ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଭୁବନେଶ୍ୱର ମଞ୍ଚେଶ୍ୱର ସ୍ଥିତ ଓ୍ୱାଲ୍ଡ ସ୍କିଲ ସେଣ୍ଟରରେ ପଢ଼ୁଥିବା ଜଣେ ଛାତ୍ରଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଓ୍ୱାଲ୍ଡ ସ୍କିଲ ସେଣ୍ଟରର ୧୭ ମହଲା ଉପରୁ ପଡ଼ି ଛାତ୍ରଙ୍କ ମୃତ୍ୟୁ ହୋଇଛି। ମୃତ ଛାତ୍ର ଜଣଙ୍କ ହେଲେ ୧୯ ବର୍ଷୀୟ ରାମପ୍ରସାଦ ବିଶ୍ୱାଳ। ତାଙ୍କ ଘର ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିରେ।
ଭୁବନେଶ୍ୱର ଓ୍ୱାଲ୍ଡ ସ୍କିଲ ସେଣ୍ଟରରେ ଇଲେକ୍ଟ୍ରିକାଲ ଓ୍ୱିଙ୍ଗରେ ପ୍ରଶିକ୍ଷଣ ନେଉଥିଲେ ରାମ ପ୍ରସାଦ। ଗତକାଲି ସେ ଓ୍ୱାଲ୍ଡ ସ୍କିଲ ସେଣ୍ଟରର ୧୭ ମହଲାର ତଳକୁ ଖସିପଡ଼ିଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।
ରାମପ୍ରସାଦ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କିଏ କୋଠାରୁ ତଳକୁ ଠେଲି ହତ୍ୟା କରିଛନ୍ତି ସେ ନେଇ ପ୍ରଶ୍ନ ଉଠାଇଛନ୍ତି ତାଙ୍କ ବାପା। ଲାଗିଥିବା ସିସିଟିଭି ଭିଜୁଆଲ ଦେଖି ପୁଅର ମୃତ୍ୟୁ ସମ୍ପର୍କରେ ଜାଣିବାକୁ ସେଣ୍ଟର କର୍ତ୍ତୃପକ୍ଷ ଅନୁରୋଧ କରିଛନ୍ତି। ଅନ୍ୟପକ୍ଷରେ ସେଠାରେ ଲାଗିଥିବା ସିସିଟିଭି କାମ କରୁନଥିବା କଥା ସେଣ୍ଟର କର୍ତ୍ତୃପକ୍ଷ ତାଙ୍କ ବାପାଙ୍କୁ କହିଛନ୍ତି।
ରାମ ପ୍ରସାଦ ଗତ ଅଗଷ୍ଟ ୨୫ ତାରିଖରେ ଓ୍ୱାଲ୍ଡ ସ୍କିଲ ସେଣ୍ଟରରେ ନାମ ଲେଖାଇ ଥିଲେ। ରାମପ୍ରସାଦଙ୍କ ମୃତ୍ୟୁ ସମ୍ପର୍କରେ lଓ୍ୱାଲ୍ଡ ସ୍କିଲ ସେଣ୍ଟରର କର୍ତ୍ତୃପକ୍ଷ ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛି।
