ଛତିଶଗଡ଼ରେ ଏକ ଦୁଃଖଦ ଘଟଣା : ଭେଣ୍ଟିଲେଟର କାମ ନକରିବାରୁ ୪ ନବଜାତ ଶିଶୁଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଛତିଶଗଡ଼ରୁ ଆସିଛି ଏକ ଦୁଃଖଦ ଘଟଣା । ଅବହେଳାର କରୁଣ ପରିସ୍ଥିତି ସୃଷ୍ଟି ହୋଇଛି । ଅମ୍ବିକାପୁର ମେଡିକାଲ କଲେଜରେ ଭେଣ୍ଟିଲେଟର ବନ୍ଦ ହୋଇଯାଇଥିଲା। ଏହି କାରଣରୁ ୪ଜଣ ନବଜାତ ଶିଶୁଙ୍କ ମୃତ୍ୟୁ ହୋଇଯାଇଥିବାର ଦୁଃଖଦ ଘଟଣା ସାମ୍ନାକୁ ଆସିଛି।

ଶିଶୁର ମୃତ୍ୟୁ ପରେ ପରିବାରଲୋକ ହସ୍ପିଟାଲ ପରିସରରେ ଉତ୍ତେଜନା କରିଥିଲେ। ପରିବାରଲୋକ ହସ୍ପିଟାଲ ପ୍ରଶାସନ ଉପରେ ଅବହେଳାର ଅଭିଯୋଗ ଆଣିଛନ୍ତି।

ଏହି ଘଟଣା ଗତ ରବିବାର ବିଳମ୍ବିତ ରାତିରେ ଘଟିଛି। ରାତିରେ ବିଜୁଳି ବନ୍ଦ ହୋଇଯାଇଥିଲା। ଏହି କାରଣରୁ ଭେଣ୍ଟିଲେଟର ବନ୍ଦ ହୋଇ ୪ଜଣ ଶିଶୁଙ୍କ ଜୀବନ ଚାଲି ଯାଇଥିବା ପରିବାରଲୋକ ଅଭିଯୋଗ କରିଛନ୍ତି। ଏଭଳି ଏକ ଘଟଣା ଘଟିବା ପରେ ହସ୍ପିଟାଲରେ ଚାଞ୍ଚଲ୍ୟ ଖେଳି ଯାଇଥିଲା।

ସରଗୁଜା ଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ମାତୃଶିଶୁ ୱାର୍ଡର ନିରୀକ୍ଷଣ କରିଥିଲେ। ଘଟଣାସ୍ଥଳରେ ସ୍ବାସ୍ଥ୍ୟବିଭାଗ ଓ ଜିଲ୍ଲା ପ୍ରଶାସନଙ୍କ ଟିମ ପହଞ୍ଚିଥିଲେ। ସ୍ବାସ୍ଥ୍ୟମନ୍ତ୍ରୀ ବି ରାୟପୁରରୁ ଅମ୍ବିକାପୁର ପାଇଁ ବାହାରି ଯାଇଛନ୍ତି। ଏହି ଘଟଣାକୁ ନେଇ ବିଭିନ୍ନ ମହଲ‌ରେ ଶୋକବ୍ୟକ୍ତ କରାଯାଇଛି ।

Related Posts