧ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଜବତ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗଞ୍ଜେଇ ଯାଞ୍ଚ ବେଳେ ବଡ଼ ଧରଣର ବିନା ଜିଏସଟିରେ ସୁନା କିଣାବିକା ରାକେଟ୍ ଠାବ ହୋଇଛି । ସୂଚନା ଅନୁସାରେ ମଙ୍ଗଳବାର ଅପରାହ୍ଣରେ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ଇନ୍ସପେକ୍ଟର ହୃଦୟାନନ୍ଦ ସାମନ୍ତ ଏବଂ ତାଙ୍କ ଟିମ୍ ଲାଞ୍ଜିପଲ୍ଲୀ ବାଇପାସ୍ ନିକଟରେ ଯାଞ୍ଚ କରୁଥିଲେ ।ଏହି ସମୟରେ ସେହି ରାସ୍ତା ଦେଇ ଯାଉଥିବା ଓଏସଆରଟିସିର ଏକ ବସ୍ ଭିତରେ ତଲାସୀ କରିଥିଲେ ଅବକାରୀ କର୍ମଚାରୀ। ଏହି ସମୟରେ ବସରେ ଥିବା ଜଣେ ଯାତ୍ରୀ ଙ୍କ ଉପରେ ସନ୍ଦେହ ହେବାରୁ ତାଙ୍କୁ ପଚରାଉଚରା କରାଯାଇଥିଲା । ତାଙ୍କ ନିକଟରେ ଥିବା ବ୍ୟାଗ ଯାଞ୍ଚ ବେଳେ ବିଡ଼ା ବିଡ଼ା ଟଙ୍କା ଦେଖି ଅବକାରୀ ବିଭାଗ କର୍ମଚାରୀ ତାଜୁବ୍ ହୋଇ ଯାଇଥିଲେ । ଏନେଇ ବୈଦ୍ୟନାଥପୁର ଥାନାକୁ ସୂଚନା ଦେବା ପରେ ପୋଲିସ ବ୍ୟାଗରେ ଥିବା ୧ କୋଟି ୨୨ ଲକ୍ଷ ୫୦ ହଜାର ଟଙ୍କା ଜବତ କରିଛି । ଏଥିସହ ମହାରାଷ୍ଟ୍ରର ଭରତ ଗୋଖେ ନାୟକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଭରତଙ୍କ ଠାରୁ ସୂଚନା ପାଇ ପୋଲିସ ବିଭିନ୍ନ ଦୋକାନରୁ ୨୩ଟି ସୁନା ବିସ୍କୁଟ ମଧ୍ୟ ଜବତ କରିଛି ।

ତେବେ ଘଟଣାର ତଦନ୍ତ ଚାଲିଥିବା ଯୋଗୁଁ ପୋଲିସ ପକ୍ଷରୁ ଅଧିକ ସୂଚନା ଦିଆଯାଇ ନାହିଁ । ଏହିସୁନା ଚୋରା ଚାଲାଣ ରାକେଟରେ ଭରତଙ୍କ ସହ ବ୍ରହ୍ମପୁରର କେତେକ ସୁନା ବ୍ୟବସାୟୀଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଟିକସ ଫାଙ୍କି ଚୋରାରେ ସୁନା କାରବାର ହେଉଥିବା ଯୋଗୁଁ ତଦନ୍ତରେ GST ଏବଂ ଅନ୍ୟ ବିଭାଗର ସାହାଯ୍ୟ ନେଇପାରେ ପୋଲିସ ।

Related Posts