
କୋଏମ୍ବଟୁର : ତାମିଲନାଡୁର ହୋସୁରର ଏକ ସରକାରୀ ମାଧ୍ୟମିକ ବିଦ୍ୟାଳୟରେ ଅଘଟଣ । ସେଫ୍ଟି ଟ୍ୟାଙ୍କରୁ ଗ୍ୟାସ୍ ଲିକ୍ ହୋଇଛି । ଫଳରେ ପ୍ରାୟ ୧୦୦ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ବହୁ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି।
ସୂଚନା ଅନୁଯାୟୀ, ଗତକାଲି ପିଲାମାନେ ସ୍କୁଲରେ ଥିବା ବେଳେ ମଧ୍ୟାହ୍ନ ଭୋଜନ ପରେ ହଠାତ୍ ସେମାନେ ଅସୁସ୍ଥ ହୋଇପଡ଼ିଲେ। ଅପରାହ୍ନ ପ୍ରାୟ ୩ଟା ପରେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଜଣଙ୍କର ମୁଣ୍ଡ ବୁଲାଇବା ସହ ବାନ୍ତି ହେଲା । ସେମାନଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏବେବି ପ୍ରାୟ ୬୦ରୁ ଅଧିକ ପିଲା ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ସ୍କୁଲ ପରିସରରେ ନିର୍ମିତ ସେପ୍ଟିକ୍ ଟ୍ୟାଙ୍କରୁ ଗ୍ୟାସ୍ ଲିକ୍ ହେତୁ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଥିବାର ଆଶଙ୍କା କରାଯାଉଛି।
ଏହି ଘଟଣା ପ୍ରଚାରିତ ହେବା ପରେ ଜିଲ୍ଲାପାଳ ଡାକ୍ତରଖାନାରେ ପହଞ୍ଚିବା ସହ ସେଠାରେ ଭର୍ତ୍ତି ହୋଇଥିବା ଛାତ୍ରଛାତ୍ରୀଙ୍କ ଅବସ୍ଥା ସମ୍ପର୍କରେ ମଧ୍ୟ ପଚାରି ବୁଝିଥିଲେ। ଏଥିସହ ସେ ବିଦ୍ୟାଳୟ ପରିଦର୍ଶନ କରି ସ୍ଥିତି ସମ୍ପର୍କରେ ପଚାରି ବୁଝିଛନ୍ତି।
ହଠାତ୍ ଛାତ୍ରଛାତ୍ରୀଙ୍କ ଏପରି ଅସୁସ୍ଥତାର କାରଣ ଜାଣିବାକୁ ଅଧିକ ତଦନ୍ତର ଆବଶ୍ୟକତା ରହିଥିବା ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି। ଏହି ଘଟଣା ପରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ହୋସୁର ନିଗମ ଏବଂ ବିଦ୍ୟାଳୟ ଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀମାନେ ବିଦ୍ୟାଳୟ ପରିଦର୍ଶନ କରିଥିଲେ।