ଦିଲ୍ଲୀ ଏମ୍‌ସିଡି ନିର୍ବାଚନ ପ୍ରଚାର ବେଳେ ପୁଲିସକୁ ଦୁର୍ବ୍ୟବହାର କରିବା ପଡ଼ିଲା ମହଙ୍ଗା, ଗିରଫ ହେଲେ ପୂର୍ବତନ କଂଗ୍ରେସ ବିଧାୟକ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପୁଲିସ ପ୍ରତି ଦୁର୍ବ୍ୟବହାର ଓ ଆକ୍ରମଣ କରିବା ପଡ଼ିଲା ମହଙ୍ଗା। ଗିରଫ ହେଲେ ପୂର୍ବତନ କଂଗ୍ରେସ ବିଧାୟକ ଆସିଫ୍‌ ମହମ୍ମଦ୍‌ ଖାନ୍। ଦିଲ୍ଲୀ ପୌର ନିଗମ (ଏମ୍‌ସିଡି) ନିର୍ବାଚନ ପ୍ରଚାର ସମୟରେ ପୋଲିସ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ତାଙ୍କ ଉପରେ ଅଭିଯୋଗ ରହିଥିଲା।

ତେବେ ପୁଲିସ କହିବା ଅନୁସାରେ, ରାଜ୍ୟ ନିର୍ବାଚନ କମିସନ୍‌ଙ୍କ ବିନା ଅନୁମତିରେ କାହିଁକି ସମାବେଶ କରୁଛନ୍ତି ବୋଲି ପଚାରିବାରୁ ପୂର୍ବତନ ବିଧାୟକ ଖାନ୍ ଶାହୀନ୍‌ ବାଗ୍‌ ଅଞ୍ଚଳରେ ଜଣେ ପୁଲିସ ଅଧିକାରୀଙ୍କୁ ଗାଳି ଦେଇଥିଲେ। ଶୁକ୍ରବାର ଦିନ କଂଗ୍ରେସ ପକ୍ଷରୁ ଦିଲ୍ଲୀ ‘ଏମ୍‌ସିଡି’ କାଉନ୍‌ସିଲର୍‌ ପ୍ରାର୍ଥୀ ଆରିବ୍‌ ଖାଁଙ୍କ ପିତା ଅଭିଯୁକ୍ତ ଆସିଫ୍‌ ମହମ୍ମଦ୍‌ ଖାଁ ତୈୟାବ୍‌ ମସ୍‌ଜିଦ୍‌ ସମ୍ମୁଖରେ ୨୦/୩୦ଜଣ ସମର୍ଥକଙ୍କୁ ସମବେତ କରି ‘ଲାଉଡ୍‌ ହେଲର୍‌’ ଯୋଗେ ଉଦ୍‌ବୋଧନ ଦେଉଥିଲେ। ଉକ୍ତ ସମାବେଶ ସେ ଅଞ୍ଚଳରେ ପାଟ୍ରୋଲିଙ୍ଗ୍‌ କରୁଥିବା ପୁଲିସ କନେଷ୍ଟବଳଙ୍କ ଦୃଷ୍ଟିଗୋଚର ହୋଇଥିଲା ବୋଲି ଦିଲ୍ଲୀ ପୁଲିସ କହିଛି।

ଏ ସଂକ୍ରାନ୍ତରେ ସୂଚନା ପାଇ ସବ୍‌-ଇନ୍‌ସ୍ପେକ୍ଟର୍‌ ଅକ୍ଷୟ ସଭା କରିବା ପାଇଁ ସେ ଅନୁମତି ପାଇଛନ୍ତି କି, ନାହିଁ ଯାଇ ତାଙ୍କୁ ପଚରିଥିଲେ। ଏଥିରେ ଆସିଫ୍‌ ମହମ୍ମଦ୍‌ ଖାନ୍ ରାଗିଯାଇ ତାଙ୍କୁ ଗାଳି ଦେଇଥିଲେ ବୋଲି ଦକ୍ଷିଣପୂର୍ବ ଡେପୁଟି କମିସନର୍‌ ଈଶା ପାଣ୍ଡେ କହିଛନ୍ତି।

ଅଭିଯୁକ୍ତଙ୍କ ନାଁରେ ଶାହୀନ୍‌ ବାଗ ଥାନାରେ ମାମଲା ରୁଜୁ କରାଯାଇଛି। ଗିରଫ ଅଭିଯୁକ୍ତ ଖାଁଙ୍କ ବ୍ୟତୀତ ମିଞ୍ଝାଜ୍‌ ଏବଂ ସାବିର୍‌ ନାମରେ ଆଉ ଦୁଇଜଣଙ୍କୁ ବି ଅଟକ ରଖାଯାଇଛି। ଏହି ମାମଲାରେ ସେମାନଙ୍କର ଭୂମିକା ବିଷୟ ଯାଞ୍ଚ କରାଯାଉଛି ବୋଲି ପୁଲିସ କହିଛି।

ଏ ସଂକ୍ରାନ୍ତରେ ଅଭିଯୁକ୍ତ ଖାଁ କହିଛନ୍ତି ଯେ, ଦିଲ୍ଲୀ ପୌର ନିର୍ବାଚନରେ ଭୋଟ୍‌ ଖରିଦ୍‌ କରିବା ଲାଗି ‘ଆପ୍‌’ ପ୍ରାର୍ଥୀ ଟଙ୍କା ବାଣ୍ଟିଥିବା କଥା ଜାଣିବା ପରେ ସେ ମସ୍‌ଜିଦ୍‌କୁ ଆସିଥିଲେ। ଏହାକୁ ବିରୋଧ କରି କହିବାରୁ ପୁଲିସ ବାଧା ଦେଇଥିଲା।

Related Posts