କବିସୂର୍ଯ୍ୟନଗର ଥାନା ମଧୁର ଝୋଳି ଗାଁରେ ଗୁଣି ସନ୍ଦେହରେ ଜଣେ ମହିଳାଙ୍କୁ ହତ୍ୟା, ୨ ଗୁରୁତର

ଭୁବନେଶ୍ୱର : ଗୁଣି ଗାରେଡ଼ି ସନ୍ଦେହରେ ଜଣେ ମହିଳାଙ୍କୁ ହତ୍ୟା । ଏଥିସହ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବାଲିଛାଇ ଫାଣ୍ଡି ଅଧୀନ ମଧୁର ଝୋଳି ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା । ଘରେ ପଶି ମହିଳାଙ୍କୁ ହତ୍ୟା କରାଯାଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣକ ହେଉଛନ୍ତି ମଧୁର ଝୋଳି ଗ୍ରାମର ଯୁଧିଷ୍ଠିର ନାହାକଙ୍କ ପତ୍ନୀ ଝୁନୁ ନାହାକ (୫୫) । ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଥିବା ବ୍ୟକ୍ତି ହେଲେ ବିଷ୍ଣୁ ନାହାକ ଓ ରାଜେନ୍ଦ୍ର ନାହାକ। ଗୁରୁତର ୨ ଆହତଙ୍କୁ ତୁରନ୍ତ ଆସିକା ମେଡିକାଲରେ ଭର୍ତ୍ତି କରାଯାଇଛି। ସେଠାରେ ସେମାନଙ୍କର ଅବସ୍ଥା ସ୍ଥିର ରହିଥିବା ଜଣାପଡିଛି। ଏହି ଘଟଣାରେ ପୋଲିସ ୯ ଜଣକୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ଗ୍ରାମରେ ଚପା ଉତ୍ତେଜନା ଲାଗି ରହିଛି ।

ପୁରୁଷୋତ୍ତମପୁର ଏସଡିପିଓ ରଜନୀକାନ୍ତ ସାମଲଙ୍କ ନେତୃତ୍ୱରେ ୪ ଜଣ ଥାନା ଅଧିକାରୀ ଓ ୪ ପ୍ଲାଟୁନ ଫୋର୍ସ ମୁତୟନ ରହି ପରିସ୍ଥିତି ଉପରେ ତୀକ୍ଷ୍ମ ନଜର ରଖିଥିବା ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ, ୨୬ ତାରିଖ ରାତିରେ ଗୁଣିଆ ସନ୍ଦେହରେ ଗ୍ରାମର ୩୦/୪୦ ଯୁବକ ମାରଣାସ୍ତ୍ର ଧରି ବିଷ୍ଣୁ ନାହାକ ଓ ରାଜେନ୍ଦ୍ର ନାହାକଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ପରେ ଏମାନେ ଗ୍ରାମର ଯୁଧିଷ୍ଠିର ନାହାକଙ୍କ ଘରେ ବାରି ପଟୁ ପଶିଥିଲେ। ହେଲେ ସେତେବେଳେ ଘରେ କେବଳ ଝୁନୁ ନାହାକ ଏକାକୀ ଥିଲେ। ଆଉ ଉତ୍ତ୍ୟକ୍ତ ଲୋକେ ଝୁନୁଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ବେଳେ ଘଟଣାସ୍ଥଳରେ ହିଁ ଝୁନୁଙ୍କ ମୃତ୍ୟୁ ଘଟିଥିଲା। ଏ ସଂପର୍କରେ ଯୁଧିଷ୍ଠିର ନାହାକଙ୍କ ସୂଚନା ଆଧାରରେ ପୁଲିସ ମଧୁର ଝୋଳି ଗ୍ରାମର ୯ ଜଣକୁ ଉଠାଇ ନେଇ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି। ଅନ୍ୟ ପକ୍ଷରେ ଏବେବି ଏହି ଗ୍ରାମରେ ଉତ୍ତେଜନା ଲାଗି ରହିଥିବାରୁ ୪ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିବା ଏସଡିପିଓ ସୂଚନା ଦେଇଛନ୍ତି ।

Related Posts